Odisha Link
Bridging the Missing Links in Odisha

ଅକ୍ସିଜେନ ସ୍ଥିତି ନେଇ କାନ୍ଦି ପକାଇଲେ ହସ୍ପିଟାଲର ଏମ୍‌ଡି, କହିଲେ…

ନୂଆଦିଲ୍ଲୀ: ଅଣାୟତ୍ତ ହେଲାଣି ମହାମାରୀ କରୋନା। ଦିନକୁ ଦିନ କରୋନା ସଂକ୍ରମଣ ହାର ବଢ଼ୁଥିବା ବେଳେ ବିଭିନ୍ନ ସ୍ଥାନରେ ହସ୍ପିଟାଲ ବେଡ୍‌ ବୃଦ୍ଧି କରାଯାଉଛି। ମାତ୍ର ଏହି ସମୟରେ ଦିଲ୍ଲୀର ଦୁଇଟି ବଡ଼ ହସ୍ପିଟାଲରେ‌ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଥିବା ବେଡ୍ ସଂଖ୍ୟାକୁ ୪୦% ହ୍ରାସ କରି ଦିଆଯାଇଛି। କଥାଟା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ।

ହସ୍ପିଟାଲରେ ଅକ୍ସିଜେନର ସଙ୍କଟ ଦେଖାଯାଉଥିବାରୁ ନିଜର ଅସହାୟତା ପ୍ରକାଶ କରି ଦୁଇଟି ହସ୍ପିଟାଲ ଏପରି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ରାଜବୀ ଗାନ୍ଧି ସୁପର ସ୍ପେଶାଲିଟି ହସ୍ପିଟାଲ ପ୍ରାୟ ୩୦୦ଟି ବେଡ୍‌ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛି। ଏବେ ଏହି ହସ୍ପିଟାଲରେ ମାତ୍ର ୩୫୦ ଜଣ କରୋନା ରୋଗୀ ଚିକିତ୍ସିତ ହୋଇପାରିବେ।

ସେହିପରି ଦିଲ୍ଲୀର ସବୁଠାରୁ ବଡ଼ କୋଭିଡ ହସ୍ପିଟାଲ ଭାବେ ଜଣାଶୁଣା ଜିଟିବି ମଧ୍ୟ ସମାନ ପଦକ୍ଷେପ ନେଇଛି। ପୂର୍ବରୁ ଏଠାରେ ୧୫ଶହ କରୋନା ରୋଗୀଙ୍କ ପାଇଁ ବେଡ୍‌ ରହିଥିଲା। ଏବେ ଅକ୍ସିଜେନ ଅଭାବରୁ ହସ୍ପିଟାଲ କର୍ତ୍ତୃପକ୍ଷ ୮୦୦ଟି ବେଡ୍‌ ହ୍ରାସ କରିଛନ୍ତି।

ଅନ୍ୟପକ୍ଷରେ ବାତ୍ରା ହସ୍ପିଟାଲର ଏମିଡି ଡା ଏସସିଏଲ ଗୁପ୍ତା ଦିଲ୍ଲୀର କରୋନା ସଂକ୍ରମଣ ଓ ଅକ୍ସିଜେନ ସଙ୍କଟକୁ ଦେଖି କ୍ୟାମେରା ଆଗରେ କାନ୍ଦି ପକାଇଛନ୍ତି। ସେ କହିଛନ୍ତି, ଆମେ ସମସ୍ତଙ୍କୁ ନିବେଦନ କରୁଛୁ ଯେ ଅକ୍ସିଜେନ ଥିବା ହସ୍ପିଟାଲକୁ ଲୋକମାନେ ସେମାନଙ୍କ ରୋଗୀଙ୍କୁ ନେଇ ଯାଆନ୍ତୁ। ଆମେ ବୁଝି ପାରୁଛୁ ଯେ ହସ୍ପିଟାଲରେ ଆଡମିଶନ ହେଉଥିବା ଜଣେ ରୋଗୀ କାହାର ବାପା, ମା, ଭାଇ, ଭଉଣୀ..।

ଯଦି ମୁଁ ମୋର ଅତି ନିଜର ଲୋକଙ୍କୁ ହରାଇବି, ନିଶ୍ଚିତ ଭାବେ ଭାଙ୍ଗି ପଡ଼ିବି। ସମସ୍ତଙ୍କ ସହ ସେମିତି ଘଟୁଛି ବୋଲି ସେ କହିଥିଲେ। ଏତିକି ବେଳେ ସେ କ୍ୟାମେରା ସାମ୍ନାରେ ହିଁ କାନ୍ଦି ପକାଇଥିଲେ।