ଆଜିଠୁ ଲକଡାଉନ ଆଂଶିକ କୋହଳ, କ’ଣ ଖୋଲା, କ’ଣ ବନ୍ଦ ରହିବ ଜାଣନ୍ତୁ…

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ କମୁଥିବାରୁ ଆଜିଠୁ ଲକଡାଉନ କଟକଣାକୁ ଆଂଶିକ କୋହଳ କରାଯାଇଛି। ସଂକ୍ରମଣ ହାରକୁ ଦେଖି ରାଜ୍ୟର ସମସ୍ତ ଜିଲ୍ଲାକୁ ଦୁଇଟି କାଟାଗୋରୀ ବିଭକ୍ତ କରାଯାଇଛି। ୫ ପ୍ରତିଶତରୁ କମ ସଂକ୍ରମଣ ଥିବା ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ଜିଲ୍ଲାକୁ କାଟାଗୋରୀ ‘ଏ’ରେ ରଖାଯାଇଛି। ୧୭ ଜିଲ୍ଲାରେ ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏଁ ଦୋକାନ ଖୋଲିବାକୁ ଅନୁମତି ମିଳିଛି।
ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, କଳାହାଣ୍ଡି, ବଲାଙ୍ଗୀର, ନୂଆପଡା, ସୁବର୍ଣ୍ଣପୁର, ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଓ ରାୟଗଡ଼ା ଜିଲ୍ଲାରେ ସକାଳ ୬ରୁ ସନ୍ଧ୍ୟା ୫ଟା ଯାଏଁ ଦୋକାନ ଖୋଲା ରହିବ। କେବଳ ମଲ, ଜିମ, ସେଲୁନ ଓ ସ୍ପା ଆଦି ପୂର୍ବପରି ବନ୍ଦ ରହିବ। ଉଠା ଦୋକାନୀମାନେ ରାସ୍ତାକଡ଼ରେ ଖାଦ୍ୟ ଜିନିଷ ବିକ୍ରି କରିପାରିବେ।
ଖୋର୍ଦ୍ଧା, ପୁରୀ, ନୟାଗଡ, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ସକାଳ ୬ରୁ ଦିନ ୧ଟା ଦୋକାନ ଖୋଲା ରହିବ। ଏସବୁ ଜିଲ୍ଲାରେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ। ନିର୍ମାଣ ସାମଗ୍ରୀ ଦୋକାନ, ଇଲେକ୍ଟି୍ର ଦୋକାନ ଆଦି ଖୋଲା ରହିବ। ସ୍ୱାସ୍ଥ୍ୟସେବା ସମ୍ପର୍କିତ ଦୋକାନ ଓ କୃଷି ଉପକରଣ ଦୋକାନ ଖୋଲା ରହିବ।
ଦୁଗ୍ଧ ବ୍ୟବସାୟୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ମିଠା ଦୋକାନଗୁଡିକୁ ନିର୍ଦ୍ଧାରିତ ସମୟ ଭିତରେ ଖୋଲିବାକୁ ଅନୁମତି ଦିଆଯାଇଛି। ଉଠା ଦୋକାନରେ ଖାଦ୍ୟ ବିକ୍ରିକୁ ଅନୁମତି ଦିଆଯାଇଛି। ତେବେ ସେଠାରେ କେବଳ ଖାଦ୍ୟ ପାର୍ସଲ୍ ଦିଆଯିବ। ସେହିପରି ସାଇକେଲ୍, ଗାଡ଼ି ବିକ୍ରି ଓ ମରାମତି ଦୋକାନ ଖୋଲା ରହିବ। ମର୍ଣ୍ଣିଂ ୱାକ୍, ଜଗିଂ ଓ ସାଇକେଲିଂ ପାଇଁ ସକାଳ ୬ଟାରୁ ୯ଟା ତିନି ଘଣ୍ଟା ସମୟ ଦିଆଯାଇଛି କିନ୍ତୁ ଏହି ସମୟରେ ପାର୍କ, ଜିମ୍ ବନ୍ଦ ରହିବ।
କୌଣସି ଜିଲ୍ଲାରେ ଶିକ୍ଷାନୁଷ୍ଠାନ, ମଲ୍, ସେଲୁନ୍, ସ୍ପା, ସୁଇମିଂ ପୁଲ୍, ସିନେମା ହଲ୍ ଆଦି ଖୋଲିବ ନାହିଁ। ଦୈନିକ ଓ ସାପ୍ତାହିକ ହାଟ ପୂର୍ବ ପରି ବନ୍ଦ ରହିବ। ବିବାହ, ବ୍ରତ ଓ ଅନ୍ତ୍ୟେଷ୍ଟି କ୍ରିୟା ଉପରେ ଜାରି ହୋଇଥିବା କଟକଣା ବଳବତ୍ତର ରହିବ। ବିବାହ ପାଇଁ ୨୫ ଲୋକଙ୍କୁ, ବ୍ରତ ଓ ଅନ୍ତ୍ୟେଷ୍ଟି କ୍ରିୟା ପାଇଁ ମାତ୍ର ୨୦ ଜଣଙ୍କୁ ଅନୁମତି ମିଳିବ। ଏହିସବୁ କାର୍ଯ୍ୟକ୍ରମରେ ଭୋଜିଭାତ କରାଯିବ ନାହିଁ ଓ ଅତିଥିଙ୍କୁ କେବଳ ଖାଦ୍ୟ ପାର୍ସଲ୍ ଦିଆଯିବ।
ଯାତ୍ରବାହୀ ବସ୍ ଚଳାଚଳ ବନ୍ଦ ରହିବ। ସ୍ବାସ୍ଥ୍ୟ ସେବା, କୃଷି କାର୍ଯ୍ୟ, ନିର୍ମାଣ କାର୍ଯ୍ୟ, ଶ୍ରମିକ ପରିବହନ, ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ, ବ୍ୟାଙ୍କିଙ୍ଗ୍ ସେବା ଆଦି ପୂର୍ବ ପରି ଚାଲୁ ରହିବ। ସରକାରୀ ଓ ବେସରକାରୀ ଅଫିସ୍ଗୁଡ଼ିକ ୫୦% କର୍ମଚାରୀରେ କାର୍ଯ୍ୟ କରବେ। ଟିକା ଓ ଟେଷ୍ଟିଂ କାର୍ଯ୍ୟ ଜାରି ରହିବ।