ଆଜି ଭାରତ ବନ୍ଦ

ଭୁବନେଶ୍ବର: ଆଜି ଭାରତ ବନ୍ଦ। ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ଚାଷୀ ସଙ୍ଗଠନ ପକ୍ଷରୁ ଆଜି ‘ଭାରତ ବନ୍ଦ’। ସକାଳ ୬ରୁ ସନ୍ଧ୍ୟା ୬ ଯାଏ ଭାରତ ବନ୍ଦକୁ ସଫଳ କରିବା ପାଇଁ ଚାଷୀ ସଙ୍ଗଠନଗୁଡ଼ିକ ଡାକରା ଦେଇଛନ୍ତି। ରାଜ୍ୟରେ କଂଗ୍ରେସ, ବାମଦଳ ଏବଂ ବିଭିନ୍ନ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଏହି ବନ୍ଦ ପାଳନକୁ ସମର୍ଥନ ଜଣାଇଛି ।
‘ଭାରତ ବନ୍ଦ’ ପରିପ୍ରେକ୍ଷୀରେ ସ୍କୁଲ, କଲେଜ, ବିଶ୍ବବିଦ୍ୟାଳୟ ସବୁ ବନ୍ଦ ରହିବ। ଏନେଇ ଗଣଶିକ୍ଷା ଓ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।‘ଭାରତ ବନ୍ଦ’ ସମୟରେ ହାଟ, ବଜାର ବନ୍ଦ ରହିବ। ବିଭିନ୍ନ ସ୍ଥାନରେ ସ୍ଥାନୀୟ ବ୍ୟବସାୟୀ ଏପରି ନିଷ୍ପତ୍ତି ନେଇଛନ୍ତି। ସେହିପରି ଯାତ୍ରୀ ଓ ମାଲ୍ ପରିବହନ ମଧ୍ୟ ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି। ବସ୍ ଚଳାଚଳ ବନ୍ଦ କରିବାକୁ ମାଲିକ ସଂଘ ନିଷ୍ପତ୍ତି ନେଇନଥିଲେ ମଧ୍ୟ ବସ୍ ଚଳାଚଳ ବନ୍ଦ ରହିଛି। ଅଧିକାଂଶ ସ୍ଥାନରେ ଅଟୋ, ଟ୍ୟାକ୍ସି ମଧ୍ୟ ଚଳାଚଳ ବନ୍ଦ ରହିଛି । ବନ୍ଦ ପାଳନ କରୁଥିବା ବିଭିନ୍ନ ସଂଗଠନ ପକ୍ଷରୁ ଆମ୍ବୁଲାନ୍ସ, କ୍ଷୀର ଗାଡ଼ି, ବିବାହ କାର୍ଯ୍ୟକ୍ରମ ଆଦିରେ ବାଧା ନ ଦେବାକୁ ନିବେଦନ କରାଯାଇଛି।
ବନ୍ଦ ପାଳନ ବେଳେ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ନ ଉପୁଜେ, ସେଥିପାଇଁ ପୋଲିସ୍ ପକ୍ଷରୁ ଆବଶ୍ୟକ ପ୍ରସ୍ତୁତି କରାଯାଇଛି। ଭୁବନେଶ୍ବରରେ ଲୋକସେବା ଭବନ, ଖାରବେଳ ଭବନ, ରାଜୀବ ଭବନ ଓ ନ’ ତାଲାରେ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି। କର୍ମଚାରୀମାନଙ୍କୁ ୯ଟା ୩୦ ସୁଦ୍ଧା ଅଫିସ୍ ରେ ପହଞ୍ଚିବାକୁ ନିର୍ଦ୍ଦେଶ ଜାରି କରାଯାଇଛି।
