Odisha Link
Bridging the Missing Links in Odisha

ଚୌଦ୍ୱାର ଜେଲ୍‌ ଗଲା ଗ୍ୟାଙ୍ଗଷ୍ଟର ହାଇଦର

କଟକ: ଗ୍ୟାଙ୍ଗଷ୍ଟର ହାଇଦରକୁ ୭ ଦିନିଆ ରିମାଣ୍ଡରେ ନେବା ଲାଗି କଟକ ଜେଏମଏଫସି କୋର୍ଟ ପୋଲିସକୁ ଅନୁମତି ଦେଇଛନ୍ତି। ଆଜି କଟକ ସିଟି ଜେଏମ୍‌ଏଫ୍‌ସି କୋର୍ଟ ମଙ୍ଗଳାବାଗ ପୁଲିସ୍‌କୁ ଦେଇଛନ୍ତି ଏହି ଅନୁମତି। ଆସନ୍ତାକାଲି ସକାଳ ୭ଟାରୁ ପୁଲିସ୍ ହାଇଦରକୁ ରିମାଣ୍ଡରେ ନେବ। ୨୩ ତାରିଖ ସକାଳ ୭ଟାରେ ତା’ ରିମାଣ୍ଡ ଅବଧି ଶେଷ ହେବ। ହାଇଦରକୁ ୧୦ ଦିନ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିଥିଲା ପୁଲିସ୍।

ଏପ୍ରିଲ୍‌ ୧୦ ତାରିଖ ଅପରାହ୍ଣରେ କଟକ ବଡ଼ ଡାକ୍ତରଖାନାରୁ ଫେରାର ହୋଇଯାଇଥିଲା ହାଇଦର। ତେବେ ଗତକାଲି ତେଲେଙ୍ଗାନାର ସଙ୍ଗାରେଡ୍ଡି ଜିଲ୍ଲାରୁ ତାକୁ ଗିରଫ କରାଯାଇଥିଲା। ତେଲେଙ୍ଗାନା ପୁଲିସ୍ ସହାୟତାରେ ତାକୁ ଧରିଥିଲା କମିଶନରେଟ୍‌ ପୁଲିସ୍‌ର ସ୍ୱତନ୍ତ୍ର ଟିମ୍‌। ଏହା ପରେ ତାକୁ ଆଜି ହାଇଦ୍ରାବାଦରୁ ଭୁବନେଶ୍ୱର ଅଣାଯାଇଥିଲା। ହାଇଦରକୁ ଧରିବା ପାଇଁ କମିଶନରେଟ୍ ପୁଲିସ୍ ପକ୍ଷରୁ ତିନିଟି ଟିମ୍ ଗଠନ କରାଯାଇଥିଲା। ଗୋଟିଏ ଟିମ୍‌ ହାଇଦ୍ରାବାଦ ଯାଇଥିଲା। ଅନ୍ୟ ଦୁଇଟି ଟିମ୍ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ଯାଇଥିଲା।

ଗୋଟିଏ ପଟେ ହାଇଦର ଧରାପଡ଼ିଥିବା ବେଳେ ଅନ୍ୟ ପଟେ ତାକୁ ଫେରାର ହେବାରେ ସାହାଯ୍ୟ କରିଥିବା ଅଭିଯୋଗରେ ପୁଲିସ୍ ୮ ଜଣ ଅଟକ ରଖିଛି। ସେମାନଙ୍କ ମଧ୍ୟରେ ୩ ଜଣ ଯୁବତୀ ଅଛନ୍ତି। ହାଇଦର ଫେରାର ହେବା ପରେ କଟକ ମହାନଦୀବିହାର ଅଞ୍ଚଳରେ ରହୁଥିବା ତା’ ସହଯୋଗୀ ୟାକୁବ ଓରଫ ସଲ୍ଲୁ ଆତ୍ମସମର୍ପଣ କରିଥିଲା। ଏହା ପରେ ମଙ୍ଗଳାବାଗ ପୁଲିସ୍ ତାକୁ ଗିରଫ କରିଥିଲା।

ହାଇଦର ଫେରାର ଘଟଣାରେ ୬ ଜଣ ପୁଲିସ୍ କର୍ମଚାରୀଙ୍କୁ ସସ୍‌ପେଣ୍ଡ କରାଯାଇଛି। ଏହି ୬ ଜଣ ଡାକ୍ତରଖାନାରେ ହାଇଦରକୁ ଜଗିବା ଦାୟିତ୍ୱରେ ନିୟୋଜିତ ହୋଇଥିଲେ। ଟ୍ୱିନ୍‌ସିଟି କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଆଜି ସାମ୍ବାଦିକ ସମ୍ମିଳନୀ କରି ହାଇଦର କେମିତି ଫେରାର ହୋଇଯାଇଥିଲା, ତା’ର ପୂରା ବିବରଣୀ ଦେଇଥିଲେ। ସେ କହିଥିଲେ, ଅସୁସ୍ଥତା ହେତୁ ମାର୍ଚ୍ଚ ୨୩ରୁ ସମ୍ବଲପୁର ଜେଲ୍‌ରୁ କଟକ ବଡ଼ ଡାକ୍ତରଖାନାକୁ ଆସିଥିଲା ହାଇଦର। ତେବେ ୧୭ ଦିନ ପରେ ଏପ୍ରିଲ ୧୦ ତାରିଖ ଅପରାହ୍ନ ପ୍ରାୟ ୪ଟାରୁ ୪.୩୦ ମଧ୍ୟରେ ଜଗିଥିବା ଗାର୍ଡକୁ ନିଶାଗ୍ରସ୍ତ କରି ସେ ଖସି ପଳାଇଥିଲା। ତେବେ ୧୨୦ ଘଣ୍ଟାର ଅପରେସନ୍ ପରେ ସେ ପୁଣି ପୁଲିସ୍ ଜାଲରେ ପଡ଼ିଥିଲା।

ପ୍ରକାଶ ଯେ, ହାଇଦର ଫେରାର ହୋଇଯିବା ପରେ ପୁଲିସ୍‌କୁ ବିଭିନ୍ନ ବର୍ଗରୁ ତୀବ୍ର ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା। ଏମିତି କି ପୁଲିସ୍‌ର କିଛି ବଡ଼ ଅଫିସର ଷଡ଼ଯନ୍ତ୍ର କରି ତାକୁ ଫେରାର କରାଇ ଦେଇଥିଲେ ବୋଲି ଅଭିଯୋଗ ହୋଇଥିଲା।

Leave A Reply

Your email address will not be published.