ପରଲୋକରେ ପ୍ରଥମ ଓଡ଼ିଶୀ ନୃତ୍ୟାଙ୍ଗନା ଲକ୍ଷ୍ମୀପ୍ରିୟା

ଭୁବନେଶ୍ବର: ପରଲୋକରେ ଓଡ଼ିଶାର ପ୍ରଥମ ଓଡ଼ିଶୀ ନୃତ୍ୟାଙ୍ଗନା ତଥା କିମ୍ବଦନ୍ତୀ ଓଡ଼ିଶୀ ନୃତ୍ୟଗୁରୁ ସ୍ବର୍ଗତ କେଳୁଚରଣ ମହାପାତ୍ରଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟା ମହାମାତ୍ର। ଶନିବାର ରାତି ପ୍ରାୟ ୧୧ଟାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି। ମୃତ୍ୟୁ ବେଳକୁ ଲକ୍ଷ୍ମୀପ୍ରିୟାଙ୍କୁ ୮୬ ବର୍ଷ ହୋଇଥିଲା। ସେ ବାର୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ। ଲକ୍ଷ୍ମୀପ୍ରିୟାଙ୍କ ବିୟୋଗ ଓଡ଼ିଶାର ନୃତ୍ୟ ଏବଂ କଳାଜଗତ ପାଇଁ ଏକ ଅପୂରଣୀୟ କ୍ଷତି।
ମୃତ୍ୟୁ ଖବର ପାଇ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଭୀମଟାଙ୍ଗିସ୍ଥିତ ବାସଭବନରେ ପହଞ୍ଚି ତାଙ୍କ ଶେଷଦର୍ଶନ କରିଥିଲେ। ମୃତ୍ୟୁଶଯ୍ୟା ନିକଟରେ ତାଙ୍କ ପୁଅ-ବୋହୂ ତଥା ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ରତିକାନ୍ତ ମହାପାତ୍ର ଓ ସୁଜାତା ମହାପାତ୍ରଙ୍କ ସମେତ ଅନ୍ୟ ଆତ୍ମୀୟସ୍ବଜନ ଉପସ୍ଥିତ ଥିଲେ।
୧୯୪୭ ମସିହାରେ ପୁରୀର ଅନ୍ନପୂର୍ଣ୍ଣା ଥିଏଟର୍ରେ ଜଣେ ମହିଳା ନୃତ୍ୟଶିଳ୍ପୀ ଭାବେ ପ୍ରଥମେ ଗୋଟିପୁଅ ନୃତ୍ୟ ପ୍ରଦର୍ଶନ କରିଥିଲେ। ସୂଚନାଯୋଗ୍ୟ ଯେ ଗୋଟିପୁଅ ନୃତ୍ୟରୁ ଓଡ଼ିଶୀର ସୃଷ୍ଟି ବୋଲି କୁହାଯାଏ। ଏହି ପରିପ୍ରେକ୍ଷୀରେ ତାଙ୍କୁ ଓଡ଼ିଶାର ମଞ୍ଚରେ ପ୍ରଦର୍ଶନ କରିଥିବା ପ୍ରଥମ ଓଡ଼ିଶୀ ନୃତ୍ୟଶିଳ୍ପୀ ବୋଲି ଅଭିହିତ କରାଯାଏ।