Odisha Link
Bridging the Missing Links in Odisha

ସୁଶାନ୍ତ ସିଂହଙ୍କୁ ନେଇ ପୁଣି ରାଜନୀତି: ଦିଲ୍ଲୀରେ ମାର୍ଗ ନାମକରଣ

ସୁଶାନ୍ତ ସିଂହ ରାଜପୁତ ଜଣେ ଉଚ୍ଚକୋଟିର ଅଭିନେତା ଥିଲେ, ଏଥିରେ ଦ୍ବିମତ ନାହିଁ। ତାଙ୍କ ମୃତ୍ୟୁ ମାମଲା ବିଚାରାଧୀନ ଓ ସେ ନ୍ୟାୟ ପାଆନ୍ତୁ ବୋଲି ଦେଶବାସୀ ଚାହାନ୍ତି, ଏ କଥା ସତ୍ୟ।

ତେବେ ନିୟମିତ ଡ୍ରଗ୍ସ ନେଉଥିବା, ମାନସିକ ସନ୍ତୁଳନ ପାଇଁ ସାଇକୋଟ୍ରପିକ୍‌ ଔଷଧ ସେବନ କରୁଥିବା ଓ କୌଣସି କାରଣରୁ ଗୋଟିଏଦୁଇ ଦୁଇ ଜଣ ପ୍ରେମିକାଙ୍କ ସହ ମନେମାଳିନ୍ୟ ହେବା ନେଇ ନେଇ ଚର୍ଚ୍ଚାରେ ଥିବା ସୁଶାନ୍ତଙ୍କୁ ମହାପୁରୁଷ ଆସନରେ ବସାଇବା ଯେତିକି ହାସ୍ୟାସ୍ପଦ ତାହାଠାରୁ ଅଧିକ ବିଡ଼ମ୍ବନାର ବିଷୟ, ତାଙ୍କୁ ରାଜନୈତିକ ଫାଇଦା ପାଇଁ ବ୍ୟବହାର କରାଯିବା। ବିହାର ନିର୍ବାଚନ ପୂର୍ବରୁ ସୁଶାନ୍ତଙ୍କୁ ଅସ୍ତ୍ର କରିବାର ବିଫଳ ଉଦ୍ୟମ କରାଯାଇଥିଲା। ଏବେ ଦିଲ୍ଲୀରେ ଗୋଟିଏ ରାସ୍ତାକୁ ଏବେ ସୁଶାନ୍ତଙ୍କ ନାମରେ ନାମିତ କରିବା ପ୍ରସ୍ତାାବକୁ ନୂଆଦିଲ୍ଲୀ ମୁନିସପାଲ କର୍ପୋରେସନ୍‌ ଅନୁମୋଦନ କରିଛି।

ଦେଶରେ କିଛି ହେଉ ବା ନ ହେଉ, ଏ ନାମ ପୁନଃକରଣ ବ୍ୟାପାରେର ଆମ ସରକାର ବାହାଦୂରମାନେ ଏଇ କିଛି ବର୍ଷ ହେଲା ବେଶ୍‌ ତତ୍ପର। ଉତ୍ତରପ୍ରଦେଶରେ ମୁଗଲସରାଇ ଷ୍ଟେସନ୍‌କୁ ଦୀନଦୟାଲ ଉପାଧ୍ୟାୟଙ୍କ ନାମରେ (ଶାସ୍ତ୍ରୀଜୀଙ୍କ ନାମରେ କରାଯାଇଥିଲେ ଅଧିକ ଯୁକ୍ତିସଙ୍ଗତ ଲାଗିଥାଆନ୍ତା) ନାମିତ କରିବା ହେଉ ଅଥବା ଓଡ଼ିଶାରେ ଅଭିମନ୍ୟୁ ସାମନ୍ତସିଂହାର ମାର୍ଗକୁ ମଦର ଟେରେସାଙ୍କ ନାମରେ ନାମିତ କରିବା ହେଉ, ଏ ସବୁରେ ଜନତାଙ୍କର କିଛି ଲାଭ ହେଉ ବା ନହେଉ ସଂପୃକ୍ତ ସରକାରମାନେ ରାଜନୈତିକ ଫାଇଦା ପାଉଛନ୍ତି।

