ମାଜିଷ୍ଟ୍ରେଟଙ୍କ ଜାଲ ଦସ୍ତଖତ କରି ଗିରଫ ହେଲେ ଏସ୍ଆଇ

ବ୍ରହ୍ମପୁର : ମାଜିଷ୍ଟ୍ରେଟଙ୍କ ଜାଲ ଦସ୍ତଖତ କରି ଫସିଲେ ଥାନା ଏସ୍ଆଇ। ଗଞ୍ଜାମ ଜିଲ୍ଲା ବୁଗୁଡ଼ା JMFC ମାଜେଷ୍ଟ୍ରେଟଙ୍କ ଜାଲି ଦସ୍ତଖତ କରିବା ଅଭିଯୋଗରେ ଏସଆଇ ସୂର୍ଯ୍ୟ ନାରାୟଣ ବେହେରାଙ୍କୁ ବୁଗୁଡା ପୁଲିସ୍ ଗିରଫ କରିଛି।
ପ୍ରକାଶ ଯେ, ମାଜିଷ୍ଟ୍ରେଟଙ୍କ ଅନୁପସ୍ଥିତିରେ ଏସଆଇ ସୂର୍ଯ୍ୟନାରାୟଣ ଜାଲ ଦସ୍ତଖତ କରିଥିଲେ। ଏହାଦ୍ୱାରା ହତ୍ୟା ଉଦ୍ୟମ କରି ଜେଲ ଯାଇଥିବା ଜଣେ ଅଭିଯୁକ୍ତ ଜେଲରୁ ଜାମିନରେ ମୁକୁଳିଥିଲେ।
ଏହି ଘଟଣା ଜଣାପଡିବା ପରେ ନିଜେ ବୁଗୁଡା ମାଜିଷ୍ଟ୍ରେଟ୍ ଥାନାରେ ଏସଆଇଙ୍କ ବିରୋଧରେ ଏତଲା ଦେଇଥିଲେ। ଘଟଣାର ତଦନ୍ତ କରି ବୁଗୁଡା ପୁଲିସ୍ ଜାଲି ଦସ୍ତଖତ କରିଥିବା ଏସଆଇଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ପରେ ତାଙ୍କ ଜାମିନ ନାମଞ୍ଜୁର ହେବାରୁ ଭଞ୍ଜନଗର ଜେଲକୁ ପଠାଇ ଦିଆଯାଇଛି।