ଅସୁରକ୍ଷିତ ବିଧାୟକ, ଗୋଟିଏ ଦିନରେ ତିନି ତିନି ଥର କଳାକନା ବୁଲାଇଲେ ଦୁର୍ବୃତ୍ତ

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ସିନ୍ଧି ଚୋରଙ୍କ ଉତ୍ପାତ୍ ବଢ଼ିବାରେ ଲାଗିଛି। ଏହି ଚୋରଙ୍କ ଉତ୍ପାତରୁ ବାଦ ପଡ଼ି ନାହାନ୍ତି ନେତା ମନ୍ତ୍ରୀ। ଚୋରଙ୍କ ସ୍କାନରରେ ଏବେ ନେତା ମନ୍ତ୍ରୀଙ୍କ ଘର। ଗତକାଲି ଜଣେ ବିଧାୟକଙ୍କ ଘରୁ ଆସବାବପତ୍ର ଚୋରି ହୋଇଥିବା ଖବର ଆସିଛି। ବିଧାୟକଙ୍କ ଘରୁ ଥରୁଟିଏ ନୁହେଁ ଗୋଟିଏ ଦିନରେ ତିନି ତିନି ଥର ଘରେ ପଶି ଚୋରି କରିଛନ୍ତି ଦୁର୍ବୃତ୍ତ। ବିଧାୟକ ଜଣକ ହେଉଛନ୍ତି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ନିର୍ବାଚନମଣ୍ଡଳୀର ବିଧାୟକ ମନୋହର ରାନ୍ଧାରୀ। ୟୁନିଟ୍-୮ ଓୟୁଏଟି ଗେଷ୍ଟ ହାଉସ୍ ସାମ୍ନାରେ ଥିବା ତାଙ୍କ କ୍ବାର୍ଟର୍ସରୁ ଚୋରି ହୋଇଛି। ଏନେଇ ସେ ନୂଆପଲ୍ଲୀ ଥାନାରେ ଏକ ଅଭିଯୋଗ ଦେଇଛନ୍ତି।
ମିଳିଥିବା ସୂଚନା ମୁତାବିକ, ବିଧାୟକଙ୍କ କ୍ବାର୍ଟର୍ସ ନମ୍ବର ହେଉଛି ୪ ଆର୍/ ୯। ବିଧାୟକଙ୍କ ଅଧିବେଶନ ସରିବା ପରେ ଶ୍ରୀ ରାନ୍ଧାରୀ ନିଜ ନିର୍ବାଚନ ମଣ୍ଡଳୀକୁ ପଳାଇଥିଲେ। ତାଙ୍କ ବ୍ୟକ୍ତିଗତ ସୁରକ୍ଷାକର୍ମୀ ସାରଦା ମହାପାତ୍ର ଓ ଜଣେ ଡ୍ରାଇଭର କ୍ବାର୍ଟର୍ସରେ ଥିଲେ। ଡ୍ରାଇଭର ଜଣକ ମଧ୍ୟ ୩ଦିନ ତଳେ ଗାଁକୁ ପଳାଇଥିଲେ। ଏକ ବିବାହରେ ଯୋଗ ଦେବାକୁ ସାରଦା ମଧ୍ୟ ମଙ୍ଗଳବାର ରାତିରେ ନବରଙ୍ଗପୁର ପଳାଇଥିଲେ।
ବୁଧବାର ସକାଳ ୭ଟାରେ ଦୁଇ ଚୋର କ୍ବାର୍ଟର୍ସ ଗ୍ରୀଲ ତାଲା ଭାଙ୍ଗି ଭିତରକୁ ପଶିଥିଲେ। କ୍ବାର୍ଟର୍ସର ୩ଟି କବାଟ ଭାଙ୍ଗି ଘରେ ଥିବା କମ୍ପ୍ୟୁଟର ସିପିୟୁ ସହ ଏକ ଏଲ୍ସିଡି ମନିଟର ନେଇ ପଳାଇଥିଲେ। ପରେ ପୁଣି ସନ୍ଧ୍ୟା ୭ଟାରେ ସେହି ଦୁଇ ଚୋର କ୍ବାର୍ଟର୍ସରେ ପଶି ଏକ କଲର ପ୍ରିଣ୍ଟର, ଚେୟାର ଟେବୁଲ ଓ ଅନ୍ୟ ଆସବାବପତ୍ର ନେଇ ପଳାଇଥିଲେ। ସାରଦାଙ୍କ ଜଣେ ସାଙ୍ଗ ରାତି ୮ଟା ବେଳେ କ୍ବାର୍ଟର୍ସକୁ ଆସିବା ପରେ କବାଟ ଓ ଗ୍ରୀଲ୍ ଭାଙ୍ଗିଥିବା ଦେଖି ସାରଦାଙ୍କୁ ଖବର ଦେଇ ପଳାଇଥିଲେ। ରାତି ୯ଟା ବେଳେ ପୁଣି ସେହି ଚୋରମାନେ ପଛ ଗେଟ୍ ଦେଇ କ୍ବାର୍ଟର୍ସରେ ପଶି କିଛି ଆସବାବ ପତ୍ର ନେଇ ଯାଇଛନ୍ତି। ତେବେ ଦୁଇ ଚୋରଙ୍କ କଳା କାରନାମା କ୍ବାର୍ଟର୍ସରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି।
Comments are closed.