Odisha Link
Bridging the Missing Links in Odisha

‘କୋରାପୁଟ ସାହିତ୍ୟ ଉତ୍ସବ’ ପାଇବ ପ୍ରବାସୀ ଭାଷା ସମ୍ମାନ ୨୦୨୧

ଭୁବନେଶ୍ବର: ନୂଆଦିଲ୍ଲୀ ସ୍ଥିତ ଓଡ଼ିଆ ବୁଦ୍ଧିଜୀବୀ ଫୋରମ ‘ଦ ଇଣ୍ଟେଲେକ୍ଟସ’ ଦ୍ବାରା ପ୍ରତିବର୍ଷ ଆୟୋଜିତ ହେଉଥିବା ମାତୃଭାଷା ସମ୍ମିଳନୀ ଅବସରରେ ପ୍ରବାସୀ ଭାଷା ସମ୍ମାନ ୨୦୨୧ ମସିହା ପାଇଁ ଘୋଷଣା କରାଯାଇଛି। ଓଡ଼ିଆ ମିଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ ୨୦୧୮ ମସିହା ଠାରୁ ଆୟୋଜିତ ହୋଇ ଆସୁଥିବା ଜାତୀୟ ସାହିତ୍ୟ ମହୋତ୍ସବ ‘କୋରାପୁଟ ଲିଟେରାରୀ ଫେଷ୍ଟିଭାଲ୍’କୁ ଏହି ସମ୍ମାନ ପାଇଁ ଚୟନ କରାଯାଇଛି। ଦ ଇଣ୍ଟେଲେକ୍ଟସର ଅଧ୍ୟକ୍ଷ ଶ୍ରୀ ଦେବେନ୍ଦ୍ର ନାଥ ରାଉତଙ୍କ ଆବାହକତ୍ଵରେ ସ୍ବତନ୍ତ୍ର ବିଚାରକ ମଣ୍ଡଳୀ ଓଡ଼ିଆ ଭାଷା ପ୍ରତି ବିଭିନ୍ନ କ୍ଷେତ୍ରରେ ଅବଦାନ ରଖିଥିବା ୧୨ ଜଣ ବରିଷ୍ଟ ବ୍ଯକ୍ତିତ୍ବଙ୍କ ସହିତ ୩ ଜଣ ଯୁବ ପ୍ରତିଭା ଓ ୪ ଟି ଅନୁଷ୍ଠାନ/ଉତ୍ସବକୁ ‘ପ୍ରବାସୀ ଭାଷା ସମ୍ମାନ’ରେ ସମ୍ମାନିତ କରାଯିବ ବୋଲି ନିଷ୍ପତି ନିଆଯାଇଛି।

ଓଡ଼ିଆ ମିଡିଆର ନିର୍ଦ୍ଦେଶକ ତଥା କଥାଶିଳ୍ପୀ ଶୁଭ୍ରାଂଶୁ ପଣ୍ଡାଙ୍କ ଉଦ୍ୟମରେ କୋରାପୁଟ ଠାରେ ୨୦୧୮ ମସିହାରେ ପ୍ରଥମେ ‘କୋରାପୁଟ ସାହତ୍ୟ ଉତ୍ସବ’ ଆରମ୍ଭ ହୋଇଥିଲା। ୨୦୧୯ ମସିହାରେ ଦୁଇଦିନ ଧରି ଆୟୋଜିତ ଏ ଉତ୍ସବରେ ରାଜ୍ୟ ବାହାରୁ ବହୁ ସଂଖ୍ୟାରେ ଲେଖକ ଓ ବୁଦ୍ଧିଜୀବୀ ଯୋଗ ଦେଇଥିଲେ। ଓଡ଼ିଶାର ରାଜଧାନୀ ଭୁବନେଶ୍ବରରେ ବହୁ ଜାତୀୟ ଓ ରାଜ୍ୟସ୍ତରୀୟ ଉତ୍ସବ ଆୟୋଜିତ ହେଉଥିବା ବେଳେ କୋରାପୁଟ ଭଳି ବିରଳ ପର୍ଯ୍ୟଟନ ସ୍ଥଳରେ ସାରା ଦେଶର ଲେଖକଙ୍କୁ ଏକାଠି କରିବା ଉଦ୍ଦେଶ୍ୟରେ ଓ ସ୍ଥାନୀୟ ସଂସ୍କୃତି ତଥା ପର୍ଯ୍ୟଟନକୁ ବ୍ୟାପକ କରିବା ଲକ୍ଷ୍ୟରେ ଏ ଉତ୍ସବ ଆୟୋଜିତ କରାଯାଉଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି। ୨୦୨୦ ମସିହାରେ କରୋନା କଟକଣା ଭିତରେ ବି ଏ ଉତ୍ସବ ସ୍ଥଗିତ ରହିନାହିଁ। କଟକଣାକୁ ଦୃଷ୍ଟିରେ ରଖି ୩ୟ କୋରାପୁଟ ସାହିତ୍ୟ ଉତ୍ସବର ପ୍ରଥମ ଦିନ ସୀମିତ ଅତିଥିଙ୍କ ଉପସ୍ଥିତିରେ ଭୁବନେଶ୍ବରରେ ଅନୁଷ୍ଠିତ ହୋଇଥିବା ବେଳେ ଦ୍ବିତୀୟ ଦିନର ଉତ୍ସବ କୋରାପୁଟର ଡୁଡୁମା ଜଳପ୍ରପାତ ନିକଟରେ ଆୟୋଜିତ ହୋଇଥିଲା। ଏ ଉତ୍ସବ ଅବସରରେ ପ୍ରତିବର୍ଷ ଜଣେ ଓଡ଼ିଆ କଥାକାର ଓ କବିଙ୍କୁ କୋରାପୁଟ ସାହିତ୍ୟ ସମ୍ମାନ (ପ୍ରତ୍ୟେକଙ୍କୁୁ ୨୧ ହଜାର ଟଙ୍କା ପୁରସ୍କାର ରାଶି) ପ୍ରଦାନ କରାଯାଇଥାଏ।