‘ଭାରତ ବନ୍ଦ’କୁ କଂଗ୍ରେସ ସମର୍ଥନ କରିଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ ଚାଷୀମାନେ କୃଷି ଆଇନକୁ ବିରୋଧ କରିବା ସମ୍ପୂର୍ଣ୍ଣ ଯୁକ୍ତିସଙ୍ଗତ । କଂଗ୍ରେସ ନେତୃବୃନ୍ଦ, ଜିଲ୍ଲା କଂଗ୍ରେସ ସଭାପତି, ଛାମୁଆ ସଂଗଠନ ଓ କର୍ମକର୍ତ୍ତାମାନେ ବନ୍ଦରେ ସକ୍ରିୟ ଅଂଶଗ୍ରହଣ କରି ସଫଳ କରିବା ପାଇଁ ନିରଞ୍ଜନ ଅପିଲ୍ କରିଛନ୍ତି।‘ନୂଆ କୃଷି ଆଇନ୍ ପ୍ରତ୍ୟାହାର ଦାବିରେ ଗତ ୪ ମାସ ଧରି ଚାଷୀମାନେ ଦିଲ୍ଲୀରେ ଆନ୍ଦୋଳନ କରିଆସୁଛନ୍ତି। ଆନ୍ଦୋଳନକୁ ୧୨୦ ଦିନ ପୂରିସାରିଛି ।
‘ଭାରତ ବନ୍ଦ’କୁ ବାମ ଦଳଗୁଡ଼ିକ ମଧ୍ୟ ସମର୍ଥନ କରିଛନ୍ତି। ଦଳର କର୍ମୀମାନେ ବନ୍ଦରେ ସକ୍ରିୟ ଅଂଶଗ୍ରହଣ କରିବେ ବୋଲି ସିପିଆଇର ରାଜ୍ୟ ସମ୍ପାଦକ ଆଶିଷ କାନୁନ୍ଗୋ, ସିପିଆଇ(ଏମ୍)ର ରାଜ୍ୟ କମିଟି ସମ୍ପାଦକ ଅଳି କିଶୋର ପଟ୍ଟନାୟକ, ସିପିଆଇ(ଏମ୍ଏଲ୍) ଲିବରେସନ୍ର ରାଜ୍ୟ ସମ୍ପାଦକ ଯୁଧିଷ୍ଠିର ମହାପାତ୍ର ଓ ସମାଜବାଦୀ ପାର୍ଟିର ରାଜ୍ୟ ସଭାପତି ରବି ବେହେରା ପୃଥକ ପୃଥକ ଭାବେ ପ୍ରେସ୍ ବିବୃତି ଜାରି କରି ସୂଚନା ଦେଇଛନ୍ତି।
ଭାରତ ବନ୍ଦକୁ କେନ୍ଦ୍ରୀୟ ଶ୍ରମିକ ସଂଗଠନଗୁଡ଼ିକ ସମର୍ଥନ କରିଛନ୍ତି। ଗତକାଲି ଆଇଏନ୍ଟିୟୁସି କାର୍ଯ୍ୟାଳୟରେ ବିଭିନ୍ନ ଶ୍ରମିକ ସଂଗଠନର ବୈଠକ ବସି ଏହି ନିଷ୍ପତ୍ତି ନିଆଯାଇଛି। ଏଥିରେ ଆଇଏନ୍ଟିୟୁସି ସଭାପତି ରାମଚନ୍ଦ୍ର ଖୁଣ୍ଟିଆ, ଏଆଇଟିୟୁସି ନେତା ରାମକୃଷ୍ଣ ପଣ୍ଡା, ଏଚ୍ଏମ୍ଏସ୍ର ବି ପି ଦାସ, ସିଆଇଟିୟୁର ପୂର୍ଣ୍ଣ ପାଢ଼ୀ, ଏଆଇୟୁଟିୟୁସିର ସମ୍ପାଦକ ଜୟସେନ ମେହେର, ନିରଞ୍ଜନ ମହାନ୍ତି, ଏଆଇସିସିଟିୟୁର କାର୍ଯ୍ୟକାରୀ ସଭାପତି ରାଧାକାନ୍ତ ସେଠୀ ଓ ସାଧାରଣ ସମ୍ପାଦକ ମହେନ୍ଦ୍ର ପରିଡ଼ା, ଟିୟୁସିସିର ଜ୍ୟୋତି ରଞ୍ଜନ ମହାପାତ୍ର ଓ ସେବାର ପରିଲତା ପ୍ରମୁଖ ଉପସ୍ଥିତ ରହି ସମର୍ଥନ ଘୋଷଣା କରିଥିଲେ।