Odisha Link
Bridging the Missing Links in Odisha

କରୋନା: ରାଜ୍ୟରେ ୨୫ଶହ ମୁହାଁ ମୃତ୍ୟୁ ସଂଖ୍ୟା, ଦିନକରେ ଚାଲିଗଲା ୨୮ ଜୀବନ

ଭୁବନେଶ୍ବର: ରାଜ୍ୟରେ ଲାଗୁ ହୋଇଛି ଲକ୍‌ଡାଉନ୍, ସଟ୍‌ଡାଉନ୍‌ ଭଳି କଟକଣା। ହେଲେ ଏବେ ବି କରୋନା ସଂକ୍ରମଣକୁ ପ୍ରତିହତ କରିବାରେ ସଫଳ ହୋଇ ନାହିଁ କଟକଣା। ଦିନକୁ ଦିନ ରାଜ୍ୟରେ ଉପର ମୁହାଁ ହେଉଛି କରୋନା ଗ୍ରାଫ। ଏଥିସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଦିନକରେ ୧୨,୮୫୨ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୨୮ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୪୮୪ରେ ପହଁଞ୍ଚିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ମୃତ୍ୟୁ ବରଣ କରିଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୫ଜଣ, କଳାହାଣ୍ଡି ଓ ସୁନ୍ଦରଗଡ଼ ଜିଲ୍ଲାରୁ ୪ଜଣ ଲେଖାଏଁ ରହିଛନ୍ତି। ଅନୁଗୁଳ , କେନ୍ଦ୍ରାପଡ଼ା ଜିଲ୍ଲାରୁ ୩ଜଣ ଲେଖାଏଁ ରହିଥିବା ବେଳେ ନବରଙ୍ଗପୁର , ପୁରୀ , ରାୟଗଡ଼ା ଜିଲ୍ଲାରୁ ୨ଜଣ ଲେଖାଏଁ ରହିଛନ୍ତି। ସେହିପରି ଗଜପତି, ଗଞ୍ଜାମ, ନୂଆପଡ଼ା ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୬,୯୨,୩୮୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥି ମଧ୍ୟରୁ ୧,୧୧,୮୬୨ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୫,୭୭,୯୮୩ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାସହ କରୋନାରେ ମୋଟ ମୃତକଙ୍କ ସଂଖ୍ୟା ୨୪୮୪ରେ ପହଞ୍ଚିଥିବା ବେଳେ ଅନ୍ୟରୋଗ ଯୋଗୁଁ ମୃତ୍ୟୁ ସଂଖ୍ୟା ୫୩ରେ ରହିଛି।

Leave A Reply

Your email address will not be published.