Odisha Link
Bridging the Missing Links in Odisha

ରାଜ୍ୟର ୧୭ ଜିଲ୍ଲାରେ ନିଅଣ୍ଟିଆ ବର୍ଷା

ଭୁବନେଶ୍ବର: ସଠିକ୍‌ ସମୟରେ ମୌସୁମୀ ଓଡ଼ିଶା ଛୁଇଁଥିଲେ ହେଁ ଆଶା ଅନୁଯାୟୀ ବର୍ଷା ହୋଇନି। ବର୍ତ୍ତମାନ ସୁଦ୍ଧା ୩୦ଟି ଜିଲ୍ଲାରୁ ୧୭ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି। ଏନେଇ ସୂଚନା ଦେଇଛି ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଜୁନ୍‌ ୧ରୁ ଜୁଲାଇ ୧୩ ମଧ୍ୟରେ ରାଜ୍ୟରେ ୨୭୩.୬ ମିମି ବର୍ଷା ରେକର୍ଡ ହୋଇଛି। ଏହା ସ୍ୱାଭାବିକ ଠାରୁ ୨୧% କମ। ଏହି ସମୟରେ କୋରାପୁଟରେ ସର୍ବାଧିକ ୩୭୦.୩ ମିମି ବର୍ଷା ହୋଇଥିବା ବେଳେ ଭଦ୍ରକରେ ସବୁଠାରୁ କମ ୧୩୧.୧ ମିମି ବର୍ଷା ରେକର୍ଡ କରାଯାଇଛି।

୨୦ରୁ ୫୯% କମ ବର୍ଷା ବା ନିଅଣ୍ଟିଆ ବର୍ଷାର ସମ୍ମୁଖୀନ ହୋଇଥିବା ଜିଲ୍ଲାଗୁଡ଼ିକ ମଧ୍ୟରେ ଅନୁଗୁଳ, ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର, ଭଦ୍ରକ, ଦେବଗଡ଼, ସମ୍ବଲପୁର, ସୋନପୁର, ଝାରସୁଗୁଡ଼ା, ବୌଦ୍ଧ, ବଲାଙ୍ଗୀର, କନ୍ଧମାଳ, କଳାହାଣ୍ଡି, ନଗରଙ୍ଗପୁର, ଗଞ୍ଜାମ, ଗଜପତି ଓ ରାୟଗଡ଼ା ରହିଛି।

୧୭ଟି ଜିଲ୍ଲାରେ ସ୍ୱାଭାବିକ ଠାରୁ କମ ବର୍ଷା ହୋଇଥିବା ବେଳେ ୪ଟି ଜିଲ୍ଲା ପାଇଁ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି। ଆସନ୍ତା ୧୫ ଦିନ ମଧ୍ୟରେ ଯଦି କେନ୍ଦୁଝର, ଗଞ୍ଜାମ, ଯାଜପୁର ଓ ଭଦ୍ରକରେ ଭଲ ବର୍ଷା ନ ହେବ, ତା’ହେଲେ ଏଠାରେ ଚାଷର ସ୍ଥିତି ଗଭୀର ଭାବେ ପ୍ରଭାବିତ ହେବ ବୋଲି ପାଣିପାଗ ବିଜ୍ଞାନୀ ଏଚଆର ବିଶ୍ୱାସ ପୂର୍ବାନୁମାନ କରିଛନ୍ତି।

Leave A Reply

Your email address will not be published.