Odisha Link
Bridging the Missing Links in Odisha

ଦୁଇବର୍ଷର ପ୍ରେମ, ଡିସେମ୍ବର ୧୫ରେ ହୋଇଥା’ନ୍ତା ବାହାଘର

ଭୁବନେଶ୍ବର: ଚର୍ଚ୍ଚାରେ କୁବେର ଆଇଏଫ‌୍‌ଏସ୍‌ ଅଭୟକାନ୍ତ ପାଠକ‌ ଓ ତାଙ୍କ ପୁଅ ଆକାଶ କୁମାର ପାଠକ। ସରକାରୀ ବାବୁଙ୍କୁ ନେଇ ଯେତିକି ଚର୍ଚ୍ଚା ହେଉଛି ତାଠୁ ବେଶି ତାଙ୍କ ପୁଅଙ୍କୁ ନେଇ ହେଉଛି। ସରକାରୀ ଟଙ୍କା ଚଳୁ କରି ନିଜର ସମ୍ପତ୍ତି ବଢ଼ାଇବାରେ ସିଦ୍ଧହସ୍ତ ଥିଲେ ସରକାରୀ ବାବୁ। ତାଙ୍କ ପୁଅ ମଧ୍ୟ ଏହି କଳାରେ ଥିଲେ ମାହିର। କାରଣ ତଦନ୍ତରୁ ଜଣା ପଡ଼ିଛି ଯେ, ଅଭୟକାନ୍ତଙ୍କ ପୁଅ ଆକାଶ ଜଣେ କୋଟିପତି। ଆକାଶଙ୍କ ଆକାଉଣ୍ଟରେ ପୂରା ୯.୪ କୋଟି ଟଙ୍କା ଜମା ହୋଇଛି। ସୂଚନାଥାଉକି,ଗତକାଲି ଭିଜିଲାନ୍ସ ଟିମ୍‌ ଆକାଶଙ୍କୁ ପୁନେରୁ ଭୁନେଶ୍ବର ଆଣି ଅଧିକ ପଚରାଉଚରା କରୁଛି।

ଆକାଶ ପାଠକ ପୂର୍ବତନ ମନ୍ତ୍ରୀ ତଥା ଏବେର ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଝିଅଙ୍କ ସହିତ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ୨ବର୍ଷରୁ ଉର୍ଦ୍ଧ୍ବ ସମୟ ଆକାଶ ଓ ବିଧାୟକଙ୍କ ଝିଅ ପ୍ରେମରେ ଥିଲେ। ଏପରିକି ଉଭୟଙ୍କ ବିବାହ ଡିସେମ୍ବର ୧୫ ତାରିଖ ମଙ୍ଗଳବାର ଦିନ ହେବାର ଥିଲା। ଏନେଇ ମଧ୍ୟ ଆକାଶଙ୍କ ପରିବାର ପକ୍ଷରୁ କାର୍ଡ ବଣ୍ଟନ କାର୍ଯ୍ୟ ମଧ୍ୟ ଚାଲିଥିଲା। ରାଜସ୍ଥାନର ଉଦୟପୁରରେ ଏକ ପ୍ୟାଲେସରେ ପଡ଼ିଥାନ୍ତା ଉଭୟଙ୍କର ହାତଗଣ୍ଠି। ଏଥିପାଇଁ ପ୍ୟାଲେସ ବୁକିଂ ହୋଇ ସାରିଥିଲା। ସରିଥିଲା ସମସ୍ତ କାର୍ଯ୍ୟ।ଏପରିକି ବରଯାତ୍ରୀଙ୍କ ପାଇଁ ବିମାନ ମଧ୍ୟ ବୁକ୍‌ ହେଇ ସାରିଥିଲା। ପୂରା ରାଜକୀୟ ଢ଼ଙ୍ଗରେ ହୋଇଥାନ୍ତା ବିବାହ।

କେବଳ ସେତିକି ନୁହେଁ ଆକାଶ ଓ ବିଧାୟକଙ୍କ ଝିଅ ବିବାହ ଉତ୍ସବ ପୂର୍ବରୁ ରାଜଧାନୀର ଏକ ତାରକା ହୋଟଲରେ ଗତ ୭ଦିନ ଧରି ଭୋଜି ଚାଲିଥିଲା। ଏହି ଭୋଜିରେ ବର ଏବଂ କନ୍ୟା ପରିବାର, ସମ୍ପର୍କୀୟ, ବନ୍ଧୁବାନ୍ଧବ ଯୋଗ ଦେଇଥିବା କୁହାଯାଉଛି। ରାଜସ୍ଥାନରେ ବିବାହ ହେଉଥିବା ବେଳେ ସମସ୍ତେ ଯୋଗ ଦେବା ସମ୍ଭବପର ହେଉ ନଥିବାରୁ ହୋଟଲରେ ଭୋଜିର ଆୟୋଜନ କରାଯାଇଥିଲା। ଏବାବଦରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଭିଜିଲାନ୍ସ ଅଧିକ ଖୋଳତାଡ଼ ଚଳାଇଛି। ବହୁ ନାମୀଦାମୀ ଲୋକ ଏହି ବିବାହ ଉତ୍ସବରେ ଯୋଗ ଦେଇଥିଲେ। ତଦନ୍ତ ଶେଷ ହେବା ପରେ ପୂରା ହିସାବ ଜଣାପଡ଼ିବ ବୋଲି ଜଣେ ଅଧିକାରୀ କହିଛନ୍ତି।

