Odisha Link
Bridging the Missing Links in Odisha

ଆଜିଠାରୁ ପରିବର୍ତ୍ତନ ହେଲା ସକାଳୁଆ ସ୍କୁଲ ସମୟ

ଭୁବନେଶ୍ବର: ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଜିଠାରୁ ପରିବର୍ତ୍ତନ ହେଲା ସକାଳୁଆ ସ୍କୁଲ ସମୟ। ଗତକାଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏ ସମ୍ପର୍କରେ ସୂଚନା ଦେବାର ୨୪ ଘଣ୍ଟା ମଧ୍ୟରେ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି। ସକାଳ ୭ଟାରୁ ଅପରାହ୍ଣ ଗୋଟାଏ ପର୍ଯ୍ୟନ୍ତ ହେଉଥିବା ସ୍କୁଲ ସମୟ ଏଣିକି ସକାଳ ୭ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଚାଲିବ। ୯ମ ଓ ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍‌ ପାଠପଢ଼ା ପୂର୍ବଭଳି ସକାଳ ୭ଟାରୁ ୯ଟା ପର୍ଯ୍ୟନ୍ତ ହେବ।

ସେଥିରେ ପରିବର୍ତ୍ତନ କରାଯାଇ ନାହିଁ। ତେବେ ଦଶମ ଓ ଦ୍ବାଦଶ ଛାତ୍ରଛାତ୍ରୀଙ୍କ ପାଠପଢ଼ା ସମୟରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଦଶମ ଓ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ପୂର୍ବରୁ ଯେମିତି ୪ ଘଣ୍ଟାର କ୍ଲାସ୍‌ ହେଉଥିଲା, ଏବେ ବି ସମାନ ଭାବେ ୪ଘଣ୍ଟାର କ୍ଲାସ୍‌ କରାଯିବ।

କ୍ଲାସ୍‌ ପ୍ରଭାବିତ ହେବ ନାହିଁ କି ପାଠପଢ଼ା କମିବନି। ୯ମ ଓ ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଲାସ୍‌ ବି ପ୍ରଭାବିତ ହେବନି, ବରଂ ପାଠ୍ୟକ୍ରମ ଠିକ୍‌ ସମୟରେ ସରିବ। ଛାତ୍ରଛାତ୍ରୀଙ୍କୁ ପ୍ରାକ୍ଟିସ୍‌ ଲାଗି ସମୟ ବି ମିଳିବ। ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସୁରକ୍ଷାକୁ ଗୁରୁତ୍ବ ଦେଇ ଏଭଳି ନିଷ୍ପତ୍ତି ନିଆଯାଇଛି।

Comments are closed.