ନିଜ ମାଲିକକୁ ଛୁରି ଭୁସି ହତ୍ୟା କଲା ଗଞ୍ଜା, ଏବେ ଥାନାରେ

ହାଇଦ୍ରାବାଦ: ନିଜ ମାଲିକକୁ ମାରି ହତ୍ୟାକରୀ ସାଜିଲା ଗଞ୍ଜା। ହତ୍ୟା ମାମଲାରେ ଏବେ ଗଞ୍ଜାକୁ ଥାନାରେେ ଅଟକ ରଖିଛି ପୁଲିସ। ଏକଥା ଆପଣଙ୍କ ଅବିଶ୍ବାସ ଲାଗିଲେ ବି ସତ। ଏମିତି ଏକ ଖବର ଆସିଛି ତେଲେଙ୍ଗାନାର ଜଗତିୟାଲ ଜିଲ୍ଲା ଲିଥୁନୁର ଗାଁରୁ।
ମିଳିଥିବା ସୂଚନା ମୁତାବିକ, ଫେବ୍ରୁଆରୀ ୨୨ ତାରିଖରେେ ତେଲେଙ୍ଗାନାର ଲିଥୁନୁର ଗାଁରେ କୁକୁଡ଼ା ଲଢ଼େଇ ହୋଇଥିଲା। ମନୋଞ୍ଜନ ପାଇଁ ଏହି ଲଢ଼େଇର ଆୟୋଜନ କରାଯାଇଥିଲା। ଏହି ଲଢ଼େଇରେ ହଜାର ହଜାର ଟଙ୍କା ବାଜି ବି ଲାଗିଥାଏ। ତେଣୁ ଲଢେଇ ପାଇଁ ନିଜ କୁକୁଡ଼ାକୁ ପ୍ରସ୍ତୁତ କରୁଥିଲେ ମାଲିକ ସତୀଶ। ନିଜ ଗଞ୍ଜା ଗୋଡ଼ରେ ଧାରୁଆ ଛୁରି ବାନ୍ଧି ପୂର୍ବ ପ୍ରସ୍ତୁତି କରୁଥିଲେ ସତୀଶ। ଠିକ୍ ଏହି ସମୟରେ ଘଟିଥିଲା ଅଘଟଣ।
କୁକୁଡ଼ା ଗୋଡ଼ରେ ଛୁରୀ ବାନ୍ଧିବା ବେଳେ କୁକୁଡ଼ାଟି ଏତେମାତ୍ରାରେ ଉଗ୍ର ହୋଇଯାଇଥିଲା ଯେ ଭୂଇଁରୁ କିଛି ଫୁଟ ଉପରକୁ ଡେଇଁବା ଆରମ୍ଭ କରିଥିଲା। ଲଗାତର ଭାବେ ଏପରି ଡେଇଁବା ଆରମ୍ଭ କରିଥିଲା ଗଞ୍ଜା। ଏମିତିକି ଡେଇଁବା ସମୟରେ ମାଲିକା ସତୀଶ ପାଖକୁ ଆସି ଅଚାନକ ଆକ୍ରମଣ କରିଥିଲା।
ସତୀଶ ସାମାନ୍ୟ ଅନ୍ୟମନସ୍କ ରହିଥିବା ବେଳେ ତାଙ୍କ ଅଣ୍ଟାରେ ଛୁରି ପଶି ଯାଇଥିଲା। ସେଠାରୁ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ଡାକ୍ତର। ସେପଟେ ପୁଲିସ ଘଟଣାରେ ଏକ ମାମଲା ରୁଜୁ କରି ଗଞ୍ଜାକୁ ଅଟକ ରଖିଛି।
Comments are closed.