ଭିମ୍ସାରରେ ଛାତ୍ରଙ୍କୁ ର୍ୟାଗିଂ

ସମ୍ବଲପୁର: ଭିମ୍ସାରରେ ଛାତ୍ରଙ୍କୁ ର୍ୟାଗିଂ। ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟରେ ଛାତ୍ରଙ୍କୁ ର୍ୟାଗିଂ କରାଯାଇଥିବା ଘଟଣା ସାମ୍ନାକୁ ଆସିଛି। ଏନେଇ ଅଭିଯୋଗ ହେବା ପରେ ଆଣ୍ଟି ର୍ୟାଗିଂ ସେଲ୍ର ୧୦ ଜଣିଆ କମିଟି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।
ସୂଚନା ମୁତାବକ, ୩ ଦିନ ପୂର୍ବେ ଭିମ୍ସାରର ଦ୍ୱିତୀୟ ବର୍ଷ ଏମ୍ବିବିଏସ୍ ଛାତ୍ରାବାସକୁ ଚତୁର୍ଥ ବର୍ଷର କିଛି ଛାତ୍ର ବିଳମ୍ବିତ ରାତିରେ ପଶିବା ସହ ଗାଳିଗୁଲଜ କରିଥିଲେ। ଏସମ୍ପର୍କରେ ଛାତ୍ରମାନେ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ। ଫଳରେ ଲହି ଘଟଣାକୁ ନେଇ ଚତୁର୍ଥ ବର୍ଷର ଛାତ୍ରମାନେ ଉତ୍ତ୍ୟକ୍ତ ହୋଇ ବୁଧବାର ରାତି ପ୍ରାୟ ସାଢ଼େ ୧୨ଟାରେ ଛାତ୍ରାବାସ ସଂଖ୍ୟା ୪ ଓ ୬କୁ ପ୍ରବେଶ କରିଥିଲେ।
ଛାତ୍ରାବାସ ମଧ୍ୟରେ ଶୋଇଥିବା ୬ ଜଣ ଛାତ୍ରଙ୍କୁ ଅଭିଯୋଗ ସମ୍ପର୍କରେ ପଚରାଉଚରା କରିବା ସହ କାହିଁକି କର୍ତ୍ତୃପକ୍ଷଙ୍କୁ ଘଟଣା ସମ୍ପର୍କରେ କହିଲେ ସେନେଇ ଗାଳିଗୁଲଜ କରିଥିଲେ। ଦ୍ୱିତୀୟ ବର୍ଷର ଛାତ୍ରମାନେ ଏହାକୁ ବିରୋଧ କରିବାରୁ ସେମାନଙ୍କୁ ଅର୍ଧନଗ୍ନ କରି ନିସ୍ତୁକ ମାଡ଼ ମାରିବା ସହ ଠେଲାପେଲା ମଧ୍ୟ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ପରେ ଆକ୍ରମଣର ଶିକାର ଛାତ୍ରମାନେ ଭିମ୍ସାର କର୍ତ୍ତୃପକ୍ଷଙ୍କ ନିକଟରେ ଘଟଣା ସମ୍ପର୍କରେ ପୁନଃ ଅଭିଯୋଗ କରିଛନ୍ତି।