Odisha Link
Bridging the Missing Links in Odisha

ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟେଷ୍ଟ: ଟସ୍ ଜିତି ଟିମ୍ ଇଣ୍ଡିଆର ବ୍ୟାଟିଂ ନିଷ୍ପତ୍ତି

ଆଡିଲେଡ୍‌: ସୀମିତ ଓଭର ସିରିଜ୍ ପରେ ବହୁ ପ୍ରତୀକ୍ଷିତ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜ୍‌ ଆଜି ଠାରୁ ଆରମ୍ଭ ହେଉଛି। ମ୍ୟାଚ୍ ପୂର୍ବରୁ ଟସ୍ ଜିତିଛି ଭାରତ। ଭାରତୀୟ ଅଧିନାୟକ ବିରାଟ କୋହଲି ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି।

୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଦିବାରାତ୍ର ହେବ ଏବଂ ଗୋଲାପି ବଲ୍‌ରେ ଖେଳାଯିବ। ଦିନିକିଆ ସିରିଜ୍‌ରେ ଅଷ୍ଟ୍ରେଲିଆ ୨-୧ରେ ଜିତିଥିବା ବେଳେ ଟ୍ବେଣ୍ଟି୨୦ ସିରିଜ୍‌କୁ ଭାରତ ସମାନ ବ୍ୟବଧାନରେ ଜିତିଥିଲା। ଟେଷ୍ଟ ସିରିଜ୍‌ରେ ଉଭୟ ଦଳଙ୍କର ଅସଲ ଶକ୍ତିପରୀକ୍ଷା ହେବ। ଶେଷଥର ୨୦୧୮-୧୯ରେ ଉଭୟ ଦଳଙ୍କ ମଧ୍ୟରେ ଟେଷ୍ଟ ସିରିଜ୍ ଖେଳା ଯାଇଥିବା ବେଳେ ଏସିଆର ପ୍ରଥମ ଦଳ ଭାବେ ବିରାଟ କୋହଲିଙ୍କ ଭାରତୀୟ ଦଳ ଅଷ୍ଟ୍ରେଲିଆ ମାଟିରେ ସିରିଜ୍ (୨-୧) ଜିତି ପାରିଥିଲା।

ଅଷ୍ଟ୍ରେଲିଆ ଦଳ​‌ରେ ଜୋସ୍ ହାଜେଲ୍‌ଉଡ୍‌, ବିଶ୍ବର ୧ନଂ ଟେଷ୍ଟ ବୋଲର ପ୍ୟାଟ୍‌ କମିନ୍‌ସ ଓ ମିଚେଲ ଷ୍ଟାର୍କ ରହିଛନ୍ତି। ଭାରତୀୟ ଦଳରେ ଯଶପ୍ରୀତ ବୁମ୍‌ରା, ମହମ୍ମଦ ସାମି ଓ ଉମେଶ ଯାଦବଙ୍କ ଭଳି ଫାଷ୍ଟବୋଲର ଅଛନ୍ତି। ୪ର୍ଥ ବୋଲର ଭାବେ ଅଷ୍ଟ୍ରେଲିଆ ଅଫ୍‌ସ୍ପିନର ନାଥାନ୍ ଲାୟନ୍‌ଙ୍କୁ ଏବଂ ଭାରତ ରବିଚନ୍ଦ୍ରନ ଅଶ୍ବିନଙ୍କୁ ସ୍ଥାନ ମିଳିଛି।

ଆଡିଲେଡ୍‌ରେ ଅଷ୍ଟ୍ରେଲିଆ ମୋଟ୍‌ ୪ଟି ଦିବା/ରାତ୍ର ଟେଷ୍ଟ ଖେଳିଛି। ୨୦୧୫ରେ ଅନୁଷ୍ଠିତ ପ୍ରଥମ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ ୩ ୱିକେଟ୍‌ରେ ହରାଇଥିଲା। ଏହାପରେ ୨୦୧୬ରେ ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ୭ ୱିକେଟ୍‌ରେ , ୨୦୧୭ରେ ଆଡିଲେଡ୍‌ ଗ୍ରାଉଣ୍ଡ୍‌ରେ ଇଂଲଣ୍ଡକୁ ୧୨୦ ରନ୍‌ ଓ ୨୦୧୯ରେ ପାକିସ୍ତାନକୁ ଇନିଂସ ଓ ୪୮ ରନ୍‌ରେ ମାତ୍ ଦେଇଥିଲା। ଦିବା/ରାତ୍ର ଟେଷ୍ଟରେ ଅଭିଜ୍ଞ ପେସ୍‌ ବୋଲର ମିଚେଲ ଷ୍ଟାର୍କଙ୍କ ପ୍ରଦର୍ଶନ ବେଶ୍‌ ଆକର୍ଷଣୀୟ ରହିଛି। ସେ ୭ଟି ଦିବା/ରାତ୍ର ଟେଷ୍ଟ ଖେଳି ମୋଟ୍‌ ୪୨ଟି ୱିକେଟ୍‌ ଅକ୍ତିଆର କରିସାରିଛନ୍ତି। ତେବେ ପ୍ରଥମ ଟେଷ୍ଟ ମ୍ୟାଚରେ ବର୍ଷା ସମ୍ଭାବନା ମଧ୍ୟ ରହିଛି ।

Comments are closed.