ଗତବର୍ଷ ସୁଶାନ୍ତଙ୍କ ମୃତ୍ୟୁର ତାଓ୍ବାରେ ନିଜର ରାଜନୈତିକ ରୋଟି ସେକିବାରେ ବିଫଳ ବିଜେପି ସରକାର ଏବେ ଦିଲ୍ଲୀ ନିର୍ବାଚନ ପୂର୍ବରୁ ପୁଣି ଥରେ ସୁଶାନ୍ତଙ୍କୁ ବ୍ୟବହାର କରିବାକୁ ଉଦ୍ୟମ ଆରମ୍ଭ କରିଛି। ବିଜେପି ଶାସିତ ଦିଲ୍ଲୀ ପୌର ନିଗମ ସୁଶାନ୍ତଙ୍କ ନାମରେ ଏକ ରାସ୍ତାର ନାମକରଣକୁ ସ୍ବୀକୃତି ଦେଇଛି। ସୁଶାନ୍ତଙ୍କ ଠାରୁ ବହୁ ଯୋଗ୍ୟ ବ୍ୟକ୍ତି ଦେଶରେ ଥାଉ ଥାଉ ସରକାର ଏହା ଦ୍ବାରା କି ବାର୍ତ୍ତା ଦେବାକୁ ଚାହୁଛନ୍ତି ବୁଝାପଡ଼ୁନାହିଁ।

ଯଦି ସୁଶାନ୍ତଙ୍କ ନାମରେ ରାସ୍ତାଟିଏ ନାମିତ ହେଉଛି ତେବେ ସରକାର ସେ ରାସ୍ତା କଡ଼ରେ ଡ୍ରଗ୍ସ ସେବନକୁ ବୈଧ କରିଦିଅନ୍ତୁ ଓ ଅବିବାହିତ ପ୍ରେମିକପ୍ରେମିକାଙ୍କ ଲାଗି ସ୍ବତନ୍ତ୍ର ପିଣ୍ଡିର ବ୍ୟବସ୍ଥା କରନ୍ତୁ। ସେ ରାସ୍ତାରେ ମାନସିକ ସନ୍ତାପରେ ଥିବା ବ୍ୟକ୍ତିଙ୍କ ଲାଗି ଔଷଧ ଦୋକାନର ବ୍ୟବସ୍ଥା କରାଯାଉ ଓ ରିହାତି ଦରରେ ତାହା ଯୋଗାଇ ଦିଆଯାଉ।

ପରଦାରେ ନାୟକମାନେ ଯେ ଅର୍ଥ ପାଇଁ ଅଭିନୟ କରନ୍ତି ଓ ସେମାନଙ୍କର ବ୍ୟକ୍ତିଗତ ଜୀବନ ସହ ପରଦା ଚରିତ୍ରର କୌଣସି ସମ୍ପର୍କ ନାହିଁ, ଏ କଥା ଦର୍ଶକ ୭୦-୮୦ ଦଶକ ଯାଏଁ ହେଜି ପାରୁନଥିଲେ; ଦୁଃଖ ସରକାର ଏଯାଏଁ ହେଜିନାହାନ୍ତି।

ସୁଶାନ୍ତଙ୍କ ପ୍ରତି ମୋର ଶ୍ରଦ୍ଧା ରହିଛି। କିନ୍ତୁ ମଣିଷ ମରିଗଲା ପରେ ତାଙ୍କୁ ମହାପୁରୁଷର ଆସନ ଦେବାର ଏଭଳି ହୀନ ରାଜନୀତିକୁ ମୁଁ ବିରୋଧ କରୁଛି। ଆମ ଦେଶରେ ଜୀବିତ ଅବସ୍ଥାରେ ଅବହେଳାର ଚରମ ଶିକାର ପାଲଟିଥିବା ମଣିଷ ବି ମୃତ୍ୟୁପରେ ସମବେଦନା ଓ ସହାନୁଭୂତି ପାଇବା ସହ ରାତାରାତି ମହାପୁରୁଷ ପାଲଟିଯିବାର ଉଦାହରଣ କିଛି କମ ନାହିଁ। ବରଂ ଦେହଜହ୍ଲାଦଙ୍କ ହାତରେ ପ୍ରାଣ ହରାଇଥିବା ନିର୍ଭୟାଙ୍କ ନାମରେ ରାସ୍ତାଟିଏ ନାମକରଣ ହେଉ ଅଥବା ଜୀବିତ ଅବସ୍ଥାରେ ଗରିବଙ୍କ ଦେବଦୂତ ସାଜିଥିବା ଅନ୍ୟତମ ଅଭିନେତା ସୋନୁ ସୁଡ୍‌ଙ୍କ ନାମରେ ରାସ୍ତାଟିଏ ପୁନଃନାମିତ କରାଗଲେ ଅଧିକ ଯୁକ୍ତିଯୁକ୍ତ ଲାଗିବ।

Comments are closed.