ଏନସିବି ନୋଟିସର ଜବାବ ଦେଲେ କରଣ

ମୁ୍ମ୍ବାଇ: ବଲିଉଡ଼ରେ ଡ୍ରଗ୍ସ କାରବାର ଗୁମର ଧିରେ ଧିରେ ଖୋଲିବା ଲାଗିଥିବା ବେଳେ ଦିନକୁ ଦିନ ଅନେକ ସେଲିବ୍ରେଟିଙ୍କ ନାଁ ବାହାରିବାରେ ଲାଗିଛି। ତେବେ ଗୁରୁବାର ଦିନ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ସିନେ ନିର୍ମାତା କରଣ ଜୋହର ନୋଟିସ ପଠାଇଥିଲା।
ସେ ନୋଟିସର ଜବାବ ଦେଇ କହିଛନ୍ତି, ଯେଉଁ ପାର୍ଟିର ଭିଡିଓ ବିଷୟରେ କଥା ଉଠିଛି, ସେଥିରେ କୌଣସି ପ୍ରକାର ଡ୍ରଗ୍ସ ବ୍ୟବହାର କରାଯାଇ ନାହିଁ। ଏଥିସହିତ କରଣ ଜୋହର ଏନସିବିକୁ ଏହି ପାର୍ଟି ସମ୍ବନ୍ଧିତ ଆଉ ଏକ ଭିଡିଓ ପଠାଇଥିଲେ ଯାହାକି ସୋସିଆଲ ମିଡିଆରେ ମହଜୁଦ ନାହିଁ। ସେ ତାଙ୍କ ଜବାବରେ ଅଟଳ ରହିଛନ୍ତି। କରଣ ଜୋହର ତାଙ୍କ ଓକିଲଙ୍କ ମାଧ୍ୟମରେ ଆଜି ସକାଳେ ଏନସିବି ନୋଟିସର ଜବାବ ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ, ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ବଲିଉଡରେ ଡ୍ରଗ୍ସ କାରବାର ସହିତ ଜଡ଼ିତ ଥିବା ଖବର ସାମ୍ନାକୁ ଆସିଥିଲା। ବଡ଼ ବଡ଼ ଅଭିନେତା-ଚଳଚ୍ଚିତ୍ର ନିର୍ମାତା ଏବଂ ନିର୍ଦ୍ଦେଶକ ଏଥିରେ ସମ୍ପୃକ୍ତ ଥିବା ଜଣାପଡ଼ିଥିଲା।
ଏହି ଘଟଣାର ଅନୁସନ୍ଧାନ କରୁଥିବା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ସେଲିବ୍ରିଟିମାନଙ୍କୁ କ୍ରମାଗତ ଭାବେ ପଚରାଉଚରା ଜାରି ରଖିଛି। ଏନସିବି ନିର୍ଦ୍ଦେଶକ କରଣ ଜୋହରଙ୍କୁ ଏ ସମ୍ପର୍କରେ ଏକ ନୋଟିସ ପଠାଇଥିଲା ଏବଂ ତାଙ୍କ ଘରେ ଆୟୋଜିତ ପାର୍ଟିର ଭାଇରାଲ ଭିଡିଓର ଜବାବ ମାଗିଥିଲା। ତେବେ ଭାଇରାଲ ଭିଡିଓକୁ କରଣ ଜୋହର ନିଜେ ତାଙ୍କ ସୋସିଆଲ ମିଡିଆରେ ସେୟାର କରିଥିଲେ।