Odisha Link
Bridging the Missing Links in Odisha

କାଲିଠୁ ଇକୋ-ରିଟ୍ରିଟ୍, ଭାରତ ବନ୍ଦ ପାଇଁ ଦିନେ ଘୁଞ୍ଚିଲା

ଭୁବନେଶ୍ୱର: କାଲିଠୁ ଆରମ୍ଭ ହେବ ଇକୋ-ରିଟ୍ରିଟ୍। ପର୍ଯ୍ୟଟକଙ୍କୁ ଆକୃଷ୍ଠ କରିବା ପାଇଁ ନୂଆ ବୋହୂ ଭଳି ସଜେଇ ହୋଇଛି ୫ ପର୍ଯ୍ୟଟନସ୍ଥଳ। ଆଜିଠୁ ଇକୋ-ରିଟ୍ରିଟ୍‌ ଆରମ୍ଭ ହେବାକୁ ଥିବା ବେଳେଭାରତ ବନ୍ଦ ପାଇଁ ଆସନ୍ତାକାଲି ୯ ତାରିଖରେ ଏହାକୁ ଉଦ୍‌ଘାଟନ କରାଯିବ। ଏନେଇ ପର୍ଯ୍ୟଟନ ନିର୍ଦ୍ଦେଶକ ସଚ୍ଚିନ୍‌ ଆର୍‌ ଯାଦବ କହିଛନ୍ତି

ଗତବର୍ଷ କୋଣାର୍କ ଇକୋ-ରିଟ୍ରିଟ୍‌ର ସଫଳତାକୁ ଦୃଷ୍ଟିରେ ରଖି ଏଥର ରାଜ୍ୟ ପର୍ଯ୍ୟଟନ ବିଭାଗ ପରୀକ୍ଷାମୂଳକ ଭାବେ ୫ଟି ସ୍ଥାନରେ ଇକୋ-ରିଟ୍ରିଟ୍‌ ଆୟୋଜନ କରିଛି। କରୋନା ପାଇଁ ୮ ମାସର ଲଢ଼େଇ ପରେ ରାଜ୍ୟ ପର୍ଯ୍ୟଟନରେ ଏହା ଆଶା ଜନ୍ମାଇବ ବୋଲି କୁହାଯାଉଛି। ପର୍ଯ୍ୟଟନ ନିର୍ଦ୍ଦେଶକ ସଚ୍ଚିନ୍‌ ଆର୍‌ ଯାଦବ କହିଛନ୍ତି, ଆଶା ମୁତାବକ ବୁକିଂ ହେଉଛି ଏବଂ ଅନଲାଇନ୍‌ରେ ଅଧିକାଂଶ ବୁକିଂ କରାଯାଇଛି। ପୂର୍ବବର୍ଷ କେବଳ ରାଜ୍ୟରୁ ୬୦ପ୍ରତିଶତ ପର୍ଯ୍ୟଟକ ବୁକିଂ କରିଥିବା ବେଳେ ଏଥର ମଧ୍ୟ ସେଇ ଉତ୍ସାହ ଓ ସଫଳତା ମିଳିବ ବୋଲି କୁହାଯାଉଛି।

