Odisha Link
Bridging the Missing Links in Odisha

ପରଲୋକରେ ବିଶିଷ୍ଟ ଶିକ୍ଷାବିତ ପୁରୁଷୋତ୍ତମ ରାଉତ

ରାଜକନିକା: କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ ଅନ୍ତର୍ଗତ ତେନ୍ତୁଳିକୋଳି ଗ୍ରାମର ବିଶିଷ୍ଟ ଶିକ୍ଷାବିତ ପୁରୁଷୋତ୍ତମ ରାଉତଙ୍କର ଗତ ମଙ୍ଗଳବାର ଦିନ ପରଲୋକ ହୋଇଯାଇଛି । ସେ ଜଣେ ପରୋପକାରୀ, ମିଷ୍ଟଭାଷୀ, ଧର୍ମପରାୟଣ ତଥା ବିଶିଷ୍ଟ ଶିକ୍ଷାବିତ ଭାବେ ପରିଚିତ ଥିଲେ । ତାଙ୍କ ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସ୍ୱର୍ଗତ ରାଉତ କରୋନାରେ ଆକ୍ରାନ୍ତ ହୋଇ ଗତ ଜୁନ ୨୧ ତାରିଖରେ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି ହୋଇଥିଲେ । ମାତ୍ର ଗତ ଜୁଲାଇ ୬ ତାରିଖରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା ।

ସ୍ୱର୍ଗତଃ ରାଉତ ୧୯୩୭ ମସିହା ଜୁଲାଇ ୭ ତାରିଖରେ ଜନ୍ମଗ୍ରହଣ କରିଥିଲେ । ସେ ୧୯୬୧ ମସିହାରେ ଭଦ୍ରକ ମହାବିଦ୍ୟାଳୟରୁ କଳାରେ ସ୍ନାତକ ଓ ଅନୁଗୁଳ ଟ୍ରେନିଂ ମହାବିଦ୍ୟାଳୟରୁ ଶିକ୍ଷାରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ଏହାପରେ ସେ ଜିଲ୍ଲାର ସର୍ବପୂରାତନ ରାଜେନ୍ଦ୍ର ନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକତା ଆରମ୍ଭ କରିଥିଲେ । ସ୍ୱର୍ଗତ ରାଉତ ଓଡ଼ିଶା ଶିକ୍ଷା ସେବାରେ ଅଧିକାରୀ ରୂପେ ଶ୍ରୀବତ୍ସ ହାଇସ୍କୁଲ, କଲ୍ୟାଣପୁର ଓ ମନ୍ମଥନାଥ ହାଇସ୍କୁଲ ପଟ୍ଟାମୁଣ୍ଡାଇଠାରେ ପ୍ରଧାନ ଶିକ୍ଷକ ଭାବେ ଅବସ୍ଥାପିତ ହୋଇଥିଲେ । ଏତଦବ୍ୟତୀତ ସେ ସାଲେପୁର, ପଟ୍ଟାମୁଣ୍ଡାଇ ଓ କେନ୍ଦ୍ରାପଡ଼ା ଶିକ୍ଷା ଜିଲ୍ଲା ମାନଙ୍କରେ ଜିଲ୍ଲା ଶିକ୍ଷା ନୀରିକ୍ଷକ ଭାବେ ସୂଚାରୁରୂପେ ଦାୟିତ୍ୱ ତୁଲାଇ ଜନସାଧାରଣଙ୍କର ପ୍ରିୟଭାଜନ ହୋଇ ପାରିଥିଲେ । ରାଜକନିକା ବ୍ଲକ ସମେତ କେନ୍ଦ୍ରାପଡ଼ା ଜିଲ୍ଲାରେ ଶିକ୍ଷାର ବିକାଶ ଓ ବିଭିନ୍ନ ଶିକ୍ଷାନୁଷ୍ଠାନ ଗଢିବାରେ ସ୍ୱର୍ଗତଃ ରାଉତ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

ଗଠନମୂଳକ ଚିନ୍ତାଧାରା ସହିତ ଜଣେ ସରଳ, ଅମାୟିକ, ଛାତ୍ରବତ୍ସଳ ତଥା ଆଦର୍ଶ ଶିକ୍ଷକ ଭାବେ ସ୍ୱର୍ଗତ ରାଉତଙ୍କର ସୁଖ୍ୟାତି ରହିଥିଲା । ଗତ ୧୯୯୬ ମସିହାରେ ଚାକିରୀରୁ ଅବସର ଗ୍ରହଣ କରିବା ପରେ ସ୍ୱର୍ଗତଃ ରାଉତ ନିଜ ଅଞ୍ଚଳରେ ରହି ବିଭିନ୍ନ ଗଠନମୂଳକ କାର୍ଯ୍ୟ କରିବା ସହିତ ସମାଜସେବାରେ ନିଜକୁ ନିୟୋଜିତ କରିଥିଲେ ।

ସ୍ୱଗତଃ ରାଉତଙ୍କର ବିୟୋଗରେ ଖଣ୍ଡପଡ଼ା ବିଧାୟକ ତଥା ଅଗ୍ରଣୀ ସମ୍ବାଦପତ୍ର ‘ସମ୍ବାଦ’ର ସମ୍ପାଦକ ସୌମ୍ୟ ରଞ୍ଜନ ପଟ୍ଟନାୟକ, ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଡଃ ବି ଆର ଷଡ଼ଙ୍ଗୀ, ଆଳି ବିଧାୟକ ପ୍ରତାପ କେଶରୀ ଦେବ, ଆଳିର ପୂର୍ବତନ ବିଧାୟକ ଦୋଳଗୋବିନ୍ଦ ନାୟକ, ପଟ୍ଟାମୁଣ୍ଡାଇର ପୂର୍ବତନ ବିଧାୟକ ଗଣେଶ୍ୱର ବେହେରା, କୋରେଇର ପୂର୍ବତନ ବିଧାୟିକା ସଞ୍ଚିତା ମହାନ୍ତି, ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକ, ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସକ ବଂଶୀଧର ରାଉତ, କେନ୍ଦ୍ରାପଡ଼ା ଜିଲ୍ଲାର ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ତାରାକିଙ୍କରୀ ଦାସ, ରାଜକନିକା ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ଦାସ, ପୂର୍ବତନ ଅଧ୍ୟକ୍ଷ କପିଳେନ୍ଦ୍ର ମଲ୍ଲିକ, ବାଘବୁଦାର ପୂର୍ବତନ ସମିତିସଭ୍ୟ ଭରତ ମହାପାତ୍ର ପ୍ରମୁଖ ଶୋକ ପ୍ରକାଶ କରିବା ସହିତ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜ୍ଞାପନ କରିଛନ୍ତି ।

କଟକ ସହରସ୍ଥିତ ସତୀଚଉରା ଶ୍ମଶାନରେ ସ୍ୱର୍ଗତଃ ରାଉତଙ୍କର ଅନ୍ତିମ ସଂସ୍କାର ଅନୁଷ୍ଠିତ ହୋଇଥିଲା । ଓଡ଼ିଶା ସରକାରଙ୍କ ମତ୍ସ୍ୟବିଭାଗରେ ଯୁଗ୍ମ ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଥିବା ସ୍ୱର୍ଗତଃ ରାଉତଙ୍କ ଜ୍ୟେଷ୍ଠ ପୁତ୍ର ପ୍ରତାପ ରଞ୍ଜନ ରାଉତ ମୁଖାଗ୍ନି ଦେଇଥିଲେ ।

Leave A Reply

Your email address will not be published.