Odisha Link
Bridging the Missing Links in Odisha

ବବି ଓ ପାଣ୍ଡିଆନ୍‌ ମୁଖ୍ୟମନ୍ତ୍ରୀଙ୍କ ଦୁଇ ଆଖି: ସୌମ୍ୟ

ବିଶେଷକରି ଦଳର ଦୁଇ ବରିଷ୍ଠ ନେତା ତଥା ଖବରକାଗଜ ସମ୍ପାଦକ ନିଜର ଲେଖା ମାଧ୍ୟମରେ ସରକାରଙ୍କୁ ସମାଲୋଚନା କରି ଆସୁଥିବା ଦେଖିବାକୁ ମିଳୁଛି। ଜଣେ ହେଲେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ଅନ୍ୟ ଜଣେ ହେଉଛନ୍ତି ସାଂସଦ ଭର୍ତ୍ତୃହରି ମହତାବ।

ଭୁବନେଶ୍ବର: ରାଜ୍ୟ ରାଜନୀତିର ପାଣିପାଗ ଠିକ୍‌ ଥିବାବେଳେ ସୃଷ୍ଟି ହୋଇଛି ଏକ ଲଘୁଚାପ। ଯାହାଫଳରେ ରାଜ୍ୟ ରାଜନୀତିରେ ଅସହ୍ୟ ଗୁଳୁମୁଳି ସାଙ୍ଗକୁ ବର୍ଷା ହେବାର ଆଶଙ୍କା ଜୋର ରହିଛି। ଏକଥା ଆମେ ଆପଣଙ୍କୁ ଏଥିପାଇଁ କୁହୁଛୁ ଯେ, ବର୍ତ୍ତମାନ ବିଜୁ ଜନତା ଦଳରେ ଯାହା ଚାଲୁଛି ତାହା ଏବେ ଅନ୍ୟ ନେତାଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଦଳରେ ପୁରୁଖା ନେତାମାନଙ୍କୁ ଗୁରୁତ୍ୱ ଦିଆଯାଉନଥିବା ଦେଖିବାକୁ ମିଳୁଛି । ଯାହାକୁ ନେଇ କେତେକ ନେତା ବାଧ୍ୟରେ ନୀରବ ରହିଥିବାବେଳେ ଅନ୍ୟ କେତେକ ନେତା ସ୍ୱର ଉତୋଳନ ଆରମ୍ଭ କରିଦେଲେଣି । ବିଶେଷକରି ଦଳର ଦୁଇ ବରିଷ୍ଠ ନେତା ତଥା ଖବରକାଗଜ ସମ୍ପାଦକ ନିଜର ଲେଖା ମାଧ୍ୟମରେ ସରକାରଙ୍କୁ ସମାଲୋଚନା କରି ଆସୁଥିବା ଦେଖିବାକୁ ମିଳୁଛି। ଜଣେ ହେଲେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ଅନ୍ୟ ଜଣେ ହେଉଛନ୍ତି ସାଂସଦ ଭର୍ତ୍ତୃହରି ମହତାବ।

ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ପୁଣି ଥରେ ତାଙ୍କ ବୟାନକୁ ନେଇ ଏବେ ପାଓ୍ବାର କରିଡରରେ ଚର୍ଚ୍ଚାରେ। ଗତକାଲି କଟକରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସୌମ୍ୟ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଗୋଟିଏ ଆଖି ବବି ଓ ଅନ୍ୟଟି ପାଣ୍ଡିଆନ ବୋଲି ସେ କହିଛନ୍ତି।ଦୁଇଟି ଆଖିରେ ମୁଖ୍ୟମନ୍ତ୍ରୀ ଯାହା ଦେଖିବେ, ତାହା ତାଙ୍କ ପାଇଁ ଦୁନିଆ ହେବ । ଯଦି କୌଣସି କାରଣରୁ ନିଜ ନିଜ ସ୍ୱାର୍ଥରୁ ଏ ଆଖି ଗୁଡ଼ିକ ଅଲଗା କଥା ଦେଖିବାକୁ ଚେଷ୍ଟା କଲେ କିମ୍ବା କାଉକୁ ଧଳା ବୋଲି କହିବାକୁ ଚେଷ୍ଟା କଲେ କଥା ସରିଲା।

ଆଉ ତାଙ୍କ କଥା ମାନି ମଣିମା ଯଦି କହନ୍ତି କାଉଟି ଧଳା ହେବାକୁ ଆରମ୍ଭ କଲାଣି, ତେବେ ନିଶ୍ଚିତ ଭାବେ ଶାସନରେ ବିଭ୍ରାଟ ଉପୁଜିବ । ଏହି ଆଖି ଦୁଇଟି ଯେ ସବୁବେଳେ ସତ କଥା କହିବେ, ସେଥିରେ ଗ୍ୟାରେଣ୍ଟି ନାହିଁ । ତେଣୁ ଚାଲାକ ଚତୁର ଶାସକମାନଙ୍କୁ ତୃତୀୟ ନୟନର ଆବଶ୍ୟକତା ପଡ଼ିଥାଏ, ଯେଉଁଥି ପାଇଁ ରାଜା ମହାରାଜା ଅନ୍ଧାରୀ ବିଜେ କରନ୍ତି ବୋଲି କହିଛନ୍ତି ସୌମ୍ୟ । ତାସହ ଗଣମାଧ୍ୟମ ଏହି ତୃତୀୟ ନୟନର ଭୂମିକା ନିର୍ବାହ କରିପାରିବ କି ବୋଲି ବି ନିଜ ବକ୍ତବ୍ୟରେ ପ୍ରଶ୍ନ କରିଛନ୍ତି ସୌମ୍ୟରଞ୍ଜନ।

ସେହିପରି ସାଂସଦ ଭର୍ତୃହରି ମହତାବ କହିଥିଲେ ଯେ, ଭିନ୍ନମତକୁ ସମ୍ମାନ ଦେବା ଜରୁରୀ। ଗଠନମୂଳକ ସମାଲୋଚନାକୁ ସ୍ୱୀକାର କରାଯିବା ଉଚିତ । ଯଦି ଚାପ ପକାଇ ଆମକୁ ଚୁପ କରିଦିଆଯାଏ ସେଠାରେ ଆମେ ମୁହଁ ବନ୍ଦ କରିବା ସତ, କିନ୍ତୁ ମୁଣ୍ଡକୁ ବନ୍ଦ କରିପାରିବା କି ବୋଲି ପ୍ରଶ୍ନ କରିଥିଲେ। ବିଜେଡିର ଦୁଇ ପୁରୁଖା ନେତାଙ୍କ ଏଭଳି ବୟାନ ପରେ ପାଓ୍ବାର କରିଡରରେ ଜୋର ଚର୍ଚ୍ଚା ଲାଗିଛି।

Leave A Reply

Your email address will not be published.