ବିଧାୟକଙ୍କ କ୍ଷମା ପ୍ରାର୍ଥନା ଦାବିରେ ଅଚଳବିଧାନସଭା, ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି

ଭୁବନେଶ୍ବର: ୫ ଦିନ ହେଲା ମଣ୍ଡି ପ୍ରସଙ୍ଗକୁ ନେଇ ଗୃହରେ ହଙ୍ଗାମା କରୁଛନ୍ତି ବିରୋଧୀ। ହଟ୍ଟଗୋଳ ଯୋଗୁଁ ଗୃହକୁ ବାରମ୍ବାର ମୁଲତବୀ ଘୋଷଣା କରୁଛନ୍ତି ବାଚସ୍ପତି। ଗୃହ ବିଲକୁଲ୍ ଚାଲି ପାରୁନାହିଁ। ଗୃହ କାର୍ଯ୍ୟ ସ୍ୱାଭାବିକ କରିବା ପାଇଁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଛନ୍ତି। ଆଉ ଏହାରି ଭିତରେ ବିରୋଧୀ ଦଳ ନେତା ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି।
ଧାନ କିଣା ଅବ୍ୟବସ୍ଥା ଓ ଗୃହର ସୁପରିଚାଳନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପାଇଁ ସମୟ ମାଗିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ। ସେପଟେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ବିଧାୟକ କ୍ଷମା ମାଗିବା ବଡ କଥା ନୁହେଁ, ଗୃହ କେମିତି ଚାଲିବ ସେ କଥା ଚିନ୍ତା କରାଯାଉ।
ଏନେଇ ଗୃହର ନେତା ହିସାବରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି ନରସିଂହ। ୧୫ ତାରିଖ ପରେ ଆଜି ଏନେଇ ନରସିଂହ ପୁଣି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରି ଏ ନେଇ ବିରୋଧୀ ଦଳର ନେତାଙ୍କ ସହ ଆଲୋଚନା କରନ୍ତୁ। ବିଜେଡି କହିଛି, ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଆତ୍ମହତ୍ୟା ଉଦ୍ୟମ ଗୃହର ମର୍ଯ୍ୟାଦା କ୍ଷୂର୍ଣ୍ଣ କରିଛି।