Odisha Link
Bridging the Missing Links in Odisha

କୋଭିଡ୍‌ ହସ୍ପିଟାଲ୍‌ରେ ନିଆଁ, ୪‌ ମୃତ

ନାଗପୁର: କୋଭିଡ୍‌ ହସ୍ପିଟାଲ୍‌ରେ ନିଆଁ। ମହାରାଷ୍ଟ୍ର ନାଗପୁରର ଏକ କୋଭିଡ୍‌ ହସ୍ପିଟାଲ୍‌ରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଗତକାଲି ରାତି ପ୍ରାୟ ୮ଟା ବେଳେ ନାଗପୁର ସ୍ଥିତ ୱେଲ୍‌ ଟ୍ରିଟ୍‌ ହସ୍ପିଟାଲ୍‌ରେ ନିଆଁ ଲାଗି ଯାଇଥିଲା।

ସେଠାରେ ଚିକିତ୍ସିତ ହେଉଥିବା ୨୭ ଜଣ ରୋଗୀଙ୍କୁ ଅନ୍ୟ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା। ତେବେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।ସର୍ଟ ସର୍କିଟରୁ ହସ୍ପିଟାଲ୍‌ରେ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।

ଅଗ୍ନିକାଣ୍ଡକୁ ନେଇ ନାଗପୁର ମ୍ୟୁନିସିପାଲ୍‌ କର୍ପୋରେସନ୍‌ ଚିଫ୍‌ ଫାୟାର ଅଫିସର ରାଜେନ୍ଦ୍ର ଉଚେକ୍‌ କହିଛନ୍ତି, “ହସ୍ପିଟାଲ୍‌ର ଦ୍ୱିତୀୟ ମହଲାରେ ଥିବା ଆଇସିୟୁର ଏସି ୟୁନିଟ୍‌ରୁ ନିଆଁ ଲାଗିଥିବା ଜଣାପଡ଼ିଛି। ତେବେ ନିଆଁ କେବଳ ଏହି ମହଲାରେ ହିଁ ଲାଗିଥିଲା ଓ ଏହା ଅନ୍ୟତ୍ର ବ୍ୟାପି ନଥିଲା। ହସ୍ପିଟାଲ୍‌ରେ କୋଭିଡ୍‌ ରୋଗୀଙ୍କ ଚିକିତ୍ସା କରାଯାଉଥିଲା।”

ଅନ୍ୟପକ୍ଷେ, ଏହି ଘଟଣାରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଘଟଣାକୁ ନେଇ ଜିଲ୍ଲାପାଳ ରବିନ୍ଦ୍ର ଠାକ୍‌ରେ ସିଭିଲ୍‌ ସର୍ଜନଙ୍କ ସହ ଆଲୋଚନ କରିବା ସହ ଘଟଣାର ତଦନ୍ତ ସହ ଯେତେ ଶୀଘ୍ର ସମ୍ଭବ ରିପୋର୍ଟ ଦାଖଲ କରିବା ପାଇଁ କହିଛନ୍ତି।

କୋଭିଡ୍‌ ହସ୍ପିଟାଲ୍‌ରେ ନିଆଁ ଲାଗିବା ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ‌ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ଏହାସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

Leave A Reply

Your email address will not be published.