Odisha Link
Bridging the Missing Links in Odisha

ଏପର୍ଯ୍ୟନ୍ତ ମୁଁ ଚୁପ୍ ଥିଲି କିନ୍ତୁ ଆଉ ଚୁପ୍ ରହିବିନି: ଅନୁଭବ

ଭୁବନେଶ୍ୱର: ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚା ଳାଗି ରହୁଛି। ଏହାରି ଭିତରେ ଗତକାଲି ସେ ତାଙ୍କ ଫେସବୁକ ଆକାଉଣ୍ଟରେ ଏକ ଭିଡିଓ ଅପଲୋଡ କରିଛନ୍ତି, ଯାହା ଚର୍ଚ୍ଚାର ବିଷୟ ପାଲଟିଛି। ସୋଶାଲ ମିଡିଆରେ ଏକ ଭିଡିଓ ଅପଲୋଡ କରି ସେ ଖୁଲମଖୁଲା ଧମକ ଦେଇଛନ୍ତି।

ବର୍ଷାଙ୍କ ପ୍ରତି ଅନୁଭବଙ୍କ ଫ୍ୟାନ କ୍ଲବ ଫେସବୁକ ପେଜରେ ଖରାପ ମନ୍ତବ୍ୟ ବିରୋଧରେ ସେ ପୁରୀଘାଟ ଥାନାର ଦ୍ୱାରସ୍ଥ ହେବା ପରେ ଜାଗୃତି ଶୁକ୍ଳା ଫେସବୁକରେ ବର୍ଷାଙ୍କୁ ଇଙ୍ଗିତ କରି ଅସନ୍ତୋଷ ଝାଡ଼ିଥିଲେ। ପୁଣି ଅନୁଭବ ଏକ ଭିଡିଓ ପୋଷ୍ଟ କରି କହିଛନ୍ତି ଯଦି କିଏ ତାଙ୍କର ପ୍ରଶଂସକଙ୍କୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରନ୍ତି, ତା ହେଲେ ସେ ଚୁପ ରହିବେନି।

ଅନୁଭବ ତାଙ୍କ ପ୍ରଶଂସକ ଓ ସମର୍ଥକମାନଙ୍କ ପାଇଁ ଆଗକୁ ଆସିଛନ୍ତି ଓ ତାଙ୍କରି ପାଇଁ ଧମକ ଦେଇଛନ୍ତି। ସେ କହିଛନ୍ତି, ଏକ ଗୁରୁତ୍ୱପୂର୍ଣ୍ଣ କଥା କହିବା ପାଇଁ ମୁଁ ଏହି ଭିଡିଓଟି ଶୁଟ୍ କରୁଛି। ପୃଥିବୀରେ ପ୍ରତ୍ୟେକ ମଣିଷ, ସିଏ ଯିଏ ବି ହୁଅନ୍ତୁ ନା କାହିଁକି ତାଙ୍କ ପ୍ରତି ଯଦି କିଏ ଖରାପ ଭାଷାର ବ୍ୟବହାର କରେ ବା ଖରାପ ବ୍ୟବହାର କରେ, ତାହା ଆଦୌ ଗ୍ରହଣୀୟ ନୁହେଁ । ସମସ୍ତଙ୍କୁ ସମାନ ସମ୍ମାନ ମିଳିବାର ହକ ରହିଛି।

https://www.facebook.com/watch/?v=715437949407658

ଯଦି ଆମ ଜୀବନରେ ଜଣେ ମଣିଷକୁ ଭଲ ପାଉ ତେବେ ପ୍ରତ୍ୟେକ ସମୟରେ ତାଙ୍କ ଭଲ ମନ୍ଦରେ ଛିଡା ହେଉ। ସେଭଳି ହିଁ ମୋର ଏକ ବହୁତ ବଡ଼ ପରିବାର ରହିଛି, ଆଉ ସେହି ପରିବାର ହେଉଛନ୍ତି ମୋର ଅଗଣିତ ଫ୍ୟାନ ଓ ସମର୍ଥକ। ତାଙ୍କ ପ୍ରତି ମୋର ଅଗାଢ଼ ଭଲ ପାଇବା ରହିଛି। ମୋର ସବୁ ଦୁଃଖସୁଖରେ ସେମାନେ ଠିଆ ହୋଇଥାନ୍ତି। ଉଭୟ ନେତା ଓ ଅଭିନେତା ହିସାବରେ ମୋର ଫ୍ୟାନମାନେ ମୋତେ ବହୁତ ଭଲ ପାଇବା ଦେଇଛନ୍ତି। ତେଣୁ ମୋତେ କ୍ଷତି ପହଞ୍ଚାଇବା ପାଇଁ ବା ମୋତେ ହଇରାଣ କରିବା ପାଇଁ ଯଦି ମୋ ଫ୍ୟାନ ବା ସମର୍ଥକଙ୍କ ବ୍ୟବହାର କରାଯାଏ, ତେବେ ମୁଁ ଏହାକୁ ଆଦୌ ଗ୍ରହଣ କରିବି ନାହିଁ।

ଅନୁଭବ ଆହୁରି କହିଛନ୍ତି, ଯାହାଙ୍କ ଲଢ଼େଇ ମୋ ସହ ରହିଛି ସେମାନେ ମୋ ସହ ଲଢ଼ନ୍ତୁ। ମୋ ଫ୍ୟାନମାନଙ୍କ ସହ ନୁହେଁ । ମୋ ଫ୍ୟାନ ଏବଂ ମୋ ସମର୍ଥକମାନେ ହେଉଛନ୍ତି ମୋ ପରିବାର। ତେଣୁ ସେମାନଙ୍କୁ କ୍ଷତି ପହଞ୍ଚାଇଲେ ମୁଁ ଚୁପ୍‌ ରହିବି ନାହିଁ। ଏପର୍ଯ୍ୟନ୍ତ ମୁଁ ଚୁପ ଥିଲି କିନ୍ତୁ ବହୁତ ହୋଇଗଲା ଆଉ ଚୁପ ରହି ହେବନି। କାରଣ ଏବେ ମୋ ପରିବାର ଉପରେ ଆଙ୍ଗୁଠି ଉଠିଲାଣି। ମୁଁ ମୋ ପରିବାର ଏବଂ ଫ୍ୟାନମାନଙ୍କ ପାଇଁ ଅଲବତ ଛିଡା ହେବି। ମୋ ପରିବାର ମୋ ପାଇଁ ସମସ୍ତଙ୍କ ଠାରୁ ଉପରେ। ଯେକୌଣସି ପରିସ୍ଥିତି ଆସିଲେ ବି ମୋର ସାହାସ ଅଛି ତାକୁ ସାମ୍ନା କରିବା ପାଇଁ। ତେଣୁ ଦୟାକରି ମୋର ପରିବାରକୁ ମୋର ବ୍ୟକ୍ତିଗତ ଲଢ଼େଇ ଭିତରକୁ ଟାଣନ୍ତୁ ନାହିଁ ବୋଲି ଭିଡିଓ ବାର୍ତ୍ତାରେ କହିଛନ୍ତି।

Comments are closed.