ଉତ୍ସବକୁ ପ୍ରବାସୀ ଭାଷା ସମ୍ମାନ ପାଇଁ ଚୟନ କରାଯାଇଥିବାରୁ ଉତ୍ସବ ନିର୍ଦ୍ଦେଶକ ଶୁଭ୍ରାଂଶୁ ପଣ୍ଡା ‘ଦ ଇଣ୍ଟେଲେକ୍ଟ’ ଓ ଏହାର ଅଧ୍ୟକ୍ଷ ଦେବେନ୍ଦ୍ରନାଥ ରାଉତଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ଉତ୍ସବରେ ଯୋଗ ଦେଇଥିବା ସମସ୍ତ ଲେଖକ, ବୁଦ୍ଧିଜୀବୀ, କଳାକାରଙ୍କ ସମେତ ଓଡ଼ିଆ ମିଡିଆର କର୍ମକର୍ତ୍ତା ଓ କୋରାପୁଟ ବାସୀଙ୍କୁ ଏ ସମ୍ମାନର ସମସ୍ତ ଶ୍ରେୟ ଦେଇଛନ୍ତି ଶ୍ରୀ ପଣ୍ଡା। ପୂର୍ବରୁ ଯୁବ ଲେଖକ ଭାବରେ ଓଡ଼ିଆ ମିଡିଆର ନିର୍ଦ୍ଦେଶକ ଶ୍ରୀ ପଣ୍ଡା ‘ଦ ଇଣ୍ଟେଲେକ୍ଟ’ ଠାରୁ ଏ ସମ୍ମାନ ଗ୍ରହଣ କରିଥିଲେ।

ଡ. ଭଗବାନ ପ୍ରକାଶ, ଶ୍ରୀ ଅମରେନ୍ଦ୍ର ଖଟୁଆ ଓ ପ୍ରାଧ୍ୟାପକ ଉଦୟନାଥ ସାହୁଙ୍କୁ ନେଇ ଗଠିତ ବିଚାରକ ମଣ୍ଡଳୀ ଓ ସ୍ବତନ୍ତ୍ର ଅତିଥି ବିଶ୍ବ ଓଡିଆ ସଂସ୍ଥାନ ତଥା ଓଡିଆ ସୋସାଇଟି ଅଫ ଆମେରିକାର ଅଧ୍ୟକ୍ଷା ଶ୍ରୀମତୀ କୁକୁ ଦାସ, ଦିଲ୍ଲୀ ବିଶ୍ବବିଦ୍ୟାଳୟର ପ୍ରାଧ୍ୟାପିକା ଡ. ସୁବାସିନୀ ବାରିକ ଓ ସଂଗଠନର ସମ୍ପାଦକ ଶ୍ରୀ ଶ୍ୟାମାନୁଜ ଦାସଙ୍କ ଉପସ୍ଥିତିରେ ଏହି ସମ୍ମାନ ଘୋଷଣା କରାଯାଇଛି।

