ବିଧାନସଭା: ରାଜ୍ୟରେ ହାଇସ୍କୁଲ ବନ୍ଦ ନେଇ ଉତ୍ତର ରଖିଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ହାଇସ୍କୁଲ ବନ୍ଦ ହେବା ପ୍ରସଙ୍ଗକୁ ନେଇ ବିଧାନସଭାରେ ଉଦବେଗ୍ ପ୍ରକାଶ ପାଇଛି। ଗୃହରେ ହାଇସ୍କୁଲ ପ୍ରସଙ୍ଗ ଉଠାଇବା ସହ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ପ୍ରତିବାଦ କରିଛନ୍ତି। ବିଧାନସଭା ଚାଲୁଥିବା ବେଳେ କାହିଁକି ବିଭାଗ ଏପରି ନିଷ୍ପତ୍ତି ନେଲା।
ବିଧାନସଭା ଚାଲିଥିବା ବେଳେ ଏପରି ନୀତିଗତ ନିଷ୍ପତ୍ତି ହୋଇଛି କି ? ବୋଲି ନରସିଂହ ପ୍ରଶ୍ନ କରିବା ସହ ପ୍ରତିବାଦ କରିଛନ୍ତି। ଉପରେ ଉତ୍ତର ରଖି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି- କିଛି ସ୍କୁଲରେ ଶିକ୍ଷକ ଅଛନ୍ତି ପିଲା ନାହାନ୍ତି। କିଛି ସ୍କୁଲରେ ପିଲା ଅଛନ୍ତି ଶିକ୍ଷକ ନାହାନ୍ତି। ଅନ୍ୟ କିଛି ସ୍ଥାନରେ ରାସ୍ତା ଏପଟେ ଗୋଟିଏ ସ୍କୁଲ ଓ ଅନ୍ୟପଟେ ଆଉ ଗୋଟିଏ ସ୍କୁଲ ରହିଛି। ତାକୁ ଦୃଷ୍ଟିରେ ରଖି କେବଳ ଶିକ୍ଷା ନିର୍ଦ୍ଦେଶକଙ୍କ ପକ୍ଷରୁ ଏକ ଚିଠା ପ୍ରସ୍ତାବ ଦିଆଯିବା ପରେ ସେ ଉପରେ ବିଚାରବିମର୍ଶ ଚାଲିଛି।
ତେଣୁ ହଜାରେ ହାଇସ୍କୁଲ ବନ୍ଦ ହେବା ନେଇ କୌଣସି ନୀତିଗତ ନିଷ୍ପତ୍ତି ନିଆଯାଇ ନାହିଁ ବୋଲି କହିଛନ୍ତି ମନ୍ତ୍ରୀ। ସେପଟେ ପ୍ରସଙ୍ଗରେ କଂଗ୍ରେସ ବିଧାୟକ ତାରା ବାହିନୀପତି ଉଦବେଗ୍ ପ୍ରକାଶ କରିଛନ୍ତି। ବିଧାନସଭାରେ ବିନା ଆଲୋଚନାରେ ରାଜ୍ୟର କୌଣସି ବି ଗୋଟିଏ ସ୍କୁଲ ବନ୍ଦ ହେବ ନାହିଁ।
ବାଚସ୍ପତି ଏନେଇ ରୁଲିଂ ଦିଅନ୍ତୁ ବୋଲି ତାରା ଦାବି କରିଛନ୍ତି। ଏହି ପ୍ରସଙ୍ଗକୁ ଏକ ନିର୍ଦ୍ଦିଷ୍ଟ ଫୋରମରେ ଆଣିବାକୁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଅନୁରୋଧ କରିଥିବା ବେଳେ ଗୃହକୁ ସୋମବାର ଯାଏ ମୁଲତବି ରଖାଯାଇଛି।