Odisha Link
Bridging the Missing Links in Odisha

ମଞ୍ଚେଶ୍ବରରେ ଚାଞ୍ଚଲ୍ୟ: ସ୍ତ୍ରୀଙ୍କୁ ନିସ୍ତୁକ ପିଟି ଅନୁତାପରେ ସ୍ୱାମୀଙ୍କ ଆତ୍ମହତ୍ୟା

ଭୁବନେଶ୍ୱର: ସ୍ତ୍ରୀଙ୍କୁ ନିସ୍ତୁକ ପିଟିଲେ ସ୍ୱାମୀ। ଫଳରେ ପତ୍ନୀ ଚେତା ହରାଇ ତଳେ ପଡ଼ିଗଲେ। ମାଡ଼ରେ ସ୍ତ୍ରୀ ମରିଗଲେ ବୋଲି ଭାବି ସ୍ୱାମୀ ଫ୍ୟାନ୍‌ରେ ଝୁଲି ଆତ୍ମହତ୍ୟା କରିଛନ୍ତି।

ଏଭଳି ଘଟଣା ଘଟିଛି ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ରଙ୍ଗମାଟିଆ ଗ୍ରାମରେ। ମୃତ ବ୍ୟକ୍ତିଙ୍କ ନାମ ପ୍ରଦୀପ୍ତ କୁମାର ପାତ୍ର। ଘର କଟକ ଜିଲ୍ଲା ସାଲେପୁର କେନ୍ଦୁପାଟଣା। ପ୍ରଦୀପ୍ତ ସପରିବାର ରଙ୍ଗମାଟିଆରେ ରହୁଥିଲେ। ସେ ବିଏସ୍‌ଏନ୍‌ଏଲ୍‌ ଅଫିସରେ ଚାକିରି କରୁଥିଲେ।

ପୁଲିସ ମୃତଦେହ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ଶବ ବ୍ୟବଚ୍ଛେଦ କରାଇ ପୁଲିସ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏହି ଘଟଣା ମଙ୍ଗଳବାର ରାଜଧାନୀରେ ଚର୍ଚ୍ଚାର ବିଷୟ ହୋଇଛି ।

ମିଳିଥିବା ସୂଚନା ଅନୁସାରେ, ଗତକାଲି ରାତିରେ ପ୍ରଦୀପ୍ତ ଓ ସ୍ତ୍ରୀ ମାନସୀ ପାତ୍ରଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଝଗଡ଼ା ହୋଇଥିଲା। ଉତ୍‌କ୍ଷିପ୍ତ ହୋଇ ପ୍ରଦୀପ୍ତ ମାନସୀଙ୍କୁ ପ୍ରବଳ ମାଡ଼ ମାରିଥିଲେ। ଏପରିକି ଏକ ଶିଳପୁଆରେ ତାଙ୍କ ମୁଣ୍ଡକୁ ଛେଚି ଦେଇଥିଲେ। ଫଳରେ ମାନସୀ ଚେତା ହରାଇ ତଳେ ପଡ଼ି ଯାଇଥିଲେ।

ତେବେ ମାନସୀ ମରି ଯାଇଥିବା ଭାବି ଭୟ ଓ ଅନୁତାପରେ ପ୍ରଦୀପ୍ତ ଏକ ଶାଢ଼ିକୁ ବେକରେ ଗୁଡ଼ାଇ ଫ୍ୟାନ୍‌ରେ ଝୁଲି ପଡ଼ିଥିଲେ। ମାନସୀଙ୍କ ଚେତା ଫେରିବା ପରେ ସ୍ୱାମୀ ଆତ୍ମହତ୍ୟା କରିଥିବା ଦେଖି ଚିତ୍କାର କରିବା ସହ ସେ ମଧ୍ୟ ଅତ୍ମହତ୍ୟା କରିବା ପାଇଁ ଉଦ୍ୟମ କରୁଥିଲେ। ପାଟି ଶୁଣି ସାହିପଡ଼ିଶା ଲୋକମାନେ ଆସି କବାଟ ଭାଙ୍ଗି ମାନସୀଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲେ।

ଅନ୍ୟପଟେ ଗ୍ରାମବାସୀଙ୍କ ଠାରୁ ଖବରପାଇ ମଞ୍ଚେଶ୍ୱର ଥାନା ପୁଲିସ ଆଜି ସକାଳେ ରଙ୍ଗମାଟିଆରେ ପହଞ୍ଚି ପ୍ରଦୀପ୍ତଙ୍କ ମୃତଦେହ ଜବତ କରିବା ସହ ପଞ୍ଚନାମା କରିଥିଲା । ମାନସୀଙ୍କ ଅଭିଯୋଗକୁ ଭିତ୍ତିକରି ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା। ପରକୀୟା ପ୍ରୀତିକୁ ନେଇ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ରଙ୍ଗମାଟିଆରେ ଚର୍ଚ୍ଚା ଚାଲିଥିବା ବେଳେ ପୁଲିସ ଏହାକୁ ଖଣ୍ଡନ କରିଛି।

Comments are closed.