Odisha Link
Bridging the Missing Links in Odisha

ପୋଲିସ ଝିଅକୁ ବାପାଙ୍କ ସାଲ୍ୟୁଟ

ନୂଆଦିଲ୍ଲୀ: ଯେଉଁ ଝିଅକୁ ଦିନେ ବାପା କୋଳେଇ କାଖେଇ ମଣିଷ କରିଥିଲେ, ଆଜି ସେହି ବାପା ଆଗରେ ବଡ ଅଫିସର ହୋଇ ଛିଡା ହୋଇଛି ଝିଅ । ଆଉ ଗର୍ବର ସହ ନିଜ ଝିଅକୁ ସାଲ୍ୟୁଟ ମାରୁଛନ୍ତି ବାପା। ଏମିତି ଏକ ଘଟଣା ଘଟିଛି ଆନ୍ଧ୍ର ପ୍ରଦେଶରେ। ଆନ୍ଧ୍ରର ୱାଇ ଶ୍ୟାମ ସୁନ୍ଦର ସର୍କଲ ଇନ୍ସପେକ୍ଟର ଭାବେ କାର୍ଯ୍ୟରତ। ଆଉ ତାଙ୍କ ଝିଅ ହେଉଛନ୍ତି ଜେସି ପ୍ରଶାନ୍ତି। ନିଜ ବାପାଙ୍କୁ ଅନୁସରଣ କରି ଝିଅ ମଧ୍ୟ ପୋଲିସ ବିିଭାଗରେ ଯିବାକୁ ନିଷ୍ପତ୍ତି ନେଇଥିଲା। ଆଉ ପରିଶ୍ରମ କରି ପୋଲିସ ବିଭାଗରେ ଭର୍ତ୍ତି ମଧ୍ୟ ହୋଇଛନ୍ତି।

ହେଲେ ଏବେ ଝିଅ ବାପାଙ୍କଠାରୁ ଆଉ ଗୋଟିଏ ପାଦ ଆଗରେ ରହିଛନ୍ତି। ବାପା ଇନ୍ସପେକ୍ଟର ହେଲେ ଝିଅ ଡିଏସପି ଭାବେ ନିଯୁକ୍ତି ପାଇଛନ୍ତି। ଜାନୁଆରୀ ୩ ତାରିଖରେ ଆନ୍ଧ୍ର ପ୍ରଦେଶ ପୋଲିସ ତରଫରୁ ତିରୁପତିରେ ପୋଲିସ ଡ୍ୟୁଟି ମିଟ୍ ୨୦୨୧ର ଆୟୋଜନ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ଡିଜିପି ଗୌତମ ସାୱାଙ୍ଗ। ଏହି ମିଟ୍ ଜରିଆରେ ସାମ୍ନାସାମ୍ନି ହୋଇଥିଲେ ଡିଏସପି ଝିଅ ଓ ଇନ୍ସପେକ୍ଟର ବାପା।

ବଡ଼ ଅଫିସର ଭାବେ ଝିଅକୁ ଦେଖି ବାପାର ଛାତି କୁଣ୍ଢେମୋଟ ହୋଇଯାଇଥିଲା। ଆଉ ଝିଅର ସଫଳତା ଦେଖି ବାପାର ଆଖିରେ ଖୁସିର ଲୁହ ମଧ୍ୟ ଚାଲିଆସିଥିଲା। ବାପା-ଝିଅଙ୍କର ଏହି ହୃଦୟ ଛୁଆଁ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପ୍ରଶାନ୍ତି ୨୦୧୮ ବ୍ୟାଚର ପୋଲିସ ଅଧିକାରୀ। ବର୍ତ୍ତମାନ ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ସହରରେ ଡିଏସପି ଭାବେ କାର୍ଯ୍ୟରତ। ସେହିପରି ତାଙ୍କ ବାପା ଶ୍ୟାମ ସୁନ୍ଦର କଲ୍ୟାଣୀ ଡ୍ୟାମ ପୋଲିସ ପ୍ରଶିକ୍ଷଣ କେନ୍ଦ୍ରରେ ସର୍କଲ ଇନ୍ସପେକ୍ଟର ଭାବେ କାର୍ଯ୍ୟରତ ଅଛନ୍ତି।

ତେବେ ବାପା ସିନା ବଡ ଅଫିସର ବୋଲି ଝିଅକୁ ସଲ୍ୟୁଟ କରିଥିଲେ। ହେଲେ ଝିଅ ବି ଭୁଲି ନଥିଲା ସଂସ୍କାର। ପ୍ରଶାନ୍ତି ମଧ୍ୟ ନିଜ ବାପାଙ୍କୁ ସାଲ୍ୟୁଟ ମାରିବା ସହ ବାପାଙ୍କ ଆଶୀର୍ବାଦ ନେଇଥିଲେ। ଏହାସହ ନିଜ ସଫଳତାର ସବୁ ଶ୍ରେୟ ନିଜ ବାପାଙ୍କୁ ଦେଇଥିଲେ।

Comments are closed.