Odisha Link
Bridging the Missing Links in Odisha

ପରମାଣୁ ବୋମା ମ୍ୟୁଜିୟମରେ ରଖିବାକୁ ହୋଇଛି କି? ପାକ୍‌ ସାଂସଦଙ୍କ ବିବାଦୀୟ ଭାଷଣ ଭିଡିଓ ଭାଇରାଲ

ଇସ୍ରାଏଲ ବିପକ୍ଷରେ ଧର୍ମଯୁଦ୍ଧ କରିବା ପାକିସ୍ତାନ ବିପକ୍ଷରେ ଏକାମାତ୍ର ବିକଳ୍ପ ରହିଛି ବୋଲି ମୌଲାନା ସଂସଦରେ କହିଛନ୍ତି। ଏଥିସହିତ ଭାଷଣରେ କାଶ୍ମୀର ନା ନେଇଥିବାର ମଧ୍ୟ ଦେଖିବାକୁ ମିଳିଛି। ସେ କହିଛନ୍ତି ଯେ, ଯଦି ଆମେ ପାଲେଷ୍ଟାଇନ୍‌ ଓ କଶ୍ମୀରକୁ ସ୍ବାଧୀନତା ଦେଇ ପାରିବା ନାହିଁ ତେବେ ଆମକୁ ମିଶାଇଲ, ପରମାଣୁ ବୋମା ବା ବଡ଼ ସେନାର ଆବଶ୍ୟକତା ନାହିଁ।

ନୂଆଦିଲ୍ଲୀ: ଦିନ ପରେ ଦିନ ଗଡ଼ିବା ସହ ଇସ୍ରାଏଲ ଓ ପାଲେଷ୍ଟାଇନ୍‌ ମଧ୍ୟରେ ସଂଘର୍ଷ ବଢ଼ିବାରେ ଲାଗିଛି। ଦୁଇ ଦେଶ ମଧ୍ୟରେ ଲାଗି ରହିଥିବା ସଂଘର୍ଷ ଏବେ ଯୁଦ୍ଧର ରୂପ ନେବାରେ ଲାଗିିଛି। ଯାହାକୁ ନେଇ ଚିନ୍ତାରେ ବିଶ୍ବ ସମୂହ। ୧୦ ଦିନ ବିତିଯାଇଥିଲେ ସୁଦ୍ଧା ଇସ୍ରାଏଲ ସେନା ଓ ପାଲେଷ୍ଟାଇନର ଆତଙ୍କୀ ସଙ୍ଗଠନ ମଧ୍ୟରେ ରକେଟ ବର୍ଷା କରିବାରେ ଲାଗିଛନ୍ତି। ଏସବୁ ମଧ୍ୟରେ ପାକିସ୍ତାନର ଜଣେ ସାଂସଦ ସଂସଦରେ ଇସ୍ରାଏଲ ବିପକ୍ଷରେ ଧର୍ମଯୁଦ୍ଧ କରିବା ପାଇଁ ପରାମର୍ଶ ଦେଇଛନ୍ତି। ଏଥିସହିତ ପରମାଣୁ ଆକ୍ରମଣ କଥା ଉଠାଇଛନ୍ତି। ପାକ୍‌ ସାଂସଦଙ୍କର ଏଭଳି ବିବାଦୀୟ ଭାଷଣର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି।

ସାମ୍ବାଦିକା ନାଇଲା ଇନାୟତ ନିଜ ଟ୍ବିଟର ହ୍ୟାଣ୍ଡେଲରେ ଏକ ଭିଡିଓ ସେୟାର କରିଛନ୍ତି। ସେୟାର ହୋଇଥିବା ଭିଡିଓରେ ପାକ୍‌ ସାଂସଦ ମୌଲାନା ଚିତରାଲୀ ଭାଷଣ ଦେଉଥିବାର ଦେଖିବାକୁ ମିଳିଛି। ଇସ୍ରାଏଲ ବିପକ୍ଷରେ ଧର୍ମଯୁଦ୍ଧ କରିବା ପାକିସ୍ତାନ ବିପକ୍ଷରେ ଏକାମାତ୍ର ବିକଳ୍ପ ରହିଛି ବୋଲି ମୌଲାନା ସଂସଦରେ କହିଛନ୍ତି। ଏଥିସହିତ ଭାଷଣରେ କାଶ୍ମୀର ନା ନେଇଥିବାର ମଧ୍ୟ ଦେଖିବାକୁ ମିଳିଛି। ସେ କହିଛନ୍ତି ଯେ, ଯଦି ଆମେ ପାଲେଷ୍ଟାଇନ୍‌ ଓ କଶ୍ମୀରକୁ ସ୍ବାଧୀନତା ଦେଇ ପାରିବା ନାହିଁ ତେବେ ଆମକୁ ମିଶାଇଲ, ପରମାଣୁ ବୋମା ବା ବଡ଼ ସେନାର ଆବଶ୍ୟକତା ନାହିଁ। କେବଳ ସଂଗ୍ରହାଳୟରେ ରଖିବା ପାଇଁ ପରମାଣୁ ବୋମା ରଖାଯାଇଛି କି ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି ପାକ୍‌ ସାଂସଦ। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଅନ୍ତରାଷ୍ଟ୍ରୀୟ ଗଣମାଧ୍ୟମ ସଂସ୍ଥା ଅଲଜିରାରେ ମେ ୧୭ରେ ପ୍ରକାଶିତ ରିପୋର୍ଟ ଅନୁସାରେ ପାକିସ୍ତାନ ପାଲେଷ୍ଟାଇନ୍‌କୁ ନେଇ ଗଭୀର ଚିନ୍ତା କରିବା ସହିତ ତା ସହିତ ଠିଆ ହେବା ପାଇଁ ଇଚ୍ଛା ପ୍ରକାଶ କରିଛି। ଏଥିସହିତ ଲାଗିରହିଥିବା ସଂଘର୍ଷରେ ଆମେରିକାର ଭୂମିକାକୁ ଜୋର ଦେଇଛି ପାକିସ୍ତାନ। କିଛିଦିନ ତଳେ ପାକ୍‌ ବୈଦେଶିକ ମନ୍ତ୍ରୀ ଶାହ ମହମୁଦ କ୍ୟୁରେଶି ଆମେରିକା ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ଲିଙ୍କନଙ୍କ ସହ ଫୋନରେ କଥାବାର୍ତ୍ତା ହୋଇଥିଲେ।