ପିଏମ୍ ମୋଦୀଙ୍କୁ ଭେଟିଲେ ସିଏମ୍ ମମତା, ରାଜ୍ୟର ନାମ ପରିବର୍ତ୍ତନ ପ୍ରସଙ୍ଗ ଉଠାଇଲେ
ନୂଆଦିଲ୍ଲୀ: ତୃତୀୟ ଥର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଥର ପିଏମ୍ ମୋଦୀଙ୍କୁ ଭେଟିଛନ୍ତି ମମତା ବାନାର୍ଜୀ। ଜାତୀୟ ରାଜନୀତିରେ ମମତାଙ୍କୁ ନେଇ ଜୋରଦାର ଚର୍ଚ୍ଚା ହେଉଥିବା ବେଳେ ମଙ୍ଗଳବାର ଅପରାହ୍ନ ୪ଟା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସହ ଏହା ଏକ ସ୍ବଜନମୂଳକ ସାକ୍ଷାତ ବୋଲି ମମତା କହିଛନ୍ତି।
ପିଏମ୍ ମୋଦୀଙ୍କ ସହ ଆଲୋଚନା କରିବା ପରେ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଥିଲେ ମମତା। ସେ କହିଛନ୍ତି ଯେ, ରାଜ୍ୟର କରୋନା ସ୍ଥିତି ନେଇ ପିଏମ୍ ମୋଦୀଙ୍କ ସହ ଆଲୋଚନା କରିଥିଲେ। ଏଥିସହିତ ରାଜ୍ୟର ଜନସଂଖ୍ୟାକୁ ନଜରରେ ରଖି ଅଧିକା ଟିକା ଓ ଔଷଧ ଯୋଗାଣ ପ୍ରସଙ୍ଗ ଉଠାଇଥିଲି। ଏଥିସହିତ ରାଜ୍ୟର ନାମ ପରିବର୍ତ୍ତନ କରିବା ପ୍ରସଙ୍ଗ ମଧ୍ୟ ଉଠାଇଛି ବୋଲି ମମତା କହିଛନ୍ତି। ପିଏମ୍ ମୋଦୀ ସମସ୍ତ କଥା ଶୁଣିବା ପରେ ଏହି ସବୁ ପ୍ରସଙ୍ଗ ଉପରେ ବିଶେଷ ଦୃଷ୍ଟି ଦେବେ ବୋଲି କହିଥିବା କହିଛନ୍ତି ମମତା।
ସୂଚନାଥାଉକି, ମମତା ବାନାର୍ଜୀ ୫ ଦିନିଆ ଦିଲ୍ଲୀ ଗସ୍ତରେ ଅଛନ୍ତି। ସେ ସୋମବାର ଦିଲ୍ଲୀରେ ପହଁଞ୍ଚିବା ପରେ ବିଭିନ୍ନ ନେତାଙ୍କୁ ସାକ୍ଷାତ କରୁଛନ୍ତି। ପିଏମ୍ ମୋଦୀଙ୍କ ସାକ୍ଷାତ କରିବା ପୂର୍ବରୁ କଂଗ୍ରେସର ବରିଷ୍ଠ ନେତା କମଲନାଥ ଓ ଆନନ୍ଦ ଶର୍ମାଙ୍କୁ ମଧ୍ୟ ଭେଟିଥିଲେ ମମତା।