Odisha Link
Bridging the Missing Links in Odisha

ସରକାରୀ ଖର୍ଚ୍ଚ କଟକଣା କୋହଳ

ଭୁବନେଶ୍ୱର: କୋହଳ ହେଲା ସରକାରୀ ଖର୍ଚ୍ଚ କଟକଣା। କରୋନା ମହାମାରୀ ପାଇଁ ସରକାରୀ ଖର୍ଚ୍ଚରେ ଲାଗିଥିବା କଟକଣାକୁ କିଛି ମାତ୍ରାରେ କୋହଳ କରିଛନ୍ତି ରାଜ୍ୟ ଅର୍ଥ ବିଭାଗ। ଏନେଇ ଅର୍ଥ ବିଭାଗ ପକ୍ଷରୁ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗକୁ ଚିଠି ଲେଖି ଅବଗତ କରାଯାଇଛି।

କରୋନା ମହାମାରୀ ପାଇଁ ବିଭିନ୍ନ ବିଭାଗର ଉପରେ ଗତ ଜୁଲାଇ ୭ ତାରିଖରେ ଖର୍ଚ୍ଚ କଟକଣା ଲଗାଇଥିଲା ଅର୍ଥ ବିଭାଗ। ମହାମାରୀ ଯୋଗୁ ଅର୍ଥନୀତି ଉପରେ କୁପ୍ରଭାବ ପଡ଼ିଥିବାରୁ ଏଭଳି କଟକଣା ଲଗାଯାଇଥିଲା। ଏବେ ଅର୍ଥନୀତିରେ କିଛିଟା ସୁଧାର ଆସିଥିବାରୁ ଏହି କଟକଣାକୁ କିଛି ମାତ୍ରାରେ କୋହଳ କରିଛି ଅର୍ଥ ବିଭାଗ।

ଏଷ୍ଟାବ୍ଲିସ୍ମେଣ୍ଟ ବ୍ୟୟରେ କିଛିଟା କୋହଳ କରାଯାଇଛି। ପୂର୍ବର କେବଳ ମେଡିକାଲ ସାମଗ୍ରୀ କିଣିବାକୁ ଅନୁମତି ଥିବା ବେଳେ ଏବେ ଅର୍ଥ ବିଭାଗର ବିନା ଅନୁମତିରେ ଡିଜିଟାଲ କମ୍ୟୁନିକେସନ ପାଇଁ ଆବଶ୍ୟକ ସରଞ୍ଜାମ କିଣି ହେବ।

ବିଭାଗ ମାନେ ବାର୍ଷିକ ବଜେଟର ୬୦ ପ୍ରତିଶତ ବଦଳରେ ୭୫ ପ୍ରତିଶତ ଖର୍ଚ୍ଚ କରିପାରିବେ। ପରିଚାଳନା ଓ ରକ୍ଷଣାବେକ୍ଷଣ ଖର୍ଚ୍ଚ ମଧ୍ୟ ବାର୍ଷିକ ବଜେଟର ୬୦ରୁ ୭୫ ପ୍ରତିଶତକୁ ବୃଦ୍ଧି କରାଯାଇଛି । ଚାଲୁ ରହିଥିବା ଯୋଜନା ପାଇଁ ନୂଆ ଟେଣ୍ଡର ଆହ୍ୱାନ କରାଯାଇପାରିବ। ଏଣିକି ଗୃହ ନିର୍ମାଣ, ଗାଡ଼ି ଓ କମ୍ପ୍ୟୁଟର କିଣା ପାଇଁ ଦୀର୍ଘକାଳୀନ ଅଗ୍ରୀମ ଅର୍ଥ ନେଇପାରିବେ କର୍ମଚାରୀ। ଉନ୍ନୟନମୂଳକ କାର୍ଯ୍ୟର ଆବଶ୍ୟକତା ଦୃଷ୍ଟିରୁ କଟକଣା କୋହଳ କରାଯାଇଥିବା ଅର୍ଥ ବିଭାଗ ଚିଠିରେ ଦର୍ଶାଇଛି।

Comments are closed.