Odisha Link
Bridging the Missing Links in Odisha

ବାର୍ଡ ଫ୍ଲୁ ପାଇଁ ୧୫ ଦିନ ବନ୍ଦ ରହିବ ଚିକେନ ଓ ଅଣ୍ଡା ଦୋକାନ

ଭୋପାଳ: ଡ଼ରେଇଲାଣି ବାର୍ଡ ଫ୍ଲୁ। ଏବେ ବିଭିନ୍ନ ରାଜ୍ୟରେ ବାର୍ଡ ଫ୍ଲୁ ଆତଙ୍କ ଦେଖାଦେଲାଣି। କେରଳ ଠାରୁ ଆରମ୍ଭ କରି ମଧ୍ୟପ୍ରଦେଶ, ଗୁଜରାଟ, ରାଜସ୍ଥାନ ଓ ହିମାଚଳ ପ୍ରଦେଶରେ ଶହଶହ ସଂଖ୍ୟାରେ ପକ୍ଷୀଙ୍କ ଶରୀରରୁ ବାର୍ଡ ଫ୍ଲୁ ଭୂତାଣୁ ଠାବ ହୋଇଛି। ଏଥିପାଇଁ ବିଭିନ୍ନ ରାଜ୍ୟ ସରକାରମାନେ ହାଇଆଲର୍ଟ ଜାରି କରିଛନ୍ତି।

ମଧ୍ୟପ୍ରଦେଶରେ ଶହଶହ କାଉଙ୍କ ମୃତଦେହ ମିଳିଛି। ସେମାନଙ୍କ ନମୁନା ପରୀକ୍ଷା କରାଯିବା ବେଳେ ଅଧିକାଂଶ କାଉ ବାର୍ଡ ଫ୍ଲୁ ଯୋଗୁ ପ୍ରାଣ ହରାଇଥିବା ଜଣାପଡ଼ିଛି। ଏହାକୁ ଦୃଷ୍ଟିରେ ରଖି ମଧ୍ୟ ମଧ୍ୟପ୍ରଦେଶର ମଣ୍ଡସୌର ପ୍ରଶାସନ ଆସନ୍ତା ୧୫ ଦିନ ପାଇଁ ଏଠାରେ ଥିବା ସମସ୍ତ ଚିକେନ ଓ ଅଣ୍ଡା ଦୋକାନ ଗୁଡ଼ିକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ବର୍ତ୍ତମାନ ସୁଦ୍ଧା କେବଳ ମଣ୍ଡସୌରରେ ୧୦୦ଟି କାଉ ପ୍ରାଣ ହରାଇ ସାରିଲେଣି। ସ୍ଥିତି ବିଗିଡ଼ିବାର ଆଶଙ୍କା ଥିବାରୁ ଇନ୍ଦୋରରେ କଣ୍ଟ୍ରୋଲ ରୁମ ତିଆରି କରାଯାଇଛି। ଡିସେମ୍ବର ୨୩ରୁ ଜାନୁଆରୀ ୩ ମଧ୍ୟରେ ଇନ୍ଦୋରରେ ୧୪୨ଟି, ମଣ୍ଡସୌରରେ ୧୦୦ଟି, ଅଗର-ମାଲୱାରେ ୧୧୨, ଖାରଗୋନରେ ୧୩ ଓ ୯ଟି କାଉ ଶେହୋରେ ପ୍ରାଣ ହରାଇଛନ୍ତି।

ଅନ୍ୟପକ୍ଷରେ କେରଳ ସରକାର ବାର୍ଡ ଫ୍ଲୁକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରିଛନ୍ତି। କୋଟାୟମ ଓ ଅଲଫୁଜ ଜିଲ୍ଲାର କିଛି ଅଞ୍ଚଳରେ ବାର୍ଡ ଫ୍ଲୁ ଠାବ ହେବା ପରେ ସରକାର ଏଭଳି ଘୋଷଣା କରିଛନ୍ତି। ଏଥିପାଇଁ ସରକାର ବତକ, କୁକଡ଼ା ଓ ଅନ୍ୟ ଗୃହ ପାଳିତ ପକ୍ଷୀଙ୍କୁ ମାରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଭୂତାଣୁ ଠାବ ହୋଇଥିବା ଅଞ୍ଚଳର ୧ କେମି ପରିଧି ମଧ୍ୟରେ ଥିବା ସମସ୍ତ ବତକ ଓ କୁକୁଡ଼ାଙ୍କୁ ମାରିବାକୁ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି।

Comments are closed.