ଘାରିଛି କରୋନା ଦ୍ବିତୀୟ ଲହରି, ସଂଧ୍ୟା ସୁଦ୍ଧା ବିମାନବନ୍ଦରରେ ଟେଷ୍ଟିଂ ସେଣ୍ଟର: ବିଏମ୍ସି କମିଶନର

ଭୁବନେଶ୍ବର: ଦୀର୍ଘ ଏଗାର ମାସ ହେବ କଲବଲ କରୁଛି କରୋନା। କିଛି ଦିନ ହେବ କରୋନା ଟିକା ଆସିବା ପରେ ଲୋକମାନଙ୍କ ମନରୁ ଭୟ ଦୂର ହୋଇ ଯାଇଥିଲା। କିନ୍ତୁ ଏହାରି ଭିତରେ ଆସିଛି କରୋନାକୁ ନେଇ ଆଉ ଏକ ବଡ଼ ଖବର। ଏବେ ସାରା ଦେଶରେ ଘାରିଛି କରୋନାର ଦ୍ବିତୀୟ ଲହରି ଚିନ୍ତା। ମହାରାଷ୍ଟ୍ର ସମେତ ଦେଶର ୫ ରାଜ୍ୟରେ ପୁଣି ଦ୍ବିତୀୟ ଲହରି ଫେରିଛି।
ଏହାରି ଭିତରେ କରୋନାକୁ ନେଇ ସତର୍କତା ଅବଲମ୍ବନ କରିଛନ୍ତି ଓଡ଼ିଶା ସରକାର। ଭୁବନେଶ୍ୱର ବିମାନ ବନ୍ଦରରେ ଏକ ଟେଷ୍ଟିଂ ସେଣ୍ଟର କରାଯିବ। ଯାତ୍ରୀଙ୍କ ସ୍କ୍ରିନିଂ କରାଯିବ। ସ୍କ୍ରିନିଂ ସମୟରେ ଯଦି କିଛି ଲକ୍ଷଣ ଦେଖାଯାଏ, ତେବେ ତାଙ୍କର ଟେଷ୍ଟିଂ ବାଧ୍ୟତାମୂଳକ କରାଯିବ ବୋଲି କହିଛନ୍ତି ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ ।
ଏହା ସହିତ କମିଶନର ଆହୁରି ମଧ୍ୟ କହିଛନ୍ତି ଯେ,‘ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ପଜିଟିଭ ସଂଖ୍ୟାରେ ବିଶେଷ ବୃଦ୍ଧି ହୋଇନାହିଁ, ପୂର୍ବମାସ ଭଳି ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ସେମିତି କିଛି ଅସ୍ଥିରତା ଦେଖାଯାଇନାହିଁ। ଏବେ ସତର୍କତା ପଦକ୍ଷେପ ନିଆଯାଉଛି, ଏନ୍ଫୋର୍ସମେଣ୍ଟ କାର୍ଯ୍ୟକ୍ରମକୁ ବୃଦ୍ଧି କରାଯାଇଛି ଏବଂ ଆକ୍ରାନ୍ତମାନଙ୍କର ପୂର୍ବଭଳି କଣ୍ଟାକ୍ଟ ଟ୍ରେସିଙ୍ଗ, ଡିଟେଲ କଣ୍ଟାକ୍ଟ ଟ୍ରେସିଙ୍ଗ କାଲିଠାରୁ କରାଯାଉଛି।
ଟେଷ୍ଟିଂ ସଂଖ୍ୟା ବଢ଼ାଇବା ପାଇଁ ଚେଷ୍ଟା ଜାରି ରହିଛି, ଯେଉଁ ଅଞ୍ଚଳରୁ ଅଧିକ ପଜିଟିଭ ବାହାରୁଛନ୍ତି ସେ ଅଞ୍ଚଳରେ ଅଧିକ ସଂଖ୍ୟାରେ ଟେଷ୍ଟିଂ କରିବାକୁ ଚେଷ୍ଟା ଚାଲିଛି। ଆମେ ସବୁ ଉପରେ ନଜର ରଖିଛୁ, ପୂର୍ବ ପରି ଆମର ବିଭିନ୍ନ ସେଣ୍ଟରରେ ଟେଷ୍ଟିଂ ଜାରି ରହିଛି। ଆମ ପାଖରେ ଯଥେଷ୍ଟ ହସ୍ପିଟାଲ ମଧ୍ୟ ଉପଲବ୍ଧ ଅଛି ।