Odisha Link
Bridging the Missing Links in Odisha

ତାତିରୁ ସାମାନ୍ୟ ଆଶ୍ୱସ୍ତି, ୪ ତାରିଖ ଯାଏଁ ଅପରିବର୍ତ୍ତିତ ରହିବ ତାପମାତ୍ରା

ଭୁବନେଶ୍ୱର: ମାର୍ଚ୍ଚ ପହିଲାରୁ ରାଜ୍ୟରେ ଅନୁଭୁତ ହେଉଛି ପ୍ରଚଣ୍ଡ ତାତି। ଫଳରେ ଦିନ ୧୧ଟା ପରେ ବହାରକୁ ବାହାରିବା କଷ୍ଟକର ହୋଇ ପଡ଼ୁଛି। କିନ୍ତୁ ଏବେ ତାତିରୁ ହାଲୁକା ଆଶ୍ୱସ୍ତି ମିଳିଛି । ଅଧିକାଂଶ ସ୍ଥାନରେ ପାରଦ ସାମାନ୍ୟ କମିଛି। ବିଶେଷ କରି ଉତ୍ତପ୍ତ ପିଣ୍ଡ ପାଲଟିଯାଇଥିବା ଭୁବନେଶ୍ୱର ୪ ଦିନ ପରେ ୪୦ ଡିଗ୍ରୀ ସେଲସିୟସ୍‌ ତଳକୁ ଖସିଛି।

ପାଣିପାଗ ପୂର୍ବାନୁମାନ ଯାହା, ଆସନ୍ତା ୩/୪ ଦିନ ଏମିତି ରହିବ। ୬ରୁ ତାତି ଆହୁରି ବଢ଼ିବ। ଭୁବନେଶ୍ୱର ପାରଦ ୩୮.୬ ଡିଗ୍ରୀକୁ ଖସି ଆସିଛି। ଏହାସହ କଟକ ତାପମାତ୍ରା ମଧ୍ୟ ୩୮.୨ ଡିଗ୍ରୀ ରେକର୍ଡ ହୋଇଛି। ଅନ୍ୟ ସହର ଭିତରେ ଅନୁଗୁଳ ୩୮.୭, ସୁନ୍ଦରଗଡ଼ ୩୮, ତାଳଚେର ୩୮.୧, ବଲାଙ୍ଗିର ୩୮, ଟିଟିଲାଗଡ଼ ୩୮, ମାଲକାନଗିରି ୩୮, ନୟାଗଡ଼ ୩୮ ଡିଗ୍ରୀ ସେଲସିୟସ୍‌ ରହିଛି। ୯ଟି ସହରରେ ତାପମାତ୍ରା ୩୮ ଡିଗ୍ରୀ ଥିବାବେଳେ ଝାରସୁଗୁଡ଼ା, ସମ୍ବଲପୁର, ଭବାନୀପାଟଣା ଓ ବୌଦ୍ଧ ତାପମାତ୍ରା ୩୭ ଡିଗ୍ରୀ ଅତିକ୍ରମ କରିଛି।

କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ, ବର୍ତ୍ତମାନ ସାମୁଦ୍ରିକ ପବନ ଯୋଗୁ ତାପମାତ୍ରା ସାମାନ୍ୟ କମିଛି । ଆସନ୍ତାକାଲି ଉପକୂଳ ଓଡ଼ିଶାରେ ତାପମାତ୍ରା ସାମାନ୍ୟ ବଢ଼ି ୩୯ ଡିଗ୍ରୀ ଛୁଇଁପାରେ। ଆଭ୍ୟନ୍ତରୀଣ ଓଡ଼ିଶାରେ ୪ ତାରିଖ ଯାଏଁ ତାପମାତ୍ରା ଅପରିବର୍ତ୍ତିତ ରହିବ କିମ୍ବା ଧୀରେଧୀରେ ବଢ଼ିବ। ୪ ତାରିଖରୁ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ୫ରୁ ଦକ୍ଷିଣ ଆଭ୍ୟନ୍ତରୀଣ ଅଞ୍ଚଳରେ ତାପମାତ୍ରା ବଢ଼ିବ । ବର୍ତ୍ତମାନ ଉପକୂଳ ଓ ସଂଲଗ୍ନ ଅଞ୍ଚଳରେ ତାପମାତ୍ରା ଅସ୍ଥିର ରହିବ ।

କେବେ ସାମାନ୍ୟ ବଢ଼ିବ, କେବେ କମିଯିବ। ୬ରେ ସାରା ରାଜ୍ୟରେ ତାପମାତ୍ରା ବଢ଼ିବା ସମ୍ଭାବନା ଅଛି। ୭ ଓ ୮ ତାରିଖରେ ରାଜ୍ୟର ଅନେକ ଜାଗାରେ ତାପମାତ୍ରା ଅଧିକ ଥିବ। ବିଶେଷକରି କେନ୍ଦ୍ରୀୟ ଏବଂ ଦକ୍ଷିଣ ପଶ୍ଚିମ ଓଡ଼ିଶାରେ ପାରଦ ୪୧ କିମ୍ବା ୪୨ ଛୁଇଁପାରେ। ପାଣିପାଗ ବିଭାଗ କହିଛି, ଆସନ୍ତା ୩/୪ ଦିନ ତାପମାତ୍ରା ବିଶେଷ ବଦଳିବ ନାହିଁ । ତା’ପରବର୍ତ୍ତୀ ୪-୫ ଦିନ ତାପମାତ୍ରା ଅଧିକ ରହିବ।

Comments are closed.