ମାହାଙ୍ଗା ମର୍ଡର ଘଟଣା: ମୁଖ୍ୟ ଅଭିଯୁକ୍ତ ମୃତ

କଟକ: ମାହାଙ୍ଗା ଡବଲ ମର୍ଡର ଘଟଣା ଏବେ ନୂଆ ମୋଡ଼ ନେଇଛି। ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ୱାଳଙ୍କ ମୃତଦେହ ଉଦ୍ଧାର। ଟାଙ୍ଗୀ ଅଞ୍ଚଳରୁ ପ୍ରଫୁଲ୍ଲଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ। ନିର୍ମାଣଧୀନ ଟୋଲ ଗେଟ ନିକଟରୁ ପ୍ରଫୁଲ୍ଲଙ୍କ ମୃତଦେହ ମିଳିଥିବା ବେଳେ ଟ୍ରକ ଚାପାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଗତକାଲି ବିଳମ୍ବିତ ରାତିରେ ଏଭଳି ଦୁର୍ଘଟଣା ହୋଇଛି। ତେବେ ଏହା ଦୁର୍ଘଟଣା ନା ସୁପରିକଳ୍ପତି ହତ୍ୟାକାଣ୍ଡ ସେନେଇ ତଦନ୍ତ ଆରମ୍ଭ କରିଛି ପୋଲିସ ।
ସୂଚନାଯୋଗ୍ୟ ଯେ, ମାହାଙ୍ଗା ଡବଲ ମର୍ଡର ଘଟଣା ପରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ପ୍ରଫୁଲ୍ଲ ବିଶ୍ୱାଳ ଗତ କିଛିଦିନ ହେବ ଫେରାର ହୋଇ ଯାଇଥିଲା। ଆଉ ହଠାତ୍ ଗତକାଲି ରାତିରେ ଟାଙ୍ଗୀ ଅଞ୍ଚଳରୁ ତାଙ୍କର ମୃତଦେହ ଉଦ୍ଧାର କରାଯିବାକୁ ନେଇ ରାଜନୀତି ତେଜିଛି। ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ବିଜେପି ଦାବି କରିଛି।
ମାହାଙ୍ଗା ଡବଲ ମର୍ଡର ଘଟଣାର ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲଙ୍କ ପାଖରେ ପୋଲିସ ପହଞ୍ଚି ପାରୁନଥିବା ବେଳେ ଏବେ ପ୍ରଫୁଲ୍ଲଙ୍କ ମୃତ୍ୟୁ ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। କାରଣ ପ୍ରଫୁଲ୍ଲଙ୍କ ମୃତ୍ୟୁ ସହ ମାହାଙ୍ଗା ମର୍ଡର ମାମଲା ରହସ୍ୟ ଭିତରକୁ ଠେଲି ହୋଇଯାଇଛି। ପୂର୍ବରୁ ଏହି ଘଟଣାରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମ୍ପୃକ୍ତି ନେଇ ସାଂଘାତିକ ଅଭିଯୋଗ ଆଣିଥିଲା ବିଜେପି।