କୋଣାର୍କ ଇକୋ-ରିଟ୍ରିଟ୍
କୋଣାର୍କରେ ୪ ପ୍ରକାର କଟେଜ୍‌ ଉପଳବ୍ଧ ହେବ। ଗୋଟିଏ ରାତି ଓ ଦୁଇଦିନ ଡିଲକ୍ସ କଟେଜ୍‌ ଦର ୮ହଜାର, ପ୍ରିମିୟମ କଟେଜ୍‌ ୧୧୫୦୦, ରୟାଲ କଟେଜ୍‌ ୧୫ ହଜାର ଓ ପ୍ରେସିଡେନ୍ସିଆଲ କଟେଜ୍‌ ଦର ୨୫ ହଜାର ଟଙ୍କା ରହିଛି। ଏହି ପ୍ୟାକେଜ୍‌ରେ କୋଣାର୍କ ସୂର୍ଯ୍ୟ ମନ୍ଦିର, କୋଣାର୍କ ସଂଗ୍ରହାଳୟ, ବିଚ୍‌ ଜୁମ୍ବା, ବାଲୁଖଣ୍ଡକୁ ନେଚର ଟ୍ରାଏଲ୍‌, ମାଛ ଧରାଳିଙ୍କ ଗ୍ରାମକୁ ଯାତ୍ରା ଓ ସେମାନଙ୍କ ସହ କ ଥୋପକଥନର ସୁବିଧା ମିଳିବ। ଏହା ବ୍ୟତୀତ ଚଳିତବର୍ଷ ଏଠାରେ ବିବାହ, ଜନ୍ମଦିନ ପାର୍ଟି ପାଇଁ ସ୍ବତନ୍ତ୍ର ପ୍ୟାକେଜ୍‌ର ବ୍ୟବସ୍ଥା ହୋଇଛି। ଏହା ମଧ୍ୟରେ ଏଟିଭି ରାଇଡ୍‌, ରାଇଫଲ୍‌ ସୁଟିଂ, ଆର୍ଚେରି, ବାଇସାଇକେଲ୍‌ ଟୁର୍‌, ଜେଟ୍‌ସ୍କାଏ, ବିଚ୍‌ ଭଲିବଲ୍, ସ୍ପିଡ୍ ବୋଟ୍‌, ବାନାନା ବୋଟ୍‌, ସର୍ଫିଂର ସୁବିଧା ମିଳିବ।

ଭିତରକନିକା ଇକୋ-ରିଟ୍ରିଟ୍
ଭିତରକନିକା ଟୁର୍‌ ପାଇଁ ୩ ପ୍ରକାର କଟେଜ୍‌ର ବ୍ୟବସ୍ଥା ରହିଛି। ଗୋଟିଏ ରାତି ୨ ଦିନିଆ ପ୍ୟାକେଜ୍‌ର ଦର ପ୍ରିମିୟମ ସ୍ବିଟ୍‌ କଟେଜ୍‌ ମୂଲ୍ୟ ୯ ହଜାର, ରୟାଲ୍‌ କଟେଜ୍‌ ୧୨ ହଜାର ଏବଂ ରୟାଲ ଫ୍ୟାମିଲି କଟେଜ୍‌ର ଦର ୧୬ ହଜାର ରହିଛି। ଭିତରକନିକାରେ ପ୍ରଥମଥର ପାଇଁ ହେବାକୁ ଯାଉଥିବା ଇକୋ-ରିଟ୍ରିଟ୍‌ ଅବସରରେ ପାଣିରେ ଭାସମାନ ଅବସ୍ଥାରେ ଯୋଗ ଓ ଧ୍ୟାନ କରିବାର ସୁଯୋଗ ‌ମିଳିବ। ନଳିତାପଟିଆ ଗାଁ’ର ଏକ ପୋଖରୀରେ ଏପରି ଏକ ନିଆରା ଅବସର ମିଳିବ। ଭିତରକନିକା ଅଭୟାରଣ୍ୟ, କୁମ୍ଭୀର ବ୍ରିଡିଂ କେନ୍ଦ୍ର, ସଂଗ୍ରହାଳୟ ବୁଲିପାରିବେ। ଏଟିଭି, ରାଇଫଲ୍‌ ସୁଟିଂ, ଆର୍ଚେରି, ଇ-ବାଇସାଇକେଲ୍‌, ଜର୍ବିଂର ମଜା ମିଳିବ। ଏଥିପାଇଁ ନିର୍ଧାରିତ ଦେୟ ଦେବାକୁ ପଡ଼ିବ। ଭଲିବଲ୍‌ ଓ ମୁକ୍ତାକାଶ ପାଠାଗାରର ବ୍ୟବସ୍ଥା ମିଳିବ।

