Odisha Link
Bridging the Missing Links in Odisha

ବିଜେଡି ବିଧାୟକଙ୍କ ସମୁଦି ହୋଇଥାଆନ୍ତେ ଅଭୟକାନ୍ତ

ଭୁବନେଶ୍ବର: ସରକାରୀ ଟଙ୍କା ଚଳୁ କରି ନିଜର ସମ୍ପତ୍ତି ବଢ଼ାଇବାରେ ସିଦ୍ଧହସ୍ତ ଥିଲେ ସରକାରୀ ବାବୁ। କେବଳ ସେତିକି ନୁହେଁ କଳା ଟଙ୍କାକୁ ଧଳାରେ ପରିଣତ କରିବାର କଳାରେ ଥିଲେ ନିପୁଣ। ସରକାରୀ ବାବୁଙ୍କ ପରି ତାଙ୍କ ପୁଅ ମଧ୍ୟ ଏହି କଳାରେ ଥିଲେ ମାହିର।

କେବଳ ସେତିକି ନୁହେଁ ପୁନେରେ ମାସିକ ପ୍ରାୟ ୫ଲକ୍ଷ ଟଙ୍କା ଲେଖାଏଁ ଭଡ଼ାରେ ନିଆଯାଇଥିଲା ଫ୍ଲାଟ୍ ଓ ଫାର୍ମ ହାଉସ୍। ସଂପର୍କୀୟ ନା’ରେ ରହିଛି ଭୁବନେଶ୍ବର ଘାଟିକିଆରେ ଆଲିସାନ୍ ଫ୍ଲାଟ୍। ସେ ଘରେ ଥିଲା ନଗଦ ୫୦ଲକ୍ଷ ଟଙ୍କା। ଘର ଗାଡ଼ି ପାର୍କିଂ ସ୍ଥଳରେ ଥିଲା ମସର୍ଡିଜ୍, ବିଏମ୍‌ଡବ୍ଲୁ, ହାରିଅର୍ ଭଳି କାର୍।

ଲକ୍‌ଡାଉନ୍ ସମୟରେ ଯେତେବେଳେ ଲୋକେ ଜୀବନ ଜୀବିକାକୁ ନେଇ ସଂଘର୍ଷ କରୁଥିଲେ ସେବେ ସଂପୃକ୍ତ ବ୍ୟକ୍ତି ପରିବାର ସହ ଥରେ କି ଦୁଇଥର ନୁହେଁ, ୨୦ଥର ଚାର୍ଟର ପ୍ଲେନ (ଭଡ଼ା ବିମାନ)ରେ ବିଭିନ୍ନ ସ୍ଥାନକୁ ଭ୍ରମଣ କରିଛନ୍ତି। ସାଙ୍ଗରେ ବୁଲୁଥିଲେ ଦାମୀ ଦରମାରେ ନିୟୋଜିତ ଏକାଧିକ ଘରୋଇ ବଡିଗାର୍ଡ। ଏଭଳି ବିଳାସମୟ ଜୀବନଯାପନ କରୁଥିବା ବ୍ୟକ୍ତି ଜଣେ ସରକାରୀ ବାବୁ, ଯିଏକି ରାଜ୍ୟ ସରକାରଙ୍କ ଜଙ୍ଗଲ ବିଭାଗରେ ଅତିରିକ୍ତ ପିସିସିଏଫ୍ ଭାବେ କାର୍ଯ୍ୟ କରୁଛନ୍ତି। ସେ ହେଉଛନ୍ତି ୧୯୮୭ ବ୍ୟାଚ୍ ଆଇଏଫ୍ଏସ୍ ଅଫିସର ଅଭୟକାନ୍ତ ପାଠକ।

ବିଶେଷ ସୁତ୍ରରୁ ମିଳିଥିବା ସୂଚନା ମୁତାବିକ, ବିଜେଡି ବିଧାୟକ ପ୍ରଦୀପ ପାଣିଗ୍ରାହୀ କୁବେର ଆଇଏଫ୍‌ଏସ୍‌ ଅଭୟକାନ୍ତ ଖୁବଶୀଘ୍ର ସମୁଦି ମଧ୍ୟ ହୋଥ ଥାଆନ୍ତେ। ପ୍ରଦୀପଙ୍କ ଝିଅ ସହ ଅଭୟକାନ୍ତଙ୍କ ପୁଅ ଆକାଶ କୁମାର ପାଠକଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଏପରିକି ସେମାନେ ଅନେକ ସମୟରେ ପୁନେର ଫ୍ଲାଟକୁ ଯିବା ଆସିବା କରୁଥିଲେ। ଆସନ୍ତା ଡିସେମ୍ବର ୧୧ ତାରିଖରେ ଉଭୟଙ୍କର ବିବାହ ମଧ୍ୟ ସ୍ଥିର ହୋଇଥିଲା। ରାଜସ୍ଥାନର ଉଦୟପୁରରେ ଏକ ପ୍ୟାଲେସରେ ପଡ଼ିଥାନ୍ତା ହାତଗଣ୍ଠି। ପ୍ୟାଲେସ ବୁକିଂ ହୋଇ ସାରିଥିଲା। ଏନେଇ ସରିଥିଲା ସମସ୍ତ କାର୍ଯ୍ୟ।

