Odisha Link
Bridging the Missing Links in Odisha

ପାଣ୍ଡ୍ୟାଙ୍କୁ କରୋନା, ସ୍ଥଗିତ ହେଲା ୨ୟ ଟି-୨୦

କଲମ୍ବୋ: ଭାରତ-ଶ୍ରୀଲଙ୍କା ମଧ୍ୟରେ ମଙ୍ଗଳବାର ଖେଳାଯିବାକୁ ଥିବା ଦ୍ବିତୀୟ ଟି-୨୦ ମ୍ୟାଚ୍‌ ସ୍ଥଗିତ। କାରଣ ବାୟୋବବଲରେ କରୋନା କରିଛି ପ୍ରବେଶ। ମଙ୍ଗଳବାର ଦିନ ଟିମ୍‌ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର କୃଣାଳ ପାଣ୍ଡ୍ୟା କରୋନା ପଜିଟିଭ ଚିହ୍ନଟ। ଯାହାରିଫଳରେ ଆଜି ଖେଳାଯିବାକୁ ଥିବା ୨ୟ ଟି-୨୦ ମୁକାବିଲାକୁ ସ୍ଥଗିତ ରଖିଛି ଶ୍ରୀଲଙ୍କା କ୍ରିକେଟ ବୋର୍ଡ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, କୃଣାଳଙ୍କ ସମେତ ୮ ଜଣ ଭାରତୀୟ ଖେଳାଳି ବର୍ତ୍ତମାନ ଆଇସୋଲେସନରେ ଅଛନ୍ତି। ସେ ମଧ୍ୟରେ ଇଂଲଣ୍ଡ ଗସ୍ତ କରିବାକୁ ଥିବା ସୂର୍ଯ୍ୟକୁମାର ଯାଦବ ଓ ପୃଥ୍ବୀ ଶ’ ମଧ୍ୟ ଅଛନ୍ତି। ତେବେ କଡ଼ା ବାୟୋବବଲ ସତ୍ତ୍ବେ କୃଣାଳ କିଭଳି କୋଭିଡ ପଜିଟିଭ ଚିହ୍ନଟ ହେଲେ ସେ ନେଇ ପ୍ରଶ୍ନ ମଧ୍ୟ ଉଠିଛି।

ଅପରପକ୍ଷେ ଇଂଲଣ୍ଡ ଗସ୍ତ କରିବାକୁ ଥିବା ଦୁଇ ଖେଳାଳି ଯଥା ସୂର୍ଯ୍ୟକୁମାର ଯାଦବ ଓ ପୃଥୀ ଶ’ଙ୍କୁ ନେଇ ଚିନ୍ତାରେ ଟିମ୍‌ ମ୍ୟାନେଜମେଣ୍ଟ। କାରଣ ଏହି ଦୁଇ ଖେଳାଳି କୃଣାଳଙ୍କ ସହିତ ମିଶିଥିବାରୁ ବର୍ତ୍ତମାନ ଆଇସୋଲେସନରେ ଅଛନ୍ତି। ସେ ଦିନେକି ଦୁଇ ଦିନ ମଧ୍ୟରେ ଇଂଲଣ୍ଡ ଗସ୍ତ କରିଥାନ୍ତେ। ହେଲେ ବର୍ତ୍ତମାନ ଇଂଲଣ୍ଡ ଯିବେ ନା ନାଇଁ ସେ ନେଇ ଆଶଙ୍କା ସୃଷ୍ଟି ହୋଇଛି।

ସିରିଜ୍ ଆଗକୁ ଜାରି ରହିବ କି ନାହିଁ ସେ ନେଇ ମଧ୍ୟ କୌଣସି ତଥ୍ୟ ହସ୍ତଗତ ହୋଇନାହିଁ। ଆସନ୍ତାକାଲି ଅର୍ଥାତ ବୁଧବାର ଦ୍ବିତୀୟ ଟ୍ବେଣ୍ଟି ଟ୍ବେଣ୍ଟି ଖେଳାଯାଇପାରେ ବୋଲି ଅନୁମାନ କରାଯାଉଛି ।

Leave A Reply

Your email address will not be published.