ମୋବାଇଲ ଦୋକାନରେ ଅଗ୍ନିକାଣ୍ଡ

ଝାରସୁଗୁଡ଼ା: ମୋବାଇଲ ଦୋକାନରେ ଅଗ୍ନିକାଣ୍ଡ ହୋଇ ସମସ୍ତ ସାମଗ୍ରୀ ଜଳିପୋଡି ପାଉଁଶ ହୋଇ ଯାଇଛି। ଫଳରେ ପ୍ରାୟ ୩୦ ଲକ୍ଷ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଥିବାର ଖବର ମିଳିଛି। ଏହି ଘଟଣାଟି ଝାରସୁଗୁଡ଼ାର ବକ୍ସି ଛକଠାରେ ଘଟିଛି।
ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ବକ୍ସି ଛକ ନିକଟରେ ଥିବା ମହାପାତ୍ର ଇଲେକ୍ଟ୍ରୋନିକ୍ସ ନାମକ ମୋବାଇଲ ଦୋକାନରେ ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ତିରିଶ ଲକ୍ଷ ଟଙ୍କାର ସାମଗ୍ରୀ ଜଳିପୋଡି ପାଉଁଶ ହୋଇ ଯାଇଛି। ମୋବାଇଲ, ମୋବାଇଲ ଉପକରଣ, ଫ୍ରିଜ, ଲାପଟପ ପ୍ରଭୃତି ପୋଡ଼ି ଯାଇଥିବା ଜଣାଯାଇଛି।
ପୁଲିସ ଗତକାଲି ପ୍ରାୟ ୨ ଟାରୁ ୨.୩୦ ସମୟରେ ପେଟ୍ରୋଲିଂ କରୁଥିବା ସମୟରେ ମୋବାଇଲ ଦୋକାନରେ ନିଆଁ ଲାଗିଥିବା ଦେଖିବାକୁ ପାଇଥିଲେ। ତାପରେ ଦୁଇଟି ଅଗ୍ନିଶମ ବାହିନୀ ଖବର ପାଇ ନିଆଁକୁ ଆୟତ କରିଥିଲେ। କିନ୍ତୁ ଦୋକାନର ସମସ୍ତ ସାମଗ୍ରୀ ପୋଡି ନଷ୍ଟ ହୋଇ ଯାଇଥିଲା।