ସ୍ମାର୍ଟସିଟି ଲୁଟେରାଙ୍କର ସ୍ମାର୍ଟ ଲୁଟ୍, ଧରମ ଉଭଣୀ କରି ଲୁଟିଲେ ଟଙ୍କା

ଭୁବନେଶ୍ବର: ଧରମଭାଇ ସାଜିଲା ଲୁଟାରେ। ଭୟଭୀତ କରି ନୁହେଁ ବରଂ ବିଶ୍ବାସ ଜନ୍ମାଇ ଲୋକଙ୍କୁ ଲୁଟୁଛନ୍ତି ସ୍ମାର୍ଟସିଟି ଲୁଟେରା। ଜଣେ ଯୁବତୀଙ୍କୁ ଧରମ ଉଭଣୀ କରି ୩୦ହଜାର ଟଙ୍କା ଲୁଟି ନେଇଛି ଦୁର୍ବୃତ୍ତ। ଏଭଳି ଘଟଣା ଘଟିଛି କଳ୍ପନା ଟ୍ରାଫିକ୍ ଛକ ନିକଟରେ। ଲୁଟ୍ର ଶିକାର ହୋଇଥିବା ମହିଳା ଜଣଙ୍କ ହେଲେ ବିଶେଶ୍ବର ବସ୍ତିର ଲଳିତା ମୁଣ୍ଡା। ତାଙ୍କ ଘର ଯାଜପୁର ସୁକିନ୍ଦା ଅଞ୍ଚଳରେ ଏଠାରେ ସେ ଏକ ଘରୋଇ ହସ୍ପିଟାଲରେ ସେ କାର୍ଯ୍ୟ କରନ୍ତି।
ଯୁବତୀଙ୍କ ଅଭିଯୋଗ ମୁତାବକ, ଲୁଟ୍ କରିଥିବା ଯୁବକ ଜଣଙ୍କ ହଠାତ ଦୁଇଦିନ ତଳେ ଏକ ଅଜଣା ନମ୍ବରରେ କଲ୍ କରି କହିଥିଲା- ‘ତୁମେ ମୋର ଭଉଣୀ ପରି। ମତେ ଧରମ ଭାଇ କର। ମୋର ଅସୁବିଧା ଅଛି, କିଛି ଟଙ୍କା ସାହାଯ୍ୟ କର। ପରେ ମୁଁ ୨ଲକ୍ଷ ଟଙ୍କା ଦେବି’ ବୋଲି ପ୍ରତିଶ୍ରୁତି ଦେଇଥିଲା। ଏମିତି କହି ଲଳିତାଙ୍କୁ ତିନିଦିନ ଧରି ଫୋନ୍ କଲା ପରେ ବୁଧବାର ଉଭୟ ରାମ ମନ୍ଦିର ନିକଟରେ ଭେଟ ହୋଇଥିଲେ।
ଦେଖା ହେବା ପରେ ହାତରେ ସୂତା ବାନ୍ଧି ତୁଳସୀ ଖୁଆଇ ଆଜିଠୁ ଭାଇ ଭଉଣୀ ବୋଲି ସତ୍ୟ କରିଥିଲେ। ପରେ ଦୁର୍ବୃତ୍ତ ଜଣଙ୍କ ଯୁବତୀଙ୍କୁ ବାଇକ୍ରେ ବସାଇ କଳ୍ପନା ବ୍ୟାଙ୍କକୁ ଯିବା କହି ସାଙ୍ଗରେ ନେଇଥିଲା। ହେଲେ ବାଟରେ ହେଲ୍ମେଟ ଚେକ୍ ହେଉଛି କହି ଯୁବତୀ ଜଣଙ୍କୁ ଓହ୍ଲାଇ ଦେଇଥିଲା। ଟ୍ରାଫିକ୍ ଆଗରେ ମୁଁ ଅଛି, ତୁ ଚାଲି ଚାଲି ଆସ କହିଥିଲା। ପରେ ଏହି ମୌକାରେ ଲଳିତା ନେଇଥିବା ୩୦ହଜାର ଟଙ୍କା ଥିବା ବ୍ୟାଗ୍ ନେଇ ଦୁର୍ବୃତ୍ତ ଚମ୍ପଟ ମାରିଥିଲା।