Odisha Link
Bridging the Missing Links in Odisha

ଆଜିଠୁ ଶୀତ ଅଧିବେଶନ

ଭୁବନେଶ୍ୱର: କୋଭିଡ୍‌ କଟକଣା ମଧ୍ୟରେ ଆଜିଠୁ ଆରମ୍ଭ ହେବ ବିଧାନସଭାର ଶୀତକାଳୀନ ଅଧିବେଶନ। ଚଳିତ ଅଧିବେଶନ କାଳରେ ସରକାରଙ୍କ ପକ୍ଷରୁ ୧୦ଟି ବିଲ୍ ଗୃହୀତ ହେବାକୁ ରହିଥିବାବେଳେ ୩ଟି ଅଧ୍ୟାଦେଶ ଆସିବାର ରହିଛି। ପ୍ରଥମ ଦିନରେ ଆସିବ ଅତିରିକ୍ତ ବଜେଟ୍‌। ୨୯ରେ ଆସିବ ବ୍ୟୟ ମଞ୍ଜୁରୀ ବିଲ୍। ପ୍ରତିଦିନ ଗୃହ ସାଢ଼େ ଚାରି ଘଣ୍ଟା ଚାଲିବ। ମୌସୁମୀ ଅଧିବେଶନ ପରି ଏଥର ଅଧିବେଶନରେ ପ୍ରଶ୍ନକାଳ ରହିବ ନାହିଁ। ଯେଉଁମାନଙ୍କର କୋଭିଡ ରିର୍ପୋଟ ନେଗେଟିଭ୍‌ ଆସିଛି, ସେମାନଙ୍କୁ ବିଧାନସଭାକୁ ଯିବା ପାଇଁ ଅନୁମତି ମିଳିବ।

ଚଳିତ ଅଧିବେଶନରେ ଅତିରିକ୍ତ ବଜେଟ ଆଗତ ହେବା ସହିତ ଖର୍ଚ୍ଚ ଦାବି ପାରିତ ହେବ। ତେବେ ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବିଧାୟକମାନଙ୍କ ଲାଗି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। କୋଭିଡ଼ ସୁପରିଚାଳନା ଲାଗି ବିଧାୟକମାନଙ୍କ ଦରମାରୁ କଟା ଯାଉଥିବା ୭୦ ପ୍ରତିଶତ ଅର୍ଥକୁ ଏଣିକି ଆଉ କଟାଯିବ ନାହିଁ। ଏନେଇ ମୁଖ୍ୟମନ୍ତ୍ରୀ ଆଜି ସ୍ପଷ୍ଟ ଘୋଷଣା କରିଛନ୍ତି।

ଏଥର ଶୀତକାଳୀନ ଅଧିବେଶନରେ ସରକାର ୧୦ଟି ବିଧେୟକ ଗୃହରେ ଉପସ୍ଥାପିତ କରିବାକୁ ଯାଉଥିବାବେଳେ ବିରୋଧୀ ବିଜେପି ଓ କଂଗ୍ରେସ ଦଳ ୯ଟି ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି। ଅନ୍ୟପକ୍ଷରେ ଶାସକ ବିଜେଡ଼ି ସବୁ ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରସ୍ତୁତ ବୋଲି କହିଛି। ଅଧିବେଶନ ଆରମ୍ଭ ପୂର୍ବରୁ ଗୁରୁବାର ବିଜେଡ଼ି, ବିଜେପି ଓ କଂଗ୍ରେସ ତିନିଦଳର ପୃଥକଭାବେ ବିଧାୟକଦଳ ବୈଠକ ଅନୁଷ୍ଠିତ ହୋଇଯାଇଛି।

ବିଧାନସଭା ପରିସରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ୨୬ ପ୍ଳାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। ୨ ଜଣ ଅତିରିକ୍ତ ଡିସିପି, ୧୦ ଜଣ ଏସିପି, ୧୦ଜଣ ଆଇଆଇସି ଓ ୬୧ ଜଣ ଏସଆଇଙ୍କ ସମେତ ୮୦ ଜଣ ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି। ଏହାଛଡା ସାଧା ପୋଷାକଧାରୀ ପୋଲିସ, ରୁଫଟପ୍ ସିକ୍ୟୁରିଟି, କ୍ୟୁଆରଟି, ଷ୍ଟ୍ରାଇକିଙ୍ଗ ଫୋର୍ସ ମଧ୍ୟ ମୁତୟନ ହେବେ। ସିସିଟିଭି ସ୍କାନରରେ ରହିବ ମହାତ୍ମା ଗାନ୍ଧି ମାର୍ଗ। ବିଧାନସଭା ଭିତରେ ଓ ବାହାରେ ଅଗ୍ନିଶମ ବିଭାଗ ପକ୍ଷରୁ ସାନିଟାଇଜ୍ କରଯାଇଛି। କୋଭିଡ କଟକଣା ଯୋଗୁଁ ନଭେମ୍ବର ୩୦ ଯାଏଁ ରାଲି ଓ ଧାରଣା କରିବା ପାଇଁ କାହାରିକୁ ଅନୁମତି ଦିଆଯାଇ ନାହିଁ।

Comments are closed.