Odisha Link
Bridging the Missing Links in Odisha

ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା: ଆଜି ବିବନର ଟିଆଇ ପରେଡ଼

ଭୁବନେଶ୍ବର: ବହୁ ଚର୍ଚ୍ଚିତ ବାରଙ୍ଗ ଗଣଦୁଷ୍କର୍ମ ମାମଲାରେ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ବାଳକୁ ୪ ଓ ୫ ତାରିଖ ୨ ଦିନିଆ ରିମାଣ୍ଡରେ ନେବ ସିବିଆଇ ଟିମ୍। ତା ପୂର୍ବରୁ ଆଜି ଜେଲରେ ଥିବା ବିବନର ଟିଆଇ ପରେଡ କରାଯିବ। ଭୁବନେଶ୍ବର ଜେଏମଏଫସିଙ୍କ ଉପସ୍ଥିତରେ ଝାରପଡା ଜେଲ୍ ଭିତରେ ଟିଆଇ ପରେଡ଼ ହେବ।

ଏହି ସମୟରେ ପୀଡ଼ିତା ଉପସ୍ଥିତ ରହିବେ। ବିବନକୁ ୫ ଦିନିଆ ରିମାଣ୍ଡ ପାଇଁ ଭୁବନେଶ୍ବର ସ୍ବତନ୍ତ୍ର ସିଜେଏମଙ୍କ ନିକଟରେ ଆବେଦନ କରିଥିଲା ସିବିଆଇ ଟିମ୍। ହେଲେ ୨ ଦିନିଆ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି ସ୍ପେଶାଲ ସିଜେଏମ ସିବିଆଇ କୋର୍ଟ।

ଦୁଇ ଦିନିଆ ରିମାଣ୍ଡ ସମୟରେ ବାରଙ୍ଗର ସେହି ଘଟଣାସ୍ଥଳକୁ ବିବନକୁ ନେଇପାରେ ସିବିଆଇ। କମିସନରେଟ୍ ପୋଲିସର ସ୍ବତନ୍ତ୍ର ଟିମ୍ ଅପରେସନ ‘ସାଇଲେଣ୍ଟ ଭାଇପର’ ଜରିଆରେ ପୁନେରୁ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ବାଳକୁ ଗିରଫ କରିଥିଲା।

ଏହାପରେ ୧୪ ଦିନିଆ ବିଚାର ବିଭାଗୀୟ ହାଜତରେ ରହିଛି ବିବନ। ୧୯୯୯ ମସିହା ଜାନୁଆରୀ ୯ ତାରିଖରେ ଘଟିଥିଲା ଏହି ଘଟଣା। ୨୨ ବର୍ଷ ଭିତରେ ମାମଲାରେ ଗିରଫ ଅନ୍ୟ ଜଣେ ଅଭିଯୁକ୍ତଙ୍କ ମୃତ୍ୟୁ ମଧ୍ୟ ହୋଇ ସାରିଲାଣି।

ସୂଚନାଯୋଗ୍ୟ ଯେ, ବିବନ ସହ ଅନ୍ୟ ୧୦ ଜଣ କଏଦୀଙ୍କୁ ଏକାଠି ଗୋଟିଏ ଧାଡ଼ିରେ ଛିଡ଼ା କରାଯିବ। ସେହି ୧୦ ଜଣଙ୍କ ଉଚ୍ଚତା ଓ ଶରୀରର ଗଠନ ପାଖାପାଖି ବିବନ ଭଳି ରହିଥିବ। ଖାଲି ସେତିକି ନୁହେଁ; ଆନୁମାନିକ ବୟସ ମଧ୍ୟ ପାଖାପାଖି ହୋଇଥିବ। ସେହି ସମୟରେ ମାଜିଷ୍ଟ୍ରେଟ ଓ ଜେଲ୍‌ର ଜଣେ ଅଧିକାରୀ ଉପସ୍ଥିତ ରହିବେ।

ଅନ୍ୟ କାହାରିକୁ ଭିତରକୁ ଛଡ଼ାଯିବ ନାହିଁ। ପୀଡ଼ିତା ଧାଡ଼ିରେ ଛିଡ଼ା ହୋଇଥିବା କଏଦୀଙ୍କ ଭିତରୁ ଜଣଙ୍କୁ ଚିହ୍ନଟ କରିବେ। ଏହାର କାଗଜପତ୍ର ମଧ୍ୟ ରହିବ। ଯେଉଁ ଜେଲ ଅଧିକାରୀ ଉପସ୍ଥିତ ଥିବେ ସେ ଏଥିରେ ଦସ୍ତଖତ କରିବେ। କୋର୍ଟରେ ଯେତେବେଳେ ମାମଲାର ବିଚାର ପ୍ରକ୍ରିୟା ଆରମ୍ଭ ହେବ; ଜେଲ ଅଧିକାରୀ ସେହି ସମୟରେ ଉପସ୍ଥିତ ରହି ସାକ୍ଷ୍ୟ ପ୍ରଦାନ କରିବେ।

ସେପଟେ ମାମଲାର ଅଧିକ ତଦନ୍ତ ଲାଗି ସିବିଆଇ ପକ୍ଷରୁ ବିବନର ୫ ଦିନିଆ ରିମାଣ୍ଡ ଆବେଦନ କରାଯାଇଥିଲା। କୋର୍ଟ ଦୁଇ ଦିନ ପାଇଁ ରିମାଣ୍ଡ ମଞ୍ଜୁର କରିଛନ୍ତି। କୋଲକାତାରୁ ଆସି ଭୁବନେଶ୍ବରରେ କ୍ୟାମ୍ପ ଅଫିସ ଖୋଲିଥିବା ତଦନ୍ତକାରୀ ଅଧିକାରୀଙ୍କ ସହ ୫ ଜଣିଆ ଟିମ୍ ବିବନକୁ ରିମାଣ୍ଡରେ ଆଣିବା ପରେ ଅଧିକ ତଦନ୍ତ କରି ତା ବିରୋଧରେ ପ୍ରମାଣ ଯୋଗାଡ଼ କରିବେ।

ଏହି ସମୟ ଭିତରେ ବିବନର ଡାକ୍ତରୀମାଇନା କରାଯିବ। ଏହା ସହ ତାର ବୟାନ ରେକର୍ଡ କରାଯିବ। ବାରଙ୍ଗରେ ଯେଉଁଠି ଘଟଣା ଘଟିଥିଲା ସେଠାରେ ବିବନକୁ ସାଙ୍ଗରେ ଧରି ତଦନ୍ତକାରୀ ଟିମ୍ କ୍ରାଇମ ସିନ୍ ରିକ୍ରିଏସନ୍ କରିବ ବୋଲି ଜଣାପଡ଼ିଛି। ଏହି ସମୟ ମଧ୍ୟରେ ସାକ୍ଷୀଙ୍କର ମଧ୍ୟ ବୟାନ ରେକର୍ଡ କରାଯାଇପାରେ। ଦ୍ବିତୀୟ ପର୍ଯ୍ୟାୟରେ ସିବିଆଇ ପୁଣି ରିମାଣ୍ଡରେ ନେଇପାରେ ବୋଲି କୁହାଯାଉଛି।

Comments are closed.