Odisha Link
Bridging the Missing Links in Odisha

ଆଜିଠୁ ‘ସ୍ବାଧୀନତାର ଅମୃତ ମହୋତ୍ସବ’ ଆରମ୍ଭ

ଗାନ୍ଧୀନଗର: ଗୁଜରାଟର ସାବରମତୀ ଆଶ୍ରମରୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ସ୍ବାଧୀନତାର ଅମୃତ ମହୋତ୍ସବ’ର ଶୁଭାରମ୍ଭ କରିବେ। ଏହା ୭୫ ସପ୍ତାହ ଧରି ପାଳନ କରାଯିବ। ଆଜି ପୂର୍ବାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅହମଦାବାଦସ୍ଥିତ ସାବରମତୀ ଆଶ୍ରମରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧା-ସୁମନ ଅର୍ପଣ କରିଛନ୍ତି। ସେଠାରେ ସେ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରୁଥିବା ଦାଣ୍ଡିଯାତ୍ରା ହେଉଛି ଭାରତର ୭୫ତମ ସ୍ୱାଧୀନତା ଦିବସ ଅବସରରେ ଆୟୋଜିତ ‘ଅମୃତ ମହୋତ୍ସବ’ର ଅଂଶବିଶେଷ।

ଟୁଇଟ୍‌ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲେଖିଛନ୍ତି, ଦାଣ୍ଡିଯାତ୍ରା ଆରମ୍ଭ ହୋଇଥିବା ସାବରମତୀ ଆଶ୍ରମରୁ ଆଜିର ‘ଅମୃତ ମହୋତ୍ସବ’ ଆରମ୍ଭ ହେଉଛି। ଭାରତବାସୀଙ୍କ ମଧ୍ୟରେ ଗୌରବର ଉଚ୍ଛ୍ୱାସ ଏବଂ ଆତ୍ମନିର୍ଭର ଭାରତକୁ ଆଗେଇ ନେବାରେ ଏହି ପଦଯାତ୍ରା ମୁଖ୍ୟ ଭୂମିକା ନିର୍ବାହ କରିଥିଲା। ‘ଲୋକାଲ୍‌ ଫର୍‌ ଭୋକାଲ୍‌’ ହେଉଛି ବାପୁ ଏବଂ ଆମର ଅନ୍ୟ ମହାନ୍‌ ସ୍ୱାଧୀନତା ସଂଗ୍ରାମୀଙ୍କ ପ୍ରତି ଅପୂର୍ବ ଶ୍ରଦ୍ଧାଞ୍ଜଳି।

ଏହି ମହୋତ୍ସବର ଦେଶବ୍ୟାପୀ ପ୍ରଚାର ଓ ପ୍ରସାର କରିବା ଲାଗି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି। ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଶୀର୍ଷକ ଉପରେ ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କ ସହିତ ମିଳିତ ଭାବେ ଦେଶବ୍ୟାପୀ ପ୍ରଦର୍ଶନୀ ଆୟୋଜନ କରାଯିବ।

ଆଜି ପୂର୍ବାହ୍ନ ୧୨ଟା ପରେ ଦେଶବ୍ୟାପୀ ବିଭିନ୍ନ ପ୍ରତିଷ୍ଠିତ ବ୍ୟକ୍ତିବିଶେଷଙ୍କ ଦ୍ୱାରା ୩୭ଟି ରାଜ୍ୟସ୍ତରୀୟ ପ୍ରଦର୍ଶନୀ ଉଦ୍‍ଘାଟିତ ହେବ। ଏଥିରେ ସ୍ୱାଧୀନତା ସଂଗ୍ରାମ ତଥା ଅସହଯୋଗ ଆନ୍ଦୋଳନ, ଭାରତ ଛାଡ଼ ଅଭିଯାନ, ଦାଣ୍ଡି ଯାତ୍ରା ଘଟଣା ସଂପର୍କିତ ଚିତ୍ର ଏବଂ ଜାତିର ଜନକ ମହାତ୍ମା ଗାନ୍ଧୀ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଭଳି ବିଶିଷ୍ଟ ନେତୃବୃନ୍ଦଙ୍କ ତ୍ୟାଗ, ସାହସ ଓ ଜୀବନାଦର୍ଶ ଉପରେ ଆଧାରିତ ତଥ୍ୟାବଳୀ ପ୍ରଦର୍ଶିତ ହେବ।

ଆଜି ଉଦ୍‍ଘାଟିତ ହେବାକୁ ଥିବା ୩୭ଟି ମଧ୍ୟରୁ ୭ଟି ପ୍ରଦର୍ଶନୀକୁ ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବଡେକର ଭର୍ଚୁଆଲ ମାଧ୍ୟମରେ ଉଦ୍‍ଘାଟନ କରିବେ। ସେହି ସ୍ଥାନଗୁଡ଼ିକ ହେଉଛି ଜାମ୍ମୁ କାଶ୍ମୀର ଶାମ୍ବା, ବାଙ୍ଗାଲୋର, ପୁନେ, ମୋରିୟାନ୍‍, ପାଟନା ଓ ଭୁବନେଶ୍ୱର। ଏଥିସହିତ ଆସନ୍ତା ଶନିବାର ଦିନ ନୂଆଦିଲ୍ଲୀସ୍ଥିତ ଜାତୀୟ ଗଣମାଧୟମ କେନ୍ଦ୍ରରେ ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରଦର୍ଶନୀକୁ ମଧ୍ୟ ଶ୍ରୀ ଜାବଡେକର ଉଦ୍‍ଘାଟନ କରିବେ।

Comments are closed.