Odisha Link
Bridging the Missing Links in Odisha

ଆସାମରେ ପୁଣି ବିଜେପି, କେରଳରେ ଖାତା ଖୋଲିପାରିଲାନି

ଓଏଲ୍‌ ବ୍ୟୁରୋ: ପାଞ୍ଚଟି ରାଜ୍ୟର ବିଧାନସଭା ପାଇଁ ଆଜି ଭୋଟଗଣତି ହୋଇଥିବା ବେଳେ ଗୋଟିଏ ମାତ୍ର ରାଜ୍ୟରେ ବିଜେପି ବାଜିମାତ କରିଛି। ଆସାମରେ ଲଗାତାର ଦ୍ବିତୀୟ ଥର ପାଇଁ କ୍ଷମତାକୁ ଆସିଛି ବିଜେପି। ଅନ୍ୟପଟେ ବହୁ କସରତ ସତ୍ତ୍ବେ କେରଳରେ ଗୋଟିଏ ବି ଆସନ ହାତେଇ ପାରିନି ଏହି ଜାତୀୟ ଦଳ।

ଆସାମ, ପଶ୍ଚିମବଙ୍ଗ, କେରଳ, ତାମିଲନାଡ଼ୁ ଓ ପୁଦୁଚେରୀ ପାଇଁ ଆଜି ଭୋଟଗଣତି ହୋଇଛି।

୧୨୬ ଆସନ ବିଶିଷ୍ଟ ଆସାମ ବିଧାନସଭାରେ କୌଣସି ବି ଦଳ ସଂଖ୍ୟା ଗରିଷ୍ଠତା ହାସଲ କରିନାହିଁ। ଏଠାରେ ସରକାର ଗଢ଼ିବା ପାଇଁ ଅତି କମରେ ୬୪ ଆସନ ଆବଶ୍ୟକ। ବିଜେପି ୬୨ ଆସନରେ ଆଗୁଆ ଥିବା ବେଳେ କଂଗ୍ରେସ ୪୮ ଆସନରେ ଆଗୁଆ ରହିଛି। ତେବେ ବିଜେପି ନେତୃତ୍ବାଧୀନ ଏନ୍‌ଡିଏ ଏଠାରେ ୭୭ଟି ଆସନରେ ଆଗୁଆ ଥୁବା ବେଳେ ସରକାର ଗଢ଼ିବା ନିଶ୍ଚିତ ହୋଇଛି। ଲଗାତାର ଭାବେ ୫ମ ଥର ପାଇଁ ଆସାମରେ ବିଜୟୀ ହୋଇଛନ୍ତି ହିମନ୍ତ ବିଶ୍ବା ଶର୍ମା। ସେ ଏଥର ଆସାମର ମୁଖ୍ୟମନ୍ତ୍ରୀ ହେବା ନେଇ ଚର୍ଚ୍ଚା ହେଉଛି।

ପଶ୍ଚିମବଙ୍ଗରେ ଚିତପଟାଙ୍ଗ ମାରିଛି ବିଜେପି। ପ୍ରଶାନ୍ତ କିଶୋରଙ୍କ ପୂର୍ବାନୁମାନ ସତ ହୋଇଛି। ବିଜେପି ତିନିଅଙ୍କ ଆସନ ଛୁଇଁ ପାରିନାହିଁ। ୨୯୪ ଆସନ ବିଶିଷ୍ଟ ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ନେତୃତ୍ବରେ ଟିଏମ୍‌ସି ୨୧୪ ଆସନରେ ଆଗୁଆ ଥିବା ବେଳେ ଆବଶ୍ୟକ ସଂଖ୍ୟାଗରିଷ୍ଠତା (୧୪୮) ଠାରୁ ଅଧିକ ଆସନ ଜିତି ସାରିଛି। ଅନ୍ୟପଟେ ବିଜେପି ମାତ୍ର ୭୭ ଆସନରେ ଆଗୁଆ ରହିଛି। ପଶ୍ଛିମବଙ୍ଗରେ କଂଗ୍ରେସ ଏଥର ସମ୍ପୂର୍ଣ୍ଣ ମାଟିକାମୁଡ଼ିଛି। ସଂଧ୍ୟା ୮ଟା ସୁଦ୍ଧା ଗୋଟିଏ ବି ଆସନ ହାତେଇନାହିଁ କଂଗ୍ରେସ।

