Odisha Link
Bridging the Missing Links in Odisha

ପୁରୀ: ୩ ମହାରଣା ଓ ୫ ଭୋଇ ସେବକ ପଜିଟିଭ

ପୁରୀ: ରାଜ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ। ଏପରିକି ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଅନ୍ୟପଟେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ଚାଲିଛି ରଥ ନିର୍ମାଣ କାର୍ଯ୍ୟ। ରଥଖଳା ଚଳଚଞ୍ଚଳ ଥିବା ବେଳେ ଆସିଛି ବଡ଼ ଖବର। ରଥ ନିର୍ମାଣରେ ନିୟୋଜିତ ୩ ମହାରଣା ସେବାୟତ ଓ ୫ ଭୋଇ ସେବାୟତ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ମିଳିଥିବା ସୂଚନା ମୁତାବିକ ପଜିଟିଭ ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କୁ ଆଇସୋଲେସନରେ ରଖାଯାଇଛି। ଏବଂ ତାଙ୍କ ସ୍ବାସ୍ଥ୍ୟବସ୍ଥା ଉପରେ ନଜର ରଖାଯାଇଛି। ଅପରପକ୍ଷେ କରୋନାର ଦ୍ୱିତୀୟ ଲହରରେ ୨ ସେବାୟତ ଓ ୨ ପରିବାର ସଦସ୍ୟଙ୍କ ମୃତୁ୍ୟ ହୋଇଛି । ଜଣେ ଜେଟିପିଙ୍କର ସଂକ୍ରମଣରେ ମୃତୁ୍ୟ ନେଇ ଉନ୍ନୟନ ପ୍ରଶାସକଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏପର୍ଯ୍ୟନ୍ତ ୮୮ ଜଣ ରଥ ସେବକଙ୍କ କୋଭିଡ ଟେଷ୍ଟରୁ ଏହି ୮ ଜଣଙ୍କର ରିପୋର୍ଟ ପଜିଟିଭ ହୋଇଛନ୍ତି।

କୋଭିଡ କଟକଣା ମଧ୍ୟରେ ରଥଖଳାରେ ଚାଲିଛି ଶ୍ରୀଜିଉଙ୍କ ତିନି ରଥର ନିର୍ମାଣ କାମ । ବିଶ୍ବକର୍ମା, ଭୋଇ ଓ କରତି ସେବାୟତମାନେ ରଥର ତୁମ୍ବ ନିର୍ମାଣ କାର୍ଯ୍ୟ ଜାରି ରଖିଛନ୍ତି। ରଥ କାଠକୁ ତୁମ୍ବ ଆକାରରରେ ଚିରଟ କାର୍ଯ୍ୟ କରତୀ ସେବାୟତ କରୁଥିବା ବେଳେ ମହାରଣା ମାନେ ତୁମ୍ବ ଓ ପହି ନିର୍ମାଣ ଜାରି ରଖିଛନ୍ତି । ଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ରଥ ସହ ସମ୍ପୃକ୍ତ ସମସ୍ତ ସେବାୟତଙ୍କୁ ନୀଳାଚଳ ଭକ୍ତ ନିବାସରେ ସଙ୍ଗରୋଧରେ ରଖାଯାଇଛି। ସଂକ୍ରମଣ ଆଶଙ୍କାରେ ସେମାନେ ଘରକୁ ନଯାଇ ସେଠାରେ ଶେଷ ପର୍ଯ୍ୟନ୍ତ ରହି ରଥ କାର୍ଯ୍ୟ କରିବେ।

ସୂଚନାଥାଉକି, ଗତ ୨୪ ଘଣ୍ଟା ମଧ୍ୟରେ ୧୧,୪୯୮ ବ୍ୟକ୍ତି କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ସଂକ୍ରମିତଙ୍କ ସଂଖ୍ୟା ୬,୫୫,୮୯୯ରେ ପହଁଞ୍ଚିଛି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୬୪୩୯ ଜଣ କ୍ବାରାଣ୍ଟିନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୫୦୫୯ ଜଣ ସ୍ଥାନୀୟ ବାସିନ୍ଦା ଚିହ୍ନଟ ହୋଇଛନ୍ତି।

ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୫ ଜଣଙ୍କ ଜୀବନ ଯାଇଛି। ଯାହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ଜନିତ ମୃତ୍ୟୁସଂଖ୍ୟା ୨୪ଶହ ପାର କରିଛି।

Leave A Reply

Your email address will not be published.