ଏପରିକି ବରଯାତ୍ରୀଙ୍କ ପାଇଁ ବିମାନ ମଧ୍ୟ ବୁକ୍‌ ହେଇ ସାରିଥିଲା। ପୂରା ରାଜକୀୟ ଢ଼ଙ୍ଗରେ ହୋଇଥାନ୍ତା ବିବାହ। ୟୁନିଟ୍‌ ୯ ସ୍ଥିତ ସରକାରୀ ବାସଭବନରେ ଆରମ୍ଭ ହୋଇଯାଇଥିଲେ ରସମ୍। ଘରେ ଜମିଥିଲା ଭୋଜିଭାତର ଆସର। ସରକାରୀ ଟଙ୍କାରେ ଚାଲିଥିଲା ମଉଜ। ଏହି ଖୁସିର ଆସରରେ କଳାର ବାଦଲ ଯେ ଢାଙ୍କି ହୋଇଯିବ କିଏ ବା ଜାଣିଥିଲା। ଗତକାଲି ହଠାତ୍‌ ଭିଜିଲାନ୍ସ ରେଡ୍‌ ପଡ଼ିଥିଲା। ସମ୍ପର୍କୀୟଙ୍କ ଆଗରେ ପାଠକଙ୍କ ପରିବାର ଲୋକଙ୍କ ମୁହଁ କଳା ପଡ଼ି ଯାଇଥିଲା। ବିବାହ ହେବାକୁ ଥିବା ପ୍ୟାଲେସ୍, ଘରେ ରେଡ୍‌ କରି ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିଛି ଭିଜିଲାନ୍ସ।

ଅପରପକ୍ଷେ ସବୁବେଳେ ଆକାଶରେ ଉଡ଼ିବା ଥିଲା ଆକାଶ ଓ ଅଭୟକାନ୍ତଙ୍କ ସଉକ। ଯେତେବେଳେ ଲକ୍‌ଡାଉନରେ ଲୋକ ଜୁଝୁଥିଲେ ସେତେବେଳେ ମଉଜ କରୁଥିଲେ ପାଠକ ପରିବାର। ବିମାନରେ ବୁଲିବା ଖର୍ଚ୍ଚ ଏବେ ସୁଦ୍ଧା ସାଢ଼େ ୪ କୋଟି ଟଙ୍କା ହେବ ବୋଲି ଭିଜିଲାନ୍ସ ପକ୍ଷରୁ ଆକଳନ କରାଯାଇଛି। ଏହାର ହିସାବ ଚାଲିଥିବା ବେଳେ ଏହି ଟଙ୍କା କିଏ ଦେଇଛି ତାହାର ଖୋଳତାଡ଼ କରାଯାଉଛି ବୋଲି ଜଣେ ଅଧିକାରୀ କହିଛନ୍ତି।

ସେହିପରି ଘାଟିକିଆ ବିପୁଲ ଗାର୍ଡେନରେ ଥିବା ଫ୍ଲାଟରେ ଇଟାଲିଅନ୍‌ ମାର୍ବଲ ଲାଗିଥିବା ଭିଜିଲନ୍ସ ଜାଣିବାକୁ ପାଇଛି। ଯାହାର ଗୋଟିଏ ବର୍ଗଫୁଟ ମୂଲ୍ୟ ୧ ହଜାର ଯଙ୍କାରୁ ୈଧିକ ହେବ ବୋଲି ଆଳନ କରାଯାଇଛି ସେହିପରି ୬୦ ଲକ୍ଷ ଟଙ୍କାର ପଲଙ୍କ ମଧ୍ୟ ଠାବ କରିଛି ଭିଜିଲାନ୍ସ। ସେହି ପଲଙ୍କରେ ହାତୀ ଦାନ୍ତ ଲାଗିଥିବା ଜଣାପଡ଼ିଛି। ଘର ଭିତରୁ ହରିଣ ଶିଙ୍ଗ ମଧ୍ୟ ଜବତ କରାଯାଇଛି।

Comments are closed.