Odisha Link
Bridging the Missing Links in Odisha

ଖାଦ୍ୟ ସୁରକ୍ଷା ସୂଚକାଙ୍କ ୧୩ ନମ୍ବରରେ ଓଡ଼ିଶା

ଭୁବନେଶ୍ୱର: ଖାଦ୍ୟ ସୁରକ୍ଷା ଦିଗରେ ଓଡ଼ିଶାକୁ ଆଉ ପାଦେ ସଫଳତା। ଗତ ବର୍ଷ ଖାଦ୍ୟ ସୁରକ୍ଷା ସୂଚକାଙ୍କରେ ଓଡ଼ିଶାର ସ୍ଥାନ ୨୬ ଥିବା ବେଳେ ୨୦୧୯-୨୦ରେ ଏହା ୧୩ ନମ୍ବରରେ ପହଞ୍ଚିଛି। ଖାଦ୍ୟ ସୁରକ୍ଷା ଦିଗରେ ଓଡ଼ିଶାର ଏଭଳି ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି। ଲୋକସେବା ଭବନରେ ଆୟୋଜିତ ଭର୍ଚୁଆଲ ବୈଠକ ପରେ ଏହି ସୂଚନା ମିଳିଛି। ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ସୁରକ୍ଷା କମିଶନର୍ ଯାମିନୀ ଷଡ଼ଙ୍ଗୀ।

ଏନେଇ ଅଗ୍ରଗତିର ସମୀକ୍ଷା କରି ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ କହିଛନ୍ତି, ଆଗକୁ ଆହୁରି ସତର୍କ ଏବଂ ସଚେତନ ରହିବାକୁ ପଡ଼ିବ। ଜନସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଏଫବିଓକୁ ଖାଦ୍ୟ ନିରାପତ୍ତା ଦିଗରେ ଲୋକଙ୍କୁ ଆହୁରି ସଚେତନ କରିବାକୁ ହେବ। ଖାଦ୍ୟ ନିରାପତ୍ତା ନେଇ ତଦାରଖ ବ୍ୟବସ୍ଥାକୁ ଆହୁରି ମଜବୁତ କରିବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି। ଖାଦ୍ୟ ସୁରକ୍ଷା ଗବେଷଣାକୁ ଆହୁରି ତ୍ୱରାନ୍ୱିତ କରିବାକୁ ହେବ, ଖାଦ୍ୟ ପରୀକ୍ଷଣ ଲାବୋରେଟୋରୀ ସଂଖ୍ୟା ବୃଦ୍ଧି ସାଙ୍ଗକୁ ଖାଦ୍ୟ ପରୀକ୍ଷଣରେ ଘରୋଇ ଲ୍ୟାବକୁ ସାମିଲ କରିବା ଇତ୍ୟାଦି ଦିଗ ଉପରେ ବୈଠକରେ ଆଲୋଚନା କରାଯାଇଛି।

ତେବେ FBO ର ପଞ୍ଜିକରଣ ଏବଂ ଲାଇସେନ୍ସ ପାଇଁ ଅନ୍‌ଲାଇନ୍ ବ୍ୟବସ୍ଥା ଆରମ୍ଭ ହୋଇସାରିଛି। ଏହାଦ୍ୱାରା ରାଜସ୍ୱ ବୃଦ୍ଧି ପାଇବ ବୋଲି କମିଶନର ଯାମିନୀ ଷଡ଼ଙ୍ଗୀ କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ୨୦୧୯-୨୦ ଖାଦ୍ୟ ବର୍ଷରେ ରାଜସ୍ୱ ଉତ୍ପାଦନ ୭.୭୦ କୋଟିକୁ ବୃଦ୍ଧି ପାଇଛି। ୨୦୧୮-୧୯ ଖାଦ୍ୟ ବର୍ଷରେ ଏହା ୨.୧୮ରେ ରହିଥିଲା। ଏଥିରୁ ସ୍ପଷ୍ଟ ଯେ, ଗୋଟିଏ ବର୍ଷରେ ପ୍ରାୟ ୮୨% ରାଜସ୍ୱ ଉତ୍ପାଦନ ବୃଦ୍ଧି ପାଇଛି।

ଖାଲି ସେତିକି ନୁହେଁ ରାଜ୍ୟରେ ପଞ୍ଜିକୃତ ତଥା ଲାଇସେନ୍ସ ପ୍ରାପ୍ତ FBO ସଂଖ୍ୟାରେ କ୍ରମାଗତ ଚାରି ବର୍ଷ ହେବ ବୃଦ୍ଧି ଘଟିଛି। ୨୦୧୬-୧୭ରେ ପଞ୍ଜିକୃତ FBO ସଂଖ୍ୟା ୫୦୨୬ ରହିଥିବା ବେଳେ ୨୦୧୭-୧୮ରେ ଏହା ୨୫୮୨୨କୁ ବୃଦ୍ଧି ପାଇଛି। ସେହିଭଳି ୨୦୧୮-୧୯ରେ ବର୍ଷରେ ୩୬୬୨୨କୁ ମଧ୍ୟ ଏହା ବୃଦ୍ଧି ପାଇଛି। ତେବେ ୨୦୧୯-୨୦ରେ ଏହା ରେକର୍ଡ ସଂଖ୍ୟକ ବୃଦ୍ଧି ପାଇ ୫୭୮୨୭ରେ ପହଞ୍ଚିଛି ବୋଲି ଶ୍ରୀମତି ଷଡ଼ଙ୍ଗୀ କହିଛନ୍ତି।

 

 

 

Comments are closed.