କାଲିଠୁ କରୋନା ଦ୍ୱିତୀୟ ଡୋଜ୍ ଆରମ୍ଭ

ନୂଆଦିଲ୍ଲୀ: ଆସନ୍ତା କାଲିଠାରୁ କରୋନା ଦ୍ୱିତୀୟ ଡୋଜ୍ ଆରମ୍ଭ। ଏଥିସହ ଫେବୃଆରୀ ୧୩ ସୁଦ୍ଧା ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଥମ ଡୋଜ୍ ଟିକା ଦେବା ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ କେତେକ ଜିଲ୍ଲାର ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ଟିକା ନେଇନାହାଁନ୍ତି। ଯାହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପ୍ରଥମ ଡୋଜ୍ ଟିକାକରଣ ତାରିଖକୁ ବୃଦ୍ଧି କରିଛନ୍ତି। ପ୍ରଥମ ଡୋଜ୍ ଟିକା ନେଇ ନଥିବା ସ୍ୱାସ୍ଥ୍ୟକର୍ମୀ ଫେବୃଆରୀ ୨୫ ସୁଦ୍ଧା ଟିକା ନେବାକୁ କୁହାଯାଇଛି।
ଏନେଇ ସମସ୍ତ ଜିଲ୍ଲାପାଳ, ମହାନଗର ନିଗମ କମିଶନର ଓ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଚିଠି ଲେଖାଯାଇଛି। ଫେବୃଆରୀ ୨୫ ତାରିଖ ମଧ୍ୟରେ ସମସ୍ତ ପଞ୍ଜିକୃତ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀଙ୍କୁ ଟିକା ଦିଆଯିବା ନେଇ ନିଶ୍ଚିତ କରିବାକୁ କୁହାଯାଇଛି। ଟିକାକରଣ ପୂର୍ବରୁ ସେମାନଙ୍କୁ ସ୍ଥାନ ଓ ସମୟ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି।
ଅନ୍ୟପଟେ କୋଭିଡ୍ ଟିକା ନେବାର ୨୮ ଦିନ ପରେ ଦ୍ୱିତୀୟ ଡୋଜ୍ ଟିକା ଦିଆଯିବ। କାଲିଠୁ ଦିଆଯିବ କୋଭିଡ୍ ଟିକାର ଦ୍ୱିତୀୟ ଡୋଜ୍। ଏଥିପାଇଁ ସମସ୍ତ ଜିଲ୍ଲାର ଟିକାକରଣ କେନ୍ଦ୍ରରେ ଆବଶ୍ୟକୀୟ ପ୍ରସ୍ତୁତି କରିବାକୁ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି। ଜାନୁଆରୀ ୧୬ ତାରିଖରୁ ଦେଶବ୍ୟାପୀ କୋଭିଡ୍ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।