Odisha Link
Bridging the Missing Links in Odisha

ଇସ୍ତଫା ଦେଲେ ଶୋଭନ ଦେବ, ଭବାନୀପୁରରୁ ଲଢିପାରନ୍ତି ମମତା!

ଦିଦି ସହଜରେ ବିଧାନସଭା ନିର୍ବାଚନ ଜିତନ୍ତୁ ଓ ମୁଖ୍ୟମନ୍ତ୍ରୀ ଭାବେ ପଶ୍ଚିମବଙ୍ଗବାସୀଙ୍କ ସେବା କରନ୍ତୁ

ପଶ୍ଚିମବଙ୍ଗ: ଭବାନୀପୁରରୁ ଲଢିପାରନ୍ତି ମମତା। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ନନ୍ଦୀଗ୍ରାମରୁ ବିଧାୟକ ପ୍ରାର୍ଥୀ ଭାବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପରାଜିତ ହୋଇଥିଲେ। ମୁଖ୍ୟମନ୍ତ୍ରୀ ହୋଇଥିବାରୁ ନିୟମ ମୁତାବକ ୬ ମାସ ମଧ୍ୟରେ ତାଙ୍କୁ ନିର୍ବାଚନ ଜିତି ବିଧାନସଭା ସଦସ୍ୟ ହେବାକୁ ପଡିବ। ଏହାରି ମଧ୍ୟରେ ଭବାନୀପୁରରୁ ବିଧାୟକ ଭାବେ ଜିତିଥିବା ଟିଏମସି ନେତା ଶୋଭନ ଦେବ ଆଜି ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି।

ଶୋଭନ ଦେବଙ୍କ ଇସ୍ତଫା ପରେ ମମତା ବାନାର୍ଜୀ ଭବାନୀପୁର ଆସନରୁ ପ୍ରାର୍ଥୀ ହେବା ନେଇ ଅନୁମାନ କରାଯାଉଛି। ଭବାନୀପୁର ମମତା ବାନାର୍ଜୀଙ୍କର ପାରମ୍ପାରିକ ଆସନ।

ଅନ୍ୟପଟେ ଆଜି ଇସ୍ତଫା ଦେବା ପରେ ଶୋଭନ ଦେବ କହିଛନ୍ତି, ମମତା ବାନାର୍ଜୀଙ୍କୁ ୬ ମାସ ମଧ୍ୟରେ ରାଜ୍ୟର ଯେ କୌଣସି ଆସନରୁ ଜିତି ବିଧାନସଭାର ସଦସ୍ୟ ହେବାକୁ ପଡିବ। ତାଙ୍କ ଆସନରୁ ପ୍ରତିଦ୍ୱନ୍ଦିତା କରି ମୁଁ ବିଜୟୀ ହୋଇଥିଲି। ‘ମୁଁ ଏଥିପାଇଁ ଇସ୍ତଫା ଦେଉଛି, ଦିଦି ସହଜରେ ବିଧାନସଭା ନିର୍ବାଚନ ଜିତନ୍ତୁ ଓ ମୁଖ୍ୟମନ୍ତ୍ରୀ ଭାବେ ପଶ୍ଚିମବଙ୍ଗବାସୀଙ୍କ ସେବା କରନ୍ତୁ’

କେବଳ ଚଳିତ ନିର୍ବାଚନ ନୁହେଁ , ୨୦୧୧ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ବେଳେ ବି ସମାନ ସ୍ଥିତି ଦେଖିବାକୁ ମିଳିଥିଲା। ଭବାନୀପୁର ଆସନରୁ ତୃଣମୂଳ କଂଗ୍ରେସ ଟିକେଟରୁ ସୁବ୍ରତ ବକ୍ସି ନିର୍ବାଚିତ ହୋଇଥିଲେ। ହେଲେ ସେ ଇସ୍ତଫା ଦେଇଥିଲେ। ତା ପରେ ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ଥାଇ ଭବାନୀପୁର ଆସନରୁ ନିର୍ବାଚନ ଲଢି ବିଧାନସଭାର ସଦସ୍ୟ ହୋଇଥିଲେ।

ପଶ୍ଚିମବଙ୍ଗରେ ବିଧାନପରିଷଦ ନଥିବାରୁ ମମତା ବାନାର୍ଜୀଙ୍କୁ କୌଣସି ବି ଆସନରୁ ନିର୍ବାଚନ ଲଢି ୬ ମାସ ମଧ୍ୟରେ ବିଧାନସଭା ସଦସ୍ୟ ହେବାକୁ ପଡିବ। ତେଣୁ ସେ ଭବାନୀପୁର ଆସନରୁ ନିର୍ବାଚନ ଲଢିପାରନ୍ତି ବୋଲି ଅନୁମାନ କରାଯାଉଛି।

Leave A Reply

Your email address will not be published.