Odisha Link
Bridging the Missing Links in Odisha

ରଥଯାତ୍ରା ୨୦୨୧: ଆଜିଠୁ ଆରମ୍ଭ ହେବ ଅଖ କାମ

ପୁରୀ: ଆଗକୁ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ଶ୍ରୀଜିଉଙ୍କ ରଥଯାତ୍ରା ଯେତିକି ପାଖେଇ ଆସୁଛି ସେତିକି ଚଳଚଞ୍ଚଳ ହୋଇ ଉଠୁଛି ରଥଖଳା। କରୋନା କଟକଣାକୁ ଜଗି ଆଗଉଛି ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ । ଅନ୍ୟପଟେ ରଥର ନାହାକା ଚକରେ ପଇତା ପିନ୍ଧାଯାଇଛି। ଅର୍ଥାତ୍ ପଇର ମଝି ଅଂଶରେ ଅଢ଼େଇ ଇଞ୍ଚର ଏକ ବିଟ ଭଳି ଚକ୍ରାକାର ବଳୟ ହେଉଛି ‘ପଇତା’ । ପୁରୁଷ ଛାତିରେ ପଇତା ସଦୃଶ । ବାରିସିରେ ହାଣି ନିପୁଣ ବିଶ୍ୱକର୍ମାମାନେ ଏହାକୁ ତିଆରି କରିଛନ୍ତି । ଚକର ସୌନ୍ଦର୍ଯ୍ୟ ବୃଦ୍ଧି କରେ ପଇତା।

ଆଜିଠୁ ରଥର ଅଖ କାମ ଆରମ୍ଭ ହେବ। ଏଣୁ ଭୋଇ ସେବକମାନେ ଅଖ କାଠ ଆଣି ଯଥାସ୍ଥାନରେ ରଖିଛନ୍ତି। ପ୍ରଥମେ ରଥ ମୁଖ୍ୟ ନାହାକା ଅଖ କାମ ଆରମ୍ଭ ହେବ। ମହାପ୍ରଭୁଙ୍କ ଭଉଁରୀ ଉତ୍ସବକୁ ଦୃଷ୍ଟି ଦେଇ କାମ ଆଗଉଛି। ଏହି ପବିତ୍ର ତିଥିରେ ରଥର ଚକ ଓ ଅଖ ସଂଯୁକ୍ତ ହେବ।

ଶ୍ରୀନଅର ସମ୍ମୁଖ ରଥଖଳାରେ ମୁଖ୍ୟତଃ ଚକ କାମ ଚାଲିଛି । ଆଉ ଦୁଇଟି ଲେଖାଏଁ ପଡ଼ି ନାହାକା ଚକ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଉଛୁଳା ଚକ କାମ ମଧ୍ୟ ଆରମ୍ଭ ହୋଇଯାଇଛି । ମୁଖ୍ୟ ନାହାକା ଚକ ପାଖକୁ ପଡ଼ି ନାହାକା ଓ ତା’ପାଖକୁ ଉଛୁଳା ଚକ ରହିବ । ଏପଟେ ଭୋଇସେବକମାନେ ଯନ୍ତାଗାଡ଼ରେ ସିଙ୍ଗଡ଼ା (ତୁମ୍ବରେ ପଇ ସଂଯୋଗ) ତିଆରି କରି ରଥଖଳାକୁ ଯୋଗାଉଛନ୍ତି । ବିଶ୍ୱକର୍ମାମାନେ ପଇରେ ବିନ୍ଧ କରି ଚକ ପ୍ରସ୍ତୁତି ଆଗଉଛନ୍ତି । ମିଳିତ ଭାବେ ବିଲେଇ ବାଡ଼ିଆ ପଦ୍ଧତିରେ ଚକ ତିଆରି ଚାଲିଛି ।

Leave A Reply

Your email address will not be published.