ମୋାଦି ଓ ଶାହଙ୍କ ପ୍ରଚାର ସତ୍ତ୍ବେ କେରଳରେ ଗୋଟିଏ ବି ଆସନରେ ବିଜୟୀ ହୋଇପାରିନାହିଁ ବିଜେପି। ୧୪୦ ଆସନ ବିଶିଷ୍ଟ କେରଳ ବିଧାନସଭାରେ ପୁଣି ଥରେ ସଂଖ୍ୟା ଗରିଷ୍ଠତା ହାସଲ କରିଛି ସିପିଆଇଏମ୍‌ ନେତୃତ୍ବାଧୀନ ମେଣ୍ଟ ଏଲ୍‌ଡିଏଫ୍। ଏଲ୍‌ଡିଏଫ୍‌ ୯୬ଟି ଆସନରେ ଆଗୁଆ ଥିବା ବେଳେ କେବଳ ସିପିଆଇଏମ୍‌ ୬୨ ଆସନରେ ଆଗୁଆ ରହିଛି। କଂଗ୍ରେସ ନେତୃତ୍ବାଧୀନ ୟୁଡିଏଫ୍‌ ୪୩ ଆସନରେ ଆଗୁଆ ଥିବା ବେଳେ କେବଳ କଂଗ୍ରେସ୍‌ ୨୧ ଆସନରେ ଆଗୁଆ ରହିଛି।

ତାମିଲନାଡ଼ୁରେ ଏଥର ପଟ୍ଟଚିତ୍ର ବଦଳିଛି। ଡିଏମ୍‌କେ ପୁଣି କ୍ଷମତାକୁ ଫେରିବାର ବାଟଫିଟିଛି। ୨୩୪ ବିଧାନସଭା ଆସନ ବିଶିଷ୍ଟ ଏହି ରାଜ୍ୟରେ ୧୩୨ ଆସନରେ ଆଗୁଆ ଅଛି ଏମ୍‌କେ ଷ୍ଟାଲିନ୍‌ ନେତୃତ୍ବାଧୀନ ଡିଏମ୍‌କେ। ଏଆଇଡିଏମ୍‌କେ ୬୯ ଆସନରେ ଆଗୁଆ ଥିବା ବେଳେ ବିଜେପି ମାତ୍ର ୪ ଆସନରେ ଆଗୁଆ ରହିଛି।

୩୦ ଆସନ ବିଶିଷ୍ଟ ପୁଦୁଚାରୀରେ ବିଜୟ ଆଶା ବାନ୍ଧି ବସିଥିବା ବିଜେପିକୁ ନିରାଶ ହେବାକୁ ପଡ଼ିଛି। ଏଠାରେ ମଧ୍ୟ ଡିଏମ୍‌କେ ନିର୍ଣାୟକ ହୋଇଛି। ଏଆଇଏନ୍‌ଆର୍‌ସି ୧୦ ଆସନରେ ଆଗୁଆ ଥିବା ବେଳେ ଡିଏମ୍‌କେ ୬ ଆସନରେ ଆଗୁଆ ରହିଛି। କଂଗ୍ରେସ ମଧ୍ୟ ୨ଟି ଆସନରେ ଆଗୁଆ ଅଛି। ବିଜେପି ଏଠାରେ ମାତ୍ର ୫ଟି ଆସନରେ ବିଜୟ ସମ୍ଭାବନା ଦେଖୁଛି।

(ରାତି ୯ଟା ସୁଦ୍ଧା ପ୍ରାପ୍ତ ସୂଚନା ଆଧାରରେ ଏ ଖବର ପରିବେଷିତ। ଚୂଡ଼ାନ୍ତ ସଂଖ୍ୟାରେ ପରିବର୍ତ୍ତନ ହୋଇପାରେ।)

Leave A Reply

Your email address will not be published.