Odisha Link
Bridging the Missing Links in Odisha

ନେତୃତ୍ୱ ନେବାରେ ରାହୁଲ ବିଫଳ କହି ଇସ୍ତଫା ଦେଲେ କଂଗ୍ରେସ ବିଧାୟକ

ଗୌହାଟି: ଆସାମରେ ଦେଖିବାକୁ ମିଳିଛି କଂଗ୍ରେସ କନ୍ଦଳ। କଂଗ୍ରେସ ନେତୃତ୍ୱ ତଥା ଗାନ୍ଧୀ ପରିବାରର ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇ ଜଣେ କଂଗ୍ରେସ ବିଧାୟକ ଦଳରୁ ଇସ୍ତଫା ଦେଇଛନ୍ତି। ଯାହାକି ଦଳ ଭିତରେ ନେତୃତ୍ୱକୁ ନେଇ ଥିବା ଅସନ୍ତୋଷ ଜଳ ଜଳ କରି ସ୍ପଷ୍ଟ ହୋଇଛି।

ଆସାମ ବିଧାନସଭାକୁ କଂଗ୍ରେସ ଟିକେଟ ପାଇ ଚାରି ଥର ନିର୍ବାଚିତ ହୋଇଥିବ ବିଧାୟକ ରୁପଜ୍ୟୋତି କୁର୍ମୀ ଆଜି ବାଚସ୍ପତି ଭେଟି ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି। ଏଥିସହ ହାତ ପାର୍ଟିକୁ ବାଏ ବାଏ କହିଛନ୍ତି। ଏବେ ସେ ବିଜେପିରେ ସାମିଲ୍ ହେବେ ବୋଲି ଜଣାପଡ଼ିଛି। ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଅସନ୍ତୋଷ ପ୍ରକାଶ କରି ଦଳରୁ ଇସ୍ତଫା ଦେଉଥିବା ରୁପଜ୍ୟୋତି କହିଛନ୍ତି।

ରୁପଜ୍ୟୋତି କୁର୍ମୀ ଆସାମର ଜୋରହାଟ ଜିଲ୍ଲାର ମରିଆନୀ ବିଧାନସଭା ଆସନରୁ ନିର୍ବାଚିତ ହୋଇଥିଲେ। ୨୦୦୬ ପାଖରୁ ମୋଟ୍ ୪ ଥର ଆସାମ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ସେ କଂଗ୍ରେସ ଟିକେଟରୁ ନିର୍ବାଚିତ ହେବା ପୂର୍ବରୁ ତାଙ୍କ ମା’ ସମାନ ଆସନରୁ ବିଧାନସଭାକୁ ତିନି ଥର ନିର୍ବାଚିତ ହୋଇଥିଲେ। ଆସାମରେ କଂଗ୍ରେସ ସରକାରରେ ମନ୍ତ୍ରୀ ମଧ୍ୟ ରୁପଜ୍ୟୋତିଙ୍କ ମା’ ଥିଲେ। ୨୦୦୪ରେ ରୁପଜ୍ୟୋତିଙ୍କ ମାଙ୍କର ଦେହାନ୍ତ ହୋଇଥିଲା। ଏହାପରେ ସେ ୨୦୦୬ରେ ଉପନିର୍ବାଚନରେ କଂଗ୍ରେସ ଟିକେଟରୁ ବିଜୟୀ ହୋଇ ବିଧାନସଭାକୁ ନିର୍ବାଚିତ ହେଉଛନ୍ତି।

Leave A Reply

Your email address will not be published.