Odisha Link
Bridging the Missing Links in Odisha

ମହାକାଶକୁ ‘ସ୍ପେସ୍‌ଏକ୍ସ’ର ବଡ଼ଦିନ ଉପହାର, ପଠାଇଲା ୪୦ ମୂଷା

କେପ୍ କାନାଭେରାଲ୍: ଆନ୍ତର୍ଜାତିକ ମହାକାଶ କେନ୍ଦ୍ରକୁ ସ୍ପେଶ ଏକ୍ସ ତା’ର ଡ୍ରାଗନ ଶିପ୍‌ରେ ବଡ଼ଦିନ ଉପହାର ପଠାଇଛି। ବଡ଼ଦିନ ଉପହାର ସମେତ ୪୦ଟି ମୂଷା ଏବଂ ଅନ୍ୟାନ୍ୟ ସାମଗ୍ରୀ ପ୍ରେରଣ କରିଛି। ବଡ଼ଦିନ ଖାଦ୍ୟପେୟ ଏବଂ ଉପହାର ବୋଝେଇ ହୋଇଥିବା ମହାକାଶଯାନ ଦ୍ୱିତୀୟ ‘ଡ୍ରାଗନ୍‌’ ସୋମବାର ଦିନ ଆନ୍ତର୍ଜାତିକ ମହାକାଶ କେନ୍ଦ୍ରରେ ପହଞ୍ଚିବ ବୋଲି ଆଶା କରାଯାଉଛି। ଏହାପରେ ଏହି ମହାକାଶଯାନଟି ଗତ ମାସରେ ୪ଜଣ ମହାକାଶଚାରୀଙ୍କୁ ଆନ୍ତର୍ଜାତିକ ମହାକାଶ କେନ୍ଦ୍ରକୁ ନେଇ ଯାଇଥିବା ପ୍ରଥମ ‘ଡ୍ରାଗନ୍‌’ ସହ ଯୋଗ ଦେବ।

‘ନାସା’ର କେନେଡି ମହାକାଶ କେନ୍ଦ୍ରରୁ ‘ସ୍ପେସ୍‌ଏକ୍ସ’ର ଫାଲ୍‌କନ୍‌-୯ ରକେଟ୍‌ରେ ଦ୍ୱିତୀୟ ‘ଡ୍ରାଗନ୍‌’କୁ ଉତ୍‌କ୍ଷେପଣ କରାଯାଇଥିଲା। ୨,୯୦୦ କିଲୋଗ୍ରାମ ଓଜନବିଶିଷ୍ଟ ଏହି ମହାକାଶଯାନରେ ପଠାଯାଇଛି ଅନେକ ସାମଗ୍ରୀ।‘ବାୟୋମାଇନିଙ୍ଗ୍‌’ ଅଧ୍ୟୟନ ନିମନ୍ତେ କୋଟି କୋଟି ଅଣୁଜୀବ ଏବଂ ଚୂର୍ଣ୍ଣବିଚୂର୍ଣ୍ଣ ଗ୍ରହାଣୁ, ମହାକାଶରେ ଥିବା ମହାକାଶଚାରୀଙ୍କ ରକ୍ତ ପରୀକ୍ଷା ଫଳାଫଳ ଅବିଳମ୍ବେ ଜାଣିବାକୁ ଏକ ନୂତନ ଡାକ୍ତରୀ ଉପକରଣ ଏବଂ ରେଫ୍ରିଜେରେଟର୍‌ ଭଳି ଚେମ୍ବର୍‌ ସବୁ ପଠାଯାଇଛି।

ଏହାଛଡ଼ା, ହାଡ଼ ଓ ଚକ୍ଷୁ ସଂକ୍ରାନ୍ତ ଅଧ୍ୟୟନ ନିମନ୍ତେ ଏଥିରେ ପଠାଯାଇଛି ୪୦ଟି ମୂଷା। ଦୀର୍ଘଦିନ ଧରି ମହାକାଶରେ ଅବସ୍ଥାନ କଲେ ମହାକାଶଚାରୀମାନଙ୍କର ହାଡ଼ ଓ ଆଖିରେ ସମସ୍ୟା ଦେଖାଦିଏ।

ଏବେ ଆନ୍ତର୍ଜାତିକ ମହାକାଶ କେନ୍ଦ୍ରରେ ଚାରିଜଣ ଆମେରିକୀୟ, ଦୁଇଜଣ ରୁଷୀୟ ଏବଂ ଜଣେ ଜାପାନୀ ମହାକାଶଚାରୀ ରହି ଗବେଷଣା ଚଳାଇଛନ୍ତି। ବଡ଼ଦିନ ଭୋଜି ବାବଦରେ ସେମାନଙ୍କ ପାଖକୁ ‘ଡ୍ରାଗନ୍‌’ରେ ଯାଇଛି ‘ଟର୍କି ଭଜା’ ‘କର୍ଣ୍ଣବ୍ରେଡ୍‌ ଡ୍ରେସିଙ୍ଗ୍‌’, ‘କ୍ରାନ୍‌ବେରି ସସ୍‌’, ‘ସର୍ଟବ୍ରେଡ୍‌ କୁକି’ ଏବଂ ‘ଆଇସିଙ୍ଗ୍‌ ଟ୍ୟୁବ୍‌’।

Comments are closed.