ୟୁନିଟ୍‌ ୯ ସ୍ଥିତ ସରକାରୀ ବାସଭବନରେ ଆରମ୍ଭ ହୋଇଯାଇଥିଲେ ରସମ୍। ଘରେ ଜମିଥିଲା ଭୋଜିଭାତର ଆସର। ସରକାରୀ ଟଙ୍କାରେ ଚାଲିଥିଲା ମଉଜ। ଏହି ଖୁସିର ଆସରରେ କଳାର ବାଦଲ ଯେ ଢାଙ୍କି ହୋଇଯିବ କିଏ ବା ଜାଣିଥିଲା। ଗତକାଲି ହଠାତ୍‌ ଭିଜିଲାନ୍ସ ରେଡ୍‌ ପଡ଼ିଥିଲା। ସମ୍ପର୍କୀୟଙ୍କ ଆଗରେ ପାଠକଙ୍କ ପରିବାର ଲୋକଙ୍କ ମୁହଁ କଳା ପଡ଼ି ଯାଇଥିଲା। ବିବାହ ହେବାକୁ ଥିବା ପ୍ୟାଲେସ୍, ଘରେ ରେଡ୍‌ କରି ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିଛି ଭିଜିଲାନ୍ସ।

ଆକାଶଙ୍କ ବାହାଘରକୁ ୧୮ ଦିନ ବାକି ଥିବାବେଳେ ଗତକାଲି ଭିଜିଲାନ୍ସ ଚଢ଼ଉ ପରେ ଆବାକ୍‌ ହୋଇ ଯାଇଥିଲେ ଆଇଏଫ୍‌ଏସ୍‌ ଅଫିସର ଅଭୟକାନ୍ତ ପାଠକଙ୍କ ପରିବାର। ଚଢ଼ଉ ଆରମ୍ଭ ହେବା ପରେ ଅଭୟକାନ୍ତଙ୍କ ପତ୍ନୀ କିଛି ସୁନା ଅଳଙ୍କାର ଲୁଚାଇ ଦେଇଥିଲେ। ହେଲେ ଭିଜିଲାନ୍ସ ନଜରରୁ ବର୍ତ୍ତି ପାରି ନଥିଲେ। ମହିଳା ଅଧିକାରୀ ସେହି ସୁନାକୁ ଖୋଜି ପାଇବାରେ ସଫଳ ହୋଇଥିଲେ। ଦିନତମାମ ଚଢ଼ଉ ପରେ୮୦୦ ଗ୍ରାମର ସୁନା ଅଳଙ୍କାର ଜବତ ହୋଇଥିଲା। ଏଥିସହିତ ୨୩ ଳକ୍ଷ ଟଙ୍କାର ଗହଣା ବିଲ୍‌ ମଧ୍ୟ ଜବତ କରାଯାଇଥିବା ସୂଚନା ରହିଛି।

ଅପରପକ୍ଷେ ସବୁବେଳେ ଆକାଶରେ ଉଡ଼ିବା ଥିଲା ଆକାଶ ଓ ଅଭୟକାନ୍ତଙ୍କ ସଉକ। ଯେତେବେଳେ ଲକ୍‌ଡାଉନରେ ଲୋକ ଜୁଝୁଥିଲେ ସେତେବେଳେ ମଉଜ କରୁଥିଲେ ପାଠକ ପରିବାର। ବିମାନରେ ବୁଲିବା ଖର୍ଚ୍ଚ ଏବେ ସୁଦ୍ଧା ସାଢ଼େ ୪ କୋଟି ଟଙ୍କା ହେବ ବୋଲି ଭିଜିଲାନ୍ସ ପକ୍ଷରୁ ଆକଳନ କରାଯାଇଛି। ଏହାର ହିସାବ ଚାଲିଥିବା ବେଳେ ଏହି ଟଙ୍କା କିଏ ଦେଇଛି ତାହାର ଖୋଳତାଡ଼ କରାଯାଉଛି ବୋଲି ଜଣେ ଅଧିକାରୀ କହିଛନ୍ତି।

ସେହିପରି ଘାଟିକିଆ ବିପୁଲ ଗାର୍ଡେନରେ ଥିବା ଫ୍ଲାଟରେ ଇଟାଲିଅନ୍‌ ମାର୍ବଲ ଲାଗିଥିବା ଭିଜିଲନ୍ସ ଜାଣିବାକୁ ପାଇଛି। ଯାହାର ଗୋଟିଏ ବର୍ଗଫୁଟ ମୂଲ୍ୟ ୧ ହଜାର ଯଙ୍କାରୁ ଅଧିକ ହେବ ବୋଲି ଆଳନ କରାଯାଇଛି ସେହିପରି ୬୦ ଲକ୍ଷ ଟଙ୍କାର ପଲଙ୍କ ମଧ୍ୟ ଠାବ କରିଛି ଭିଜିଲାନ୍ସ। ସେହି ପଲଙ୍କରେ ହାତୀ ଦାନ୍ତ ଲାଗିଥିବା ଜଣାପଡ଼ିଛି। ଘର ଭିତରୁ ହରିଣ ଶିଙ୍ଗ ମଧ୍ୟ ଜବତ କରାଯାଇଛି।

Comments are closed.