ହୀରାକୁଦ ଇକୋ-ରିଟ୍ରିଟ୍
ରହଣି ପାଇଁ ହୀରାକୁଦରେ ଗୋଟେ ରାତି ଓ ୨ଦିନ ନିମନ୍ତେ ୨ ପ୍ରକାର କଟେଜ୍ ଉପଲବ୍ଧ। ପ୍ରିମିୟମ କଟେଜ୍‌ ଦର ୯ହଜାର ୯୦୦ ଏବଂ ରୟାଲ କଟେଜ୍ ଦର ୧୪ ହଜାର ଟଙ୍କା ରହିଛି। ଏଠାରେ ହୀରାକୁଦ ଡ୍ୟାମ, ଜବାହାର ଉଦ୍ୟାନ ଓ ଗାନ୍ଧୀ ମୀନାର ମଧ୍ୟରେ ଯାଇଥିବା ରୋପ-ୱେ, ଡେବ୍ରିଗଡ଼ ବନ୍ୟଜନ୍ତୁ ଅଭୟାରଣ୍ୟକୁ ଜଙ୍ଗଲ ସଫାରି, ବରଖଣ୍ଡିଆ ନେଚର କ୍ୟାମ୍ପ ଭ୍ରମଣର ସୁଯୋଗ ମିଳିବ। ସେଠାରେ ମଧ୍ୟ ଜେଟ୍‌ ସ୍କାଏ, ଏଟିଭି, ସ୍ପିଡ୍‌ ବୋଟ୍‌, ବାନାନା ବୋଟ୍‌, କାୟାକେ, ‌ଜର୍ବ ବଲ୍‌, ପାରାମୋଟରିଂ, ରୋପ ସ୍ବିଙ୍ଗର ସୁବିଧା ମିଳିବ। ଖେଳ ପାଇଁ କର୍ପୋରେଟ୍ ପ୍ୟାକେଜ୍‌ ଓ କମ୍ବୋ ପ୍ୟାକ୍‌ ମଧ୍ୟ ଉପଲବ୍ଧ ହେବ।

ସାତକୋଶିଆ ଇକୋ-ରିଟ୍ରିଟ୍
ସାତକୋଶିଆରେ ଦୁଇପ୍ରକାର କଟେଜ୍‌ ଉପଲବ୍ଧ ହେବ। ଡିଲକ୍ସ କଟେଜ୍‌ ୮ ହଜାର ଓ ରୟାଲ କଟେଜ୍‌ ଦର ୧୪ହଜାର ଟଙ୍କା ରହିଛି। ଏହା ମଧ୍ୟରେ ଟିକରପଡ଼ା ଅଭୟାରଣ୍ୟକୁ ଫରେଷ୍ଟ୍‌ ଟ୍ରାଏଲ୍‌, ଜଙ୍ଗଲରେ ଯୋଗ ଓ ଧ୍ୟାନ, ଜୁମ୍ବା ସମେତ ମହାନଦୀରେ ବୋଟିଂର ସୁବିଧା ମିଳିବ। ଏଟିଭି, ସ୍ପିଡ୍‌ବୋଟ୍‌, ପାରାମୋଟରିଂ ଓ ରୋପ୍‌ସ୍ବିଙ୍ଗ୍‌ର ମଜା ଉଠାଇପାରିବେ ପର୍ଯ୍ୟଟକ।

ଦାରିଙ୍ଗବାଡ଼ି ଇକୋ-ରିଟ୍ରିଟ୍
ଦାରିଙ୍ଗବାଡ଼ିରେ ଗୋଟିଏ ପ୍ରକାର କଟେଜ୍‌ ଉପଲବ୍ଧ ହେବ। ଡିଲକ୍ସ କଟେଜ୍‌ର ଦର ୮ହଜାର ଟଙ୍କା ରହିଛି। ଏହି ପ୍ୟାକେଜ୍‌ ମଧ୍ୟରେ ମିଦୁବନ୍ଧ ଭ୍ରମଣ, ଦାରିଙ୍ଗବାଡ଼ି ଜଳପ୍ରପାତ, ଦାରିଙ୍ଗବାଡ଼ି କଫି ବଗିଚାକୁ ଭ୍ରମଣ ଓ ଚାଷୀଙ୍କ ସହ କଥାବାର୍ତା, ସରସ୍ବତୀ ଗୁମ୍ଫା ଚଢ଼ି ସରସ୍ବତୀ ଦେବୀଙ୍କୁ ଦର୍ଶନ, ଦାଉଦବାଡ଼ା ନଦୀ ସଂଲଗ୍ନ ଲଭର ପଏଣ୍ଟକୁ ଯାତ୍ରା କରିବାର ସୁଯୋଗ ମିଳିବ। ଏହା ବ୍ୟତୀତ ଏଟିଭି, ରୋପ୍‌ ସ୍ବିଙ୍ଗ, ଜିପଲାଇନ୍‌, ରୋପ୍‌ ଗେମ୍ସର ମଜା ମିଳିବ।

Comments are closed.