Odisha Link
Bridging the Missing Links in Odisha

କୋଳ ଖାଲି କଲା କରୋନା, ବାହାଘର ଦିନ ପୁଅର ଉଠିଲା କୋକେଇ

ଭଦ୍ରକ: ପରିବାରରେ ହସଖୁସିର ମାହୋଲ ଥିଲା। କାରଣ ପୁଅର ବାହାଘର ହେବ। ନୂଆ ବୋହୁ ଆସିବ। ହେଲେ ହଠାତ୍‌ ପୁଅର ଦେହ ଅସୁସ୍ଥ ହୋଇଥିଲା। ଟେଷ୍ଟ କରିବାରୁ ରିପୋର୍ଟ ଆସିଥିଲା କରୋନା ପଜିଟିଭ। ଏମିତି ସ୍ଥିତିରେ ପରିବାର ଲୋକେ ବିବାହ ତାରିଖକୁ ଘୁଞ୍ଚାଇ ଦେଇଥିଲେ। ଆଉ ଆଶା ରଖିଥିଲେ ପୁଅ ସୁସ୍ଥ ହୋଇ ଫେରିବ ଆଉ ବାହାଘର ହେବ। ଜୁନ୍‌ ୧୧ ପରିବର୍ତ୍ତେ ୧୮ ତାରିଖକୁ ବାହାଘର ଘୁଞ୍ଚାଇ ଦିଆ ଯାଇଥିଲା। ଅର୍ଥାତ୍ ଆଜି ହୋଇଥା’ନ୍ତା ବାହାଘର। କିନ୍ତୁ ହୋଇପାରିଲାନି। ହେଲେ ବିଧିର ବିଧାନ ଥିଲା ଅଲଗା। କାରଣ ତା’ପୂର୍ବରୁ କରୋନା ଖାଲି କରି ଦେଲା ମା’ର କୋଳ। ବର ବେଶରେ ବିବାହ ବେଦୀ ବଦଳରେ ଶବ ହୋଇ ମଶାଣିକୁ ଗଲା ପୁଅ। ଏମିତି ଏକ ଅତ୍ୟନ୍ତ ଦୁଃଖଦ ଘଟଣା ଘଟି ଯାଇଛି ଭଦ୍ରକ ଜିଲ୍ଲାରେ।

ମିଳିଥିବା ସୂଚନା ମୁତାବିକ, ପ୍ରାଣବନ୍ଧୁ ନାଥଙ୍କ ୨୮ ବର୍ଷ ବୟସ୍କ ପୁଅ ଚନ୍ଦ୍ରମଣୀଙ୍କର ଗତ ୧୧ ତାରିଖରେ ବିବାହ ପାଇଁ ସମସ୍ତ ପ୍ରସ୍ତୁତି ସରିଥିଲା। ୩ ଦିନ ପୂର୍ବରୁ ଲଗ୍ନ ମଧ୍ୟ ହୋଇଥିଲା ହେଲେ ତା ପରଦିନ ହଠାତ୍ ଜ୍ଵର ହେବାରୁ କରୋନା ଟେଷ୍ଟ ପରେ ସଂକ୍ରମିତ ଚିହ୍ନଟ ହୋଇଥିଲେ ପୁଅ। ସେଥିପାଇଁ ବିବାହ ତାରିଖ ଘୁଞ୍ଚାଇ ୧୮ ତାରିଖ ପାଇଁ ଧାର୍ଯ୍ୟ କରିଥିଲେ ଉଭୟ ପରିବାର।

ବିବାହ ଦିନ ଯେତେ ପାଖେଇ ଆସୁଥିଲା ଦେହ ମଧ୍ୟ ଭଲ ହେବାକୁ ଲାଗିଥିଲା। ପରିବାର ଲୋକ ସମସ୍ତ ପ୍ରସ୍ତୁତି ଚଳାଇଥିଲେ। ବନ୍ଧୁବାନ୍ଧବ ମଧ୍ୟ ଆସିସାରିଥିଲେ। ବର ପାଇଁ ନୂଆ ଲୁଗାପଟା ମଧ୍ୟ କିଣା ସରିଥିଲା।

ହେଲେ ହଠାତ ପୁଅ ନିଶ୍ବାସ ନେବାରେ କଷ୍ଟ ଅନୁଭବ କରି ପରିବାର ଲୋକଙ୍କୁ ଡାକିଥିଲେ। ଆଉ ପରିବାର ଲୋକ ଘରକୁ ଡାକ୍ତର ଡାକି ଦେଖିଲେ ପୁଅର ଅକ୍ସିଜେନ ଲେବଲ କମିଯାଉଛି। ମେଡିକାଲ ନେବାପାଇଁ ପ୍ରସ୍ତୁତ ହେଉଥିବା ବେଳେ ପୁଅର ମୃତ୍ୟୁ ଘଟିଥିଲା। ଗ୍ରାମବାସୀମାନେ ଶବ ସତ୍କାର ପାଇଁ କେହି ଆସିଲେ ନାହିଁ। ସ୍ଥାନୀୟ ସରପଞ୍ଚ, ବ୍ଲକ୍ ପ୍ରଶାସନ ଓ ମେଡିକାଲ କର୍ମଚାରୀଙ୍କ ସହଯୋଗରେ ଶବ ସତ୍କାର କରାଗଲା। ଏହି ଖବର ପ୍ରଚାରିତ ହେବା ପରେ ଏବେ ସାରା ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି।

Leave A Reply

Your email address will not be published.