ଜଳଉତ୍ସ ସୁରକ୍ଷା ଦିବସ ପାଳନ

ଭୁବନେଶ୍ୱର: ସହରାଞ୍ଚଳର ସମ୍ପ୍ରସାରଣ ସହିତ ପ୍ରାକୃତିକ ଜଳଉତ୍ସ ଗୁଡିକ କ୍ରମେ ଲୋପ ପାଉଥିବାରୁ ପରିବେଶ ପ୍ରତି ବିପଦ ସୃଷ୍ଟିହେବା ସହିତ ଜୈବ ବିବିଧତା କ୍ଷେତ୍ରରେ ମଧ୍ୟ ବିପଦ ସୃଷ୍ଟି ହେଉଛି ବୋଲି ପରିବେଶବିତ ଏବଂ ବିଶିଷ୍ଟ ବ୍ୟକ୍ତିମାନେ ମତ ଦେଇଛନ୍ତି।
କାର୍ତ୍ତିକ ପୂର୍ଣ୍ଣିମା ଏବଂ ଜଳଉତ୍ସ ସୁରକ୍ଷା ଦିବସ ପାଳନ ଅବସରରେ ଆଜି ଏକ ଅନଲାଇନ ଆଲୋଚନାଚକ୍ରରେ ଏ ସମ୍ପର୍କରେ ମତରଖି ପ୍ରଫେସର ପ୍ରତାପ କୁମାର ରଥ, ଜଳଉତ୍ସ ଗୁଡିକୁ ଦୂଷିତ କରାଗଲେ ଏହା ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବରେ ମନୁଷ୍ୟ ସମାଜର କ୍ଷତି କରିବ ବୋଲି କହିଥିଲେ।
ବିଜୁ ପଟ୍ଟନାୟକ କମ୍ପୁଟର ଏକାଡେମୀର ସଭାପତି ସୀତା ବଲ୍ଲଭ ମହାପାତ୍ର, ଧର୍ମଅର୍ଜନ ନାମରେ ଜଳଉତ୍ସ ଗୁଡିକୁ ଦୂଷିତ କରିବା ଆତ୍ମାଘାତୀ କାର୍ଯ୍ୟ ସହ ସମାନ ବୋଲି କହିଥିଲେ। ଆକାଶବାଣୀ ବାର୍ତ୍ତା ବିଭାଗର ଅବସର ପ୍ରାପ୍ତ ଉପନିର୍ଦେଶକ ସୁଧାଂଶୁ ଶେଖର ଧଡ଼ା କାର୍ତ୍ତିକ ପୂର୍ଣ୍ଣମୀ ଦିନ ପ୍ରାକୃତିକ ତଥା ଅନ୍ୟାନ୍ୟ ଜଳଉତ୍ସ ଗୁଡିକ କୃତ୍ରିମ ଭାବରେ ସର୍ବାଧିକ ଦୂଷିତ ହେଉଥିବାରୁ ଜଳଉତ୍ସ ସୁରକ୍ଷା ଦିବସ ପାଳନର ଉଦେଶ୍ୟ ବର୍ଣ୍ଣନା କରିଥିଲେ।
ଏହି ଆଲୋଚନା ପୂର୍ବରୁ ଭୁବନେଶ୍ୱର ନୟାପଲ୍ଲୀ ସ୍ଥିତ ବାଲୁଙ୍କେଶ୍ୱର ମନ୍ଦିର ନିକଟରେ ଜଳାଶୟ ସଫେଇ କାର୍ଯ୍ୟକ୍ରମକୁ କର୍ପୋରେଟର ନବ କିଶୋର ବେହେରା ଉଦଘାଟନ କରିଥିଲେ। ଏହି ଆଲୋଚନାଚକ୍ରରେ ଅଧ୍ୟାପକ ଟୀକାୟତ ନାୟକ, ବସନ୍ତ କୁମାର ପଣ୍ଡା, ଦୀପ୍ତିମୟୀ ନାୟକ,ଡ଼ଲଫିନ ପ୍ରଧାନ, ସ୍ମୃତିଶ୍ରୀ ମିଶ୍ର, ସୁଶ୍ରୀ ସଂଗୀତା ଗୋଛାୟତ, ଯଜ୍ଞ ଜ୍ୟୋତି ବେହେରା, ସୁଶାନ୍ତ କୁମାର, ତୃପ୍ତି ନାୟକ, ଲକ୍ସମନ ନାୟକ, ସଦାନନ୍ଦ ନାୟକଙ୍କ ସହିତ ଅମିତ କଲେଜର ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ।
ଓଡିଶା ହେତୁବାଦୀ ସମାଜ ଦ୍ୱାରା ଏହି କାର୍ଯ୍ୟକ୍ରମ ଆୟୋଜିତ ହେବା ସହ ଗତ ଆଠ ବର୍ଷ ହେଲା ଜଳଉତ୍ସ ସୁରକ୍ଷା ଦିବସ ଅବସରରେ ବାଲୁଙ୍କେଶ୍ଵର ମନ୍ଦିର ପୋଖରୀରୁ ଆବର୍ଜନା ସଫା କରାଯାଉଛି। ଚଳିତ ବର୍ଷ କରୋନା ସଂକ୍ରମଣ ସମସ୍ୟାକୁ ଦୃଷ୍ଟିରେ ରଖି କାର୍ଯ୍ୟକ୍ରମକୁ ପରିବର୍ତ୍ତନ କରାଯାଇ ଜନ ଚେତନା ଉପରେ ଗୁରୁତ୍ୱ ଦିଆଯାଇଛି।