ଅନ୍ୟମାନଙ୍କ ମଧ୍ୟରେ ଓଡିଆ ଭାଷାରେ ପ୍ରଥମ ସ୍ତମ୍ଭ ସମ୍ମାନ ‘ଆମ ଘରର ହାଲଚାଲ”ର ସାମଗ୍ରୀକ ଅବଦାନ ପାଇଁ ଶ୍ରୀ ସୌମ୍ୟରଂଜନ ପଟ୍ଟନାୟକ, ଓଡିଶୀ ସଙ୍ଗୀତକୁ ବିଶେଷ ଅବଦାନ ପ୍ରଦାନ କରିଥିବା ଶ୍ୟାମାମଣୀ ଦେବୀ, ଓଡିଶୀ ନୃତ୍ୟ ଓ ଓଡିଆ ଭାଷା ସଂସ୍କୃତି ପାଇଁ ନିଜ ଜୀବନକୁ ସମ୍ପୂର୍ଣ୍ଣ ଉତ୍ସର୍ଗ କରିଥିବା ଓଡିଶୀ ନୃତ୍ୟଗୁରୁ ଇଲିୟାନା ସିଟାରିଷ୍ଟ ଓ ଓଡିଆ ଭାଷାକୁ ସମାଜର ସର୍ବନିମ୍ନ ସ୍ତରରେ ନିଜ ଲେଖା ମାଧ୍ୟମରେ ଲୋକପ୍ରିୟ କରିବା ସହିତ ଭାଷା ପ୍ରତି ଆବେଗ ସୃଷ୍ଟି କରିବାରେ ସଫଳ ହେବା ସହିତ ୫୦୦ ରୁ ଉର୍ଦ୍ଧ୍ବ ଉପନ୍ୟାସ ରଚନା କରିଥିବା ଲେଖକ ଶ୍ରୀ ଭାଗିରଥି ଦାସଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ। ସେହିପରି ଲେଖକ ଓ ସାହିତ୍ୟ ସଂଗଠକକ ଇଂ ପ୍ରଭାକର ସ୍ବାଇଁ, ଓଡିଆ ଭାଷା ପ୍ରତି ପ୍ରତିବଦ୍ଧିତ ବରିଷ୍ଟ ସାମ୍ବାଦିକ ଶ୍ରୀ ପ୍ରଦ୍ୟୁମ୍ନ ଶତପଥୀ, ଅନୁବାଦ ପାଇଁ ପ୍ରାଧ୍ୟାପକ ଯତୀନ ନାୟକ, ଭାଷା ବିଶେଷଜ୍ଞ ଡ. ହରପ୍ରସାଦ ମିଶ୍ରଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ। ପୁରୁଣା ଓଡିଆ ସଙ୍ଗୀତକୁ ଏକ ଅଭିନବ ଉପାୟରେ ନିରବଚ୍ଛିନ୍ନ ଭାବରେ ସଂରକ୍ଷଣ କରିବାରେ ପ୍ରୟାସରତ ଡ. ସରୋଜ ସିଂ, ଆନ୍ତର୍ଜାତୀୟ ସ୍ତରରେ ଓଡିଆ ପୋଥି ଓ ପାଣ୍ଡୁଲିପି ଆଧାରିତ ବିଶେଷ ଗବେଷଣା ପାଇଁ ଡ. ଶୋଭାରାଣୀ ଦାସ, ଚିତ୍ରକାର ଶ୍ରୀ ବିଜୟ ବିଶ୍ବାଳ ଓ ବିଦେଶରେ ଓଡିଆ ଭାଷା ଓ ସାହିତ୍ୟର ପ୍ରସାର ପାଇଁ ବିଶେଷ ଅବଦାନ ରଖିଥିବା ଶ୍ରୀ ପ୍ରଶାନ୍ତ ଭୂୟାଁଙ୍କୁ ମଧ୍ୟ ପ୍ରବାସୀ ଭାଷା ସମ୍ମାନ ପ୍ରଦାନ କରାଯିବ। କର୍ପୋରେଟ କ୍ଷେତ୍ରରେ ଓଡିଆ ଭାଷାର ଉନ୍ନତି ପାଇଁ ବିଶେଷ ଅବଦାନ ରଖିଥିବାରୁ ଇଫକୋ ପାରଦୀପର ମାନବ ସମ୍ବଳ ନିର୍ଦେଶକ ଶ୍ରୀ ଜ୍ଞାନଚାନ୍ଦ ଆଚାର୍ଯ୍ୟଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ। ଓଡିଆ ଦୈନିକ ଖବର କାଗଜ ‘ପ୍ରମେୟ’ ଓ ସ୍ବାଧୀନତା କାଳରୁ ଭାଷାର ଉନ୍ନତି ପାଇଁ ଅନବରତ କାମ କରୁଥିବା ‘ଜ୍ଞାନମଣ୍ଡଳ’ ଓ ଉପାନ୍ତ ଅଞ୍ଚଳରେ ଓଡିଆ ଭାଷାର ପ୍ରଚାର ପ୍ରସାର ପାଇଁ ଆୟୋଜିତ ହେଉଥିବା ‘କୋରାପୁଟ ସାହିତ୍ୟ ଉତ୍ସବ’କୁ ଏହି ସମ୍ମାନ ପ୍ରଦାନ ପାଇଁ ଚୟନ କରାଯାଇଛି। ଯୁବବର୍ଗକୁ ଓଡିଆ ଭାଷା ପ୍ରତି ଅଭିନବ ଉପାୟରେ ଆକୃଷ୍ଟ କରାଉ ଥିବା ତିନି ଜଣ ଯୁବ ପ୍ରତିଭାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ। ସେମାନେ ହେଲେ ଓଡିଆ ରାପର ‘ବିଗଡିଲ’ (ରିଷି ମହାନ୍ତି), ନଟିଆ (କାର୍ଟୁନ ୟୁଟ୍ୟୁବ ଚାନେଲ) ଓ ଗଜପତି (ଟ୍ଵିଟର)।